ETV Bharat / state

Cabinet Reshuffle: ବିଜେପି କହିଲା ନୂଆ ବୋତଲରେ ପୁରୁଣା ମଦ, ଜବାବ ରଖିଲା BJD

author img

By

Published : May 22, 2023, 4:45 PM IST

ଆଜି ପୂର୍ବାହ୍ନରେ ଶପଥ ନେଇଛନ୍ତି ୩ ନୂଆ ମନ୍ତ୍ରୀ । ତେବେ ଏହାକୁ କଟାକ୍ଷ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର । ନୂଆ ବୋତଲରେ ପୁରୁଣା ମଦ ବୋଲି କହି କଟାକ୍ଷ କରିଛନ୍ତି ଗୋଲକ । ସେପଟେ ବିରୋଧୀଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢ଼ନ୍ତୁ

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳକୁ ନେଇ ବିଜେଡି ବିଜେପି ମୁହାଁମୁହିଁ
ମନ୍ତ୍ରୀ ମଣ୍ଡଳ ଅଦଳ ବଦଳକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ଭୁବନେଶ୍ବର: ମନ୍ତ୍ରୀ ମଣ୍ଡଳ ଅଦଳ ବଦଳକୁ ନେଇ ଶାସକ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର । ନୂଆ ବୋତଲରେ ପୁରୁଣା ମଦ ବୋଲି କହି କଟାକ୍ଷ କରିଛନ୍ତି ଗୋଲକ । ନୂଆ ମନ୍ତ୍ରୀ ପଦ ମିଳିଥିବା ନେତା ମାନେ ଦକ୍ଷ ଏବଂ ବରିଷ୍ଠ ବୋଲି କହି ମନ୍ତ୍ରୀ ପଦ ଦିଆଗଲା । ଏମାନେ କଣ ଆଗରୁ ଦକ୍ଷ ନଥିଲେ କି ବୋଲି ପ୍ରଶ୍ନ କରିବା ସହ ଆଗରୁ କାହିଁକି ବାହାର କରାଯାଇଥିଲା ବୋଲି ପଚାରିଛି ବିଜେପି । ଓଡ଼ିଶାରେ ସରକାର ଚଳାଉଛି କିଏ ବୋଲି ଆଗରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଚାରିଥିବା ପ୍ରଶ୍ନକୁ ଦୋହରାଇଲେ ଗୋଲକ । ସେପଟେ ପ୍ରତିକ୍ରିୟାରେ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଗୋଲକ କହିଛନ୍ତି, "ଶିକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ରାତିଅଧିଆ ବାହାର କରିଦିଆଯାଉଛି । ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ବାହାର କରି ଶିକ୍ଷା ସହ ଖେଳ ଖେଳୁଛନ୍ତି । ଖାଲି ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରାଯାଉଛି । ଏଥିରେ କିଛି ନୂତନତ୍ବ ନାହିଁ । ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ୧୨୦ ଦିନ ବିତିଯାଇଥିଲେ ମଧ୍ୟ ତାର କାରଣ ଏବେ ଅସ୍ପଷ୍ଟ । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ବାହାର କଲେ । ଶ୍ରୀକାନ୍ତ ସାହୁଙ୍କୁ ବାହାର କଲେ । ସରକାର ମାନୁଛନ୍ତି ଏମାନେ ଦୋଷୀ ବୋଲି । ତାହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ସେହିଭଳି ମମିତା ମେହେର କେସରେ ଦିବ୍ୟଶଙ୍କରଙ୍କ ନାମ ନେଇଥିଲୁ, ନୟାଗଡ଼ର ପରି କେସରେ ଅରୁଣ ସାହୁଙ୍କ ନାମ ନେଇଥିଲୁ, ଯେଉଁ ଯେଉଁ ନାମ ଆମେ ନେଇଥିଲୁ ତାଙ୍କୁ ସଙ୍