ETV Bharat / state

ଅର୍ପଣ ରଥକୁ ଲୁଟ୍‌ କରି ହାତ ଚିକ୍କଣ କରିଛନ୍ତି ବିଜେଡି ନେତା: କଂଗ୍ରେସ

author img

By ETV Bharat Odisha Team

Published : Jan 19, 2024, 5:46 PM IST

Congress Press Meet: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜ୍ୟ ରାଜନୀତି ଥମିନାହିଁ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରଚାର ଓ ଅର୍ପଣ ରଥରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କଂଗ୍ରେସ ପ୍ରେସ୍‌ମିଟ୍‌
Congress Press Meet

Congress Press Meet

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଥିପାଇଁ ଆରମ୍ଭ ହୋଇଥିବା ମହାଯଜ୍ଞର ପୂର୍ଣ୍ଣାହୁତି ସହ ଅର୍ପଣ ରଥ ପରିକ୍ରମା ମଧ୍ୟ ଶେଷ ହୋଇଛି । ହେଲେ ଏହାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଏବେ ଥମିବା ପରିବର୍ତ୍ତେ ଆହୁରି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦିନକୁ ଦିନ କଡ଼ା ଟାର୍ଗେଟ୍‌ କରୁଛନ୍ତି ବିରୋଧି । ଆଜି ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ଓ ଓଡ଼ିଆଙ୍କ ଅସ୍ମିତା ପ୍ରତି କୁଠାରଘାତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅର୍ପଣ ରଥ କାର୍ଯ୍ୟକ୍ରମରେ ବିଭ୍ରାଟ ଅଭିଯୋଗ ଲଗାଇବା ସହ ଏଥିପାଇଁ ହୋଇଥିବା ଖର୍ଚ୍ଚର ହିସାବ ମାଗିଛି କଂଗ୍ରେସ ।

ପିସିସି ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି, "କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ ରାଜ୍ୟ ତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳଣାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି । କେଉଁଠି ଡାଲା ଅଟୋ ଅବା କେଉଁଠି ଟାଟା ମ୍ୟାଜିକରେ ସୋଲୋ ବା ଥର୍ମକଲରେ ଜଗନ୍ନାଥଙ୍କୁ ଚିତ୍ରିତ କରାଇ ବୁଲାଇବା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଏଥିରେ କ୍ଷୁବ୍ଧ ଓ ଅନେକ ସ୍ଥାନରେ ଏହାର ପ୍ରତିବାଦ କରିଛନ୍ତି । ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତି ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ।

ତାଙ୍କ ପ୍ରତି ଏଭଳି ଅସମ୍ମାନକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ । ବିଜେଡି ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସାରା ଅର୍ପଣ ରଥ ବୁଲାଇବା ମାଧ୍ୟମରେ ବଡ଼ ଠାକୁରଙ୍କ ପ୍ରତି ଯେଉଁ ଅସମ୍ମାନ କରିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ । ଅର୍ପଣ ରଥ କାର୍ଯ୍ୟକ୍ରମରେ ଚରମ ବିଭ୍ରାଟ ଦେଖାଦେଇଛି । ଜଗନ୍ନାଥଙ୍କ ପ୍ରତି ଲୋକଙ୍କର ଗଭୀର ଭକ୍ତି ଭାବର ସୁଯୋଗ ନେଇ ଶାସକ ଦଳର ନେତା ଓ କର୍ମୀମାନେ ହଜାର ହଜାର କ୍ବିଣ୍ଟାଲ ଚାଉଳ, ପ୍ରଚୁର ପରିମାଣରେ ଗୁଆ ଓ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେସବୁ ଚାଉଳ, ଗୁଆ, ଟଙ୍କା ଇତ୍ୟାଦି ମନ୍ଦିରକୁ ଆସିନାହିଁ କିମ୍ବା ତାର ହିସାବ ମଧ୍ୟ ନାହିଁ ।" ବିଭିନ୍ନ ପଞ୍ଚାୟତ ଓ ସହରାଞ୍ଚଳର ୱାର୍ଡ ଗୁଡ଼ିକରୁ କେତେ ଟଙ୍କା ଆଦାୟ ହୋଇଛି ତା’ର ହିସାବ ସରକାର ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ପଞ୍ଚାନନ କାନୁନଗୋ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅର୍ପଣ ରଥକୁ ନେଇ ନିର୍ବାଚନୀ ପ୍ରଚାର କରୁଛି ବିଜେଡି: କଂଗ୍ରେସ

ସେହିଭଳି ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ସେ କହିଛନ୍ତି, "ରାଜ୍ୟ ସରକାର ଏହି ଅର୍ପଣ ରଥ ବୁଲାଇବା ଓ ଭୋଜିଭାତ କରିବା ପାଇଁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଓ ପ୍ରତି ବ୍ଲକକୁ ୫ ଲକ୍ଷ କରି ଅନୁଦାନ ଦେଇଥିଲେ । ରାଜ୍ୟରେ ୬୭୯୪ ପଞ୍ଚାୟତ ଓ ୩୧୪ଟି ବ୍ଲକ ପାଇଁ ୧୫୧ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ଅର୍ପଣ ରଥ ପାଇଁ । ଅନୁରୂପ ଭାବରେ ରାଜ୍ୟର ୪୮ଟି ମ୍ୟୁନିସିପାଲଟିର ୯୬୭ଟି ୱାର୍ଡ ପାଇଁ ୧୯.୩୪ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ୬୭ଟି ବିଜ୍ଞାପିତ ଅଞ୍ଚଳର ୱାର୍ଡ ପ୍ରତି ୧ ଲକ୍ଷ ଓ ମ୍ୟୁନିସିପାଲ୍‌ କର୍ପୋରେସନର ୱାର୍ଡ ପିଛା ୫ ଲକ୍ଷ ଲେଖାଏଁ ଅନୁଦାନ ଦେଇଛନ୍ତି ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି । ଏହିସବୁ ପ୍ରଚାର କାର୍ଯ୍ୟକ୍ରମରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଏବଂ ବିଜେଡି ଦଳର ନେତା ଓ କର୍ମୀମାନେ ହାତକୁ ଚିକଣ କରିଛନ୍ତି । ଏ ଅର୍ଥ କେଉଁଠୁ ଆସିଲା ଏବଂ ଏହାର ବିନିଯୋଗ ପାଇଁ କିଏ ଉତ୍ତରଦାୟୀ, ତାହା ସରକାର ସ୍ପଷ୍ଟ କରନ୍ତୁ ।" ଯଦି ତା’ ନହୁଏ, ତେବେ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା କରି ଅର୍ପଣ ରଥ କାର୍ଯ୍ୟକ୍ରମର ଦୁର୍ନୀତିକୁ ପର୍ଦ୍ଦାଫାସ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.