ETV Bharat / state

ନବୀନଙ୍କ ଜାପାନ ଗସ୍ତର ଉଦ୍ଦେଶ୍ୟ କେବଳ ଓଡ଼ିଶାବାସୀକୁ ବୋକା ବନାଇବା: ମନମୋହନ ସାମଲ

author img

By

Published : Apr 4, 2023, 9:35 PM IST

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକଙ୍କୁ ବୋକା ବନାଉଥିବା କହିଛନ୍ତି ମନମୋହନ । ଅଧିକ ପଢ଼ନ୍ତୁ

Bjp state president reaction  on cm naveens japan visit
ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ବର୍ଷିଲେ ବିରୋଧୀ

ନବୀନଙ୍କ ଜାପାନ ଗସ୍ତର ଉଦ୍ଦେଶ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଯିବା ପ୍ରଥମ ନୁହେଁ । ସେ ବହୁତ ଥର ବିଦେଶ ଗଲେଣି । ଯେତେବେଳେ କୁଆଡେ ଯାଇନଥିଲେ, 7 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ମିଳିଥିଲା । ଆଜିକୁ 25 ବର୍ଷ ଭିତରେ 7 ଲକ୍ଷ କୋଟି ପୁଞ୍ଜିର 10 ପ୍ରତିଶତ କି 20 ପ୍ରତିଶତ ମଧ୍ୟ ବିନିଯୋଗ ହୋଇପାରିଲେ ନାହିଁ । ଏବେ ଗଲେ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ଶାସକ ଦଳ ଉପରେ ବର୍ଷୁଛନ୍ତି ବିରୋଧୀ । ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ରାଜ୍ୟକୁ ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଥିବା ସମୟରେ ସଠିକ ଭାବେ ବିନିଯୋଗ କରିପାରିଲେ ନାହିଁ । ଭିତ୍ତିଭୂମି, ଶିଳ୍ପ ଅନୁକୂଳ ପରିବେଶ ତିଆରି ହୋଇପାରିଲା ନାହିଁ । ଜମି ମିଳିଲା ନାହିଁ, ଭିତ୍ତିଭୂମି ମିଳିଲା ନାହିଁ ଏବଂ ଆରଏନଆର ପଲିସିକୁ କାର୍ଯ୍ୟକାରୀ କରାଗଲା ନାହିଁ । କେନ୍ଦ୍ର ସରକାର ଆଇନ କଲେ । କିନ୍ତୁ ତାକୁ ମଧ୍ୟ ରାଜ୍ୟ ସରକାର ମାନିଲେ ନାହିଁ, କି ପ୍ରଣୟନ କଲେ ନାହିଁ । ଗସ୍ତର ଉଦ୍ଦେଶ୍ୟ ଲୋକଙ୍କୁ ବୋକା ବନାଇବା । ଓଡ଼ିଶା ଲୋକ ବହୁତ ଥର ବୋକା ବନିଲେଣି ଆଉ ବୋକା ବନିବେ ନାହିଁ ।" ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଭିନ୍ନ ପ୍ରସଙ୍ଗ ନେଇ ମନମୋହନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।


ପ୍ରକାଶ ଥାଉକି, ସାତଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନର ୩ ପ୍ରମୁଖ ସହର ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟିବେ ନବୀନ । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଏହା ପ୍ରଥମ ଜାପାନ ଏବଂ ତୃତୀୟ ବିଦେଶ ଗସ୍ତ । ୨୫ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ପଟ୍ଟନାୟକ ତୃତୀୟ ଥର ଲାଗି ବିଦେଶ ଗସ୍ତରେ ଯାଇଛନ୍ତି । ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାପାନର ନିବେଶକଙ୍କୁ ଭେଟିବେ । ଏପ୍ରିଲ ୪ରୁ ୯ ମଧ୍ୟରେ ଏକାଧିକ ବିଜନେସ ସମିଟ୍‌ ଓ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଜାପାନର ୩ ପ୍ରମୁଖ ସହରରେ ଏହି ସମ୍ମିଳନୀ ଆୟୋଜନ ହେବ । ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ନବୀନ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ କଣ ସୁଯୋଗ ରହିଛି ତାହା ନିବେଶକଙ୍କୁ ବୁଝାଇବେ ରାଜ୍ୟ ସରକାର । ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ସେନେଇ ତାଙ୍କୁ ଅବଗତ କରାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.