ETV Bharat / state

ନଡ୍ଡାଙ୍କ ଟାର୍ଗେଟ ପରେ କଂଗ୍ରେସ ପଚାରିଲା ୧୮ ପ୍ରଶ୍ନ, ବିଜେପି କହିଲା କଂଗ୍ରେସର ପ୍ରଶ୍ନ କରିବାର ଅଧିକାର ନାହିଁ

author img

By

Published : Jun 24, 2023, 9:34 PM IST

କଳାହାଣ୍ଡିରେ ଆୟୋଜିତ ବିଜେପିର ଜନସମ୍ପର୍କ ସମାବେଶରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାପରେ ମୋଦି ସରକାରଙ୍କ ୯ ବର୍ଷ ନେଇ କଂଗ୍ରେସ ପଚାରିଛି ୧୮ ପ୍ରଶ୍ନ । ସେପଟେ କଂଗ୍ରେସର ପ୍ରଶ୍ନ କରିବାର ଅଧିକାର ନାହିଁ ବୋଲି କହିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେପିର ୯ ବର୍ଷ, କଂଗ୍ରେସର ୧୮ ପ୍ରଶ୍ନ
ବିଜେପିର ୯ ବର୍ଷ, କଂଗ୍ରେସର ୧୮ ପ୍ରଶ୍ନ

ଭୁବନେଶ୍ବର: ବିଜେପିର ଜନସମ୍ପର୍କ ସମାବେଶରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାପରେ ଆଜି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାଜ୍ୟର କ୍ଷତି ପାଇଁ ୯ଟି ପ୍ରଶ୍ନ ଏବଂ ଦେଶର କ୍ଷତି ପାଇଁ ୯ଟି ପ୍ରଶ୍ନ ପଚାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ମୋଦି ସରକାରଙ୍କ ୯ ବର୍ଷର ସଫଳତା ବିଜେପି ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ କଂଗ୍ରେସ ପଚାରିଛି ୧୮ ପ୍ରଶ୍ନ । ସେପଟେ କଂଗ୍ରେସକୁ କାଉଣ୍ଟର କରିଛି ବିଜେପି । କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚାଇବା ପାଇଁ କେବଳ ଏମିତି ସାମ୍ବାଦିକ ସମ୍ମିଳନୀ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

'ଏ ରାଜ୍ୟ ସରକାର ପୂର୍ଣ୍ଣ ଦୁର୍ନିତିମୁକ୍ତ କି ?': ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ରାଜ୍ୟର ସ୍ବାର୍ଥ ବିରୋଧରେ ଯାଇ କଂଗ୍ରେସ ସମୟରୁ ଚାଲୁଥିବା କେତୋଟି ସ୍କିମ ବନ୍ଦ କରାଯାଇଛି ତାର ଉତ୍ତର ରଖୁ ବିଜେପି । ରାଜ୍ୟର ସ୍ବାର୍ଥ ବିରୋଧରେ ଯାଇ କଂଗ୍ରେସ ଦେଇ ଆସୁଥିବା ଅଂଶ ବଦଳାଇ ୬୦-୪୦ କରିବା ଫଳରେ କେତେ ଟଙ୍କାର ଋଣ ରାଜ୍ୟ ଉପରେ ବଢାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ସିବିଆଇ ଓ ଇଡି ଚଢାଉ କେତେ ରାଜନେତାଙ୍କ ଉପରେ କରିଛି ଆଉ ଓଡ଼ିଶାରେ କେତେଥର କରିଛି ତାର ଉତ୍ତର ରଖ । ଏ ରାଜ୍ୟ ସରକାର ପୂର୍ଣ୍ଣ ଦୁର୍ନିତିମୁକ୍ତ କି ? କେହି ତ ଜଣେ ହେଲେ କାହିଁକି ଗିରଫ ହୋଇନାହାନ୍ତି । ମୋଦି -ଶାହା ସରକାରଙ୍କ ଲୋକ ବିରୋଧୀ ଓ ସମସ୍ତ ଅପକର୍ମକୁ ସମର୍ଥନ ଦେଇ ରାଜ୍ୟ ସରକାର କେତେଥର କେନ୍ଦ୍ର ସରକାର ଦ୍ବାରା ପୁରସ୍କୃତ ହୋଇଛନ୍ତି ? କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ବାଃ ବାଃ ନେଇଛନ୍ତି । ରାଜ୍ୟରେ ଘୋଷଣା କରିଥିବା ବିଶ୍ବସ୍ତରୀୟ ବ୍ୟବସ୍ଥା କେତେ ଥର ଓ କଣ ପାଇଁ କରିଛ ଏବଂ ସେଥିମଧ୍ୟରୁ କେତେଗୋଟି କେଉଁଠି ହୋଇଛି ? ରାଜ୍ୟରେ ଖଣି, ଖାଦାନ ଲୁଟରେ ରାଜ୍ୟ ସରକାରଙ୍କୁ କି ସାହାଯ୍ୟ କେନ୍ଦ୍ର ଦେଇଛି ? ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମ୍ପର୍କ ରଖିବା ପାଇଁ କେଉଁ କେଉଁ ବ୍ୟବସାୟୀ ଓ ଅଫିସରଙ୍କ ସହଯୋଗ ନେଇଛି ବିଜେପି ?" ୨୦୧୪ରୁ ୨୦୨୩ ମଧ୍ୟରେ ଆନୁପାତିକ ହାରରେ କେନ୍ଦ୍ରର ରାଜ୍ୟକୁ ଅନୁଦାନ ହାର କେତେ କମିଛି ବୋଲି ପଚାରିଛି କଂଗ୍ରେସ ।

