ETV Bharat / state

ଚାଷୀଙ୍କୁ ଧୋକା ଦେଉଛନ୍ତି ନବୀନ ସରକାର: ପ୍ରଦୀପ ପୁରୋହିତ

author img

By ETV Bharat Odisha Team

Published : Sep 20, 2023, 8:51 PM IST

କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ । ନବୀନ ସରକାରରେ ଚାଷୀଙ୍କ ଆୟ କମୁଛି । କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ କହିଲେ ୪୪ ଲକ୍ଷରୁ କମ୍ ଚାଷୀଙ୍କୁ ସହାୟତା ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀଙ୍କୁ ଆଉ ପ୍ରତାରିତ କରନ୍ତୁ ନାହିଁ ବୋଲି କହିଲେ ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ
କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ

ଭୁବନେଶ୍ବର: କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲା ବିଜେପି । ରାଜ୍ୟ ସରକାର ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଘୋଷଣା କରିଥିଲେ । ଏଥିସହ କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି କୃଷିଭିତ୍ତିକ ପର୍ବ ନୂଆଖାଇରେ ୭୫ ଲକ୍ଷ ଚାଷୀରୁ ୪୪ ଲକ୍ଷରୁ କମ୍ ଚାଷୀଙ୍କୁ କାଳିଆ ସହାୟତା ଦେଇଛନ୍ତି । ବାକି ୩୧ ଲକ୍ଷ ଚାଷୀ ଗଲେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଆହୁରିମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ, ଚାଷୀ ପିଲାଙ୍କୁ ଛାତ୍ରବୃତ୍ତି ଦେବାକୁ କହି ମୁଖ୍ୟମନ୍ତ୍ରୀ ପ୍ରତାରିତ କରିଛନ୍ତି । ନବୀନ ସରକାରରେ ଚାଷୀଙ୍କ ଆୟ କମି କମି ଯାଉଛି । ୨୪ ବର୍ଷର ଶାସନରେ ଚାଷୀମାନେ ତଳିତଳାନ୍ତ ହୋଇଗଲେଣି । କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ୧୦ ହଜାର ଟଙ୍କା ଘୋଷଣା କରିଥିଲେ ହେଁ ପାଞ୍ଚ ହଜାର ଟଙ୍କା ଦେଉଛନ୍ତି । ସେମିତି କେତେ ଚାଷୀଙ୍କ ପିଲାଙ୍କୁ ଛାତ୍ର ବୃତ୍ତି ଦେଲେ ତାହା ଦେଖାନ୍ତୁ ବୋଲି ବିଜେପି ନେତା କହିଛନ୍ତି ।

ଗତ ୨୪ ବର୍ଷ ଧରି ଚାଷୀ ପ୍ରତାରିତ ହୋଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଭାଷଣରେ ଚାଷୀଙ୍କ ପ୍ରତି ଦରଦ ଦେଖାଉଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଷୋହେଲା ସମାବେଶରେ ଘୋଷଣା କଲେ ଗୋଟେ କୁଇଣ୍ଟାଲ ଧାନ ବିକିଲେ ୧୦୦ ଟଙ୍କା ଚାଷୀଙ୍କୁ ବୋନସ ଦେବୁ । ଏ ଯାଏଁ ଟଙ୍କାଟିଏ ମଧ୍ୟ ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପନିର୍ବାଚନରେ ଘୋଷଣା କରିଥିଲେ ୨୦୦ କୋଟି ଟଙ୍କା ଇନପୁଟ ସବସିଡି ଦେବୁ । କେତେ ଟଙ୍କା ଇନପୁଟ ସବସିଡି ଦେଲେ ? ମାତ୍ର ୧୦ ପ୍ରତିଶତ ଚାଷୀଙ୍କୁ ସବସିଡି ଅର୍ଥ ଦେଇ ବନ୍ଦ କରିଦେଲେ ।

ଚାଷୀ ମଣ୍ଡିରେ ଧାନ ବିକ୍ରି କଲେ ସରକାର ଧାନ କିଣୁଛନ୍ତି ବୋଲି ବାହାଦୂରି ନେଉଛନ୍ତି । ହେଲେ ଚାଷୀଙ୍କ ଟୋକନ ଲାପ୍ସ ହେଉଛି । ଗତ ଥର ଦୁଇ ଲକ୍ଷ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ । ସେଥିରେ ପୁଣି କଟନି ଛଟନି । ୫୦୦ରୁ ୬୦୦ କୋଟି ଟଙ୍କା ମିଲର ଜରିଆରେ ସରକାର ଲୁଟ କରୁଛନ୍ତି । ଜଳସେଚନ ବ୍ୟବସ୍ଥା କଥା ନ କହିବା ଭଲ । କେତେ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା କଲେ । ନବୀନ ବାବୁଙ୍କ ସରକାରରେ ଚାଷୀ ପ୍ରତାରିତ ହୋଇଛନ୍ତି । ସାରା ଦେଶରେ ଓଡ଼ିଶାର ଚାଷୀ ତଳ ଆଡୁ ଦୁଇ ନମ୍ବର ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀଙ୍କୁ ଆଉ ପ୍ରତାରିତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.