ETV Bharat / state

ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି ଦୁର୍ଭାଗ୍ୟଜନକ କହି ବର୍ଷିଲା ବିଜେପି

author img

By ETV Bharat Odisha Team

Published : Nov 17, 2023, 8:08 PM IST

BJP pressmeet
ବିଜେପିର ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣିଛି ବିଜେପି । ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଥିବା କହି ବର୍ଷିଛି ଦଳ । ଅଧିକ ପଢନ୍ତୁ

ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଦଳ । ଏନେଇ ବିଜେପି ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ କହିଛନ୍ତି, "ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଦୁର୍ଭାଗ୍ୟଜନକ । ନବୀନ ସରକାରଙ୍କ ୨୩ ବର୍ଷର ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ରୋଗୀ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଚିକିତ୍ସା ପାଇଁ ନବୀନ ବାବୁ ତତ୍ପର ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଡିଣ୍ଡିମ ପିଟୁଛନ୍ତି ଓ ବଡ ବଡ ବିଜ୍ଞାପନ ଦେଉଛନ୍ତି କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ।"

"ରାଜ୍ୟ ସରକାର ୨୫ ସେପ୍ଟେମ୍ବର ୨୦୨୩ରେ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ସରକାରୀ ଡାକ୍ତର ପଦବୀ ସଂଖ୍ୟା ୧୫ହଜାର ୭୭୪ ରୁ ୭ହଜାର ୨୭୬ ଖାଲି ପଡିଛି । ଅର୍ଥାତ ଶତକଡା ୪୮.୯୧ ଖାଲି ରହିଛି । ସେହିପରି ୧୨ଟି ସରକାରୀ ମେଡିକାଲ କଲେଜରେ ମୋଟ ୨୯୦ ମଞ୍ଜୁରୀ ପ୍ରାପ୍ତ ପ୍ରଫେସର ପଦବୀ ମଧ୍ୟରୁ ୭୪ଟି ଖାଲି ପଡିଛି । ୪୬୩ଟି ଆସୋସିଏଟ ପ୍ରଫେସର ପଦବୀରୁ ୧୭୧ଟି ଖାଲିପଡିଛି ଓ ୯୦୩ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୧୧୦ଟି ଖାଲି ପଡିଛି । ମୋଟ୍ ୨୮ହଜାର ୨୮୫ ନର୍ସିଂ ଅଫିସର ପଦବୀରୁ ୧୭ ହଜାର ୩୫୮ପଦବୀ ଖାଲି, ୩ହଜାର ୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ପଦବୀ ଖାଲି, ୨ହଜାର ୨୩୫ ଲ୍ୟାବରେଟୋରୀ ଟେକନିସିଆନ ପଦବୀରୁ ୯୧୫ ଖାଲି ଏବଂ ୬୯୫ ରେଡିଓ ଗ୍ରାଫର ପଦବୀ ମଧ୍ୟରୁ ୩୭୮ ପଦବୀ ଖାଲି ପଡିଛି" ବୋଲି ବିଜେପି ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ କହିଛନ୍ତି ।

"କୋଟି କୋଟି ଟଙ୍କାର ସ୍ୱାସ୍ଥ୍ୟ ଯନ୍ତ୍ରାଂଶ ଖତଖାଉଛି । ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବଟେକନିସିଆନ୍ ଓ ରେଡିଓଗ୍ରାଫରଙ୍କ ବିନା ଡାକ୍ତରଖାନା କିପରି ଚାଲୁଛି ଓ ରୋଗୀସେବା କିପରି ହେଉଛି ତାହା ସହଜରେ ଅନୁମେୟ । ବର୍ଷ ବର୍ଷ ଧରି ଆୟୁଷ ଡାକ୍ତରଙ୍କ ନିଯୁକ୍ତି ହୋଇନାହିଁ, ଯେଉଁମାନଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦିଆଯାଇଛି ଘୋଷଣା ମୁତାବକ ସେମାନଙ୍କୁ ୨୫ହଜାର ଟଙ୍କା ଦରମା ମଧ୍ୟ ଦିଆଯାଉ ନାହିଁ । ସେହିପରି ଆଜିବି ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ବେଡ୍ ଉପଲବ୍ଧ ନାହିଁ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ନେଇ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ମୋଟ୍ ୨୬ହଜାର ୫୬୮ବେଡ୍ ଥିଲେ ବି ଜାତୀୟ ମାନଦଣ୍ଡ (ଆଇପିଏଚ୍‌ଏସ-୨୦୨୨) ଅନୁଯାୟୀ ଆବଶ୍ୟକ ବେଡ୍‌ର ୧ ତୃତୀୟାଂଶରୁ କମ୍ ଶଯ୍ୟା ରହିଛି । ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜୁ ଜନତା ଦଳ ଘୋଷଣା କରିଥିବା ୩ଟି ସୁପର ସ୍ପେଷ୍ଟାଲିଟି ହସ୍ପିଟାଲ ଏପର୍ଯ୍ୟସ୍ତ ବାସ୍ତବତାରେ ପରିଣତ କାହିଁକି?"ବୋଲି ପ୍ରଶ୍ନ କରିଛି ଦଳ ।

ଏହା ବି ପଢନ୍ତୁ...ଦୁର୍ନୀତି ବିରୋଧରେ ବିଜେପିର ରଣ ହୁଙ୍କାର, ସରକାରଙ୍କ ଉପରେ ବର୍ଷିଲେ କୁସୁମ ଟେଟେ


ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି ଶାସନରେ ମାତୃ ଓ ଶିଶୁ ମୃତ୍ୟୁହାର ଜାତୀୟ ହାରଠୁ ଢେର ଅଧିକ । ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ 'ଆୟୁଷ୍ମାନ ଭାରତ ଯୋଜନା' ଲୋକାଦୃତ ଓ ସଫଳ ହୋଇଥିବାବେଳେ ଓଡ଼ିଶାର ଲୋକମାନଙ୍କୁ ଏ ସୁବିଧା ମିଳିବାରୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି । BSKY କାର୍ଡରେ ଓଡିଶା ବାହାରେ ରହୁଥିବା ପାଖାପାଖି ଦେଢ଼ କୋଟି ଓଡ଼ିଆ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପର୍ଯ୍ୟାପ୍ତ ଟଙ୍କା କେନ୍ଦ୍ରଠାରୁ ମିଳୁଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା ଓ ଗୁଣାତ୍ମକ ଔଷଧ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିକି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଜରୁରୀକାଳିନ ଡାକ୍ତରନାହାନ୍ତି କି ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ସ୍ଥାୟୀ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତି କରିବାରେ ରାଜ୍ୟ ସରକାର ବିଫଳ।"

ଏଥିପାଇଁ ରାଜ୍ୟ ସରକାର ଏକ “ଶ୍ୱେତପତ୍ର” ଜାରି କରି କେବେ ସମସ୍ତ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି କରିବା ସହିତ କେଉଁ ହସ୍ପିଟାଲରେ କେଉଁ ସେବା, କେଉଁ ସ୍ପେଷାଲିଟି ଅଛନ୍ତି ଏବଂ ସମସ୍ତ ସମସ୍ୟାର ସମାଧାନ କେବେ ସୁଦ୍ଧା କରିବେ ତାହା ଓଡ଼ିଶାବାସୀଙ୍କୁ ଜଣାଇବା ପାଇଁ ଦାବି କରିଛି ବିଜେପି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.