'ଦେଶର ଋଣଭାର ୩ ଗୁଣା କାହିଁକି ବଢିଛି ?': ସେହିପରି ଦେଶର କ୍ଷତି ପାଇଁ ମଧ୍ୟ ୯ଟି ପ୍ରଶ୍ନ ପଚାରିଛି କଂଗ୍ରେସ । ପଞ୍ଚାନନ ପଚାରିଛନ୍ତି, "ଗତ ୧୦ ବର୍ଷରେ ଦେଶରେ ସମୃଦ୍ଧି ହାରରେ ସଠିକ ବିବରଣୀ ଦେଉ ବିଜେପି । ଗତ ୯ ବର୍ଷରେ ଦେଶ ଉପରେ ଋଣ ଚାପ କାହିଁକି ଏତେ ବଢିଛି ? ୨୦୧୪ରେ ୫୫.୮୭ ଲକ୍ଷ କୋଟି ଥିବାବେଳେ ୨୦୨୩ରେ ୧୫୫.୩୧ ଲକ୍ଷ କୋଟି ପାଖାପାଖି ୩ ଗୁଣ କାହିଁକି ବଢିଛି ? କୁଆଡେ ଗଲା ୫ ଟ୍ରିଲିୟନ ଡଲାର ଅର୍ଥନୀତି ? କୁଆଡେ ଗଲା ସବୁ ଧନଜନ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ? କାହିଁକି ଏ ଦର ବୃଦ୍ଧି ? ପେଟ୍ରୋଲ, ଡିଜେଲ, ଗ୍ୟାସ, ଡାଲି ଓ ତେଲ ଉପରେ ଦର ବୃଦ୍ଧି କାହିଁକି ? କୋଇଲା ଦୁର୍ନୀତି ଓ 2G ସ୍କାମ ଅଭିଯୋଗରେ କାହାକୁ ଗିରଫ କରି କେତେ ଟଙ୍କା ଉଦ୍ଧାର ହୋଇଛି ? ମଧ୍ୟମବର୍ଗ ଆୟକାରୀଙ୍କ ସଂଖ୍ୟା କମିଲା କାହିଁକି ? ରେଳ ଦୁର୍ଘଟଣା ବଢିଛି କାହିଁକି ? ଦେଶର ଚାଷୀ ଓ ଚାଷର ଅଧୋଗତି କାହିଁକି ?" ଏହିପରି ମୋଟ ୧୮ଟି ପ୍ରଶ୍ନ ପଚାରି ବିଜେପି ଏହାର ଉତ୍ତର ରଖୁ ବୋଲି ଦାବି କରିଛି କଂଗ୍ରେସ ।

'କଂଗ୍ରେସର ପ୍ରଶ୍ନ କରିବାର ଅଧିକାର ନାହିଁ': ସେପଟେ କଂଗ୍ରେସର ଏପରି ପ୍ରଶ୍ନକୁ କାଉଣ୍ଟର କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ବିଜେପି ଶାସନକୁ ଆସିବା ଦିନଠାରୁ ଲୋକଙ୍କ ପାଖକୁ ଯାଇ ଉତ୍ତର ରଖୁଛି । ଗତକାଲି ୯ ବର୍ଷର ରିପୋର୍ଟ କାର୍ଡ ନଡ୍ଡା ରଖିଛନ୍ତି । କଂଗ୍ରେସ ବିଜେପି ବଦଳରେ ନିଜକୁ ପ୍ରଶ୍ନ କରୁ ତା ଶାସନ ସମୟରେ କଣ କରିଥିଲା । ଏବେ ବିଜେପି ଶାସନରେ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇଛି । ବିଶ୍ଵଗୁରୁ ହେବାର ଶୀର୍ଷରେ ଭାରତ ପହଞ୍ଚି ସାରିଛି । ହେଲେ ଭାରତ ମାନଚିତ୍ରରୁ କଂଗ୍ରେସ ଲୋପ ହେବାକୁ ବସିଛି । ନିଜର ଅସ୍ତିତ୍ଵ ବଞ୍ଚାଇବା ପାଇଁ କେବଳ ଏମିତି ସାମ୍ବାଦିକ ସମ୍ମିଳନୀ କରୁଛି କଂଗ୍ରେସ । ବାସ୍ତବରେ କଂଗ୍ରେସର ପ୍ରଶ୍ନ କରିବାର ଅଧିକାର ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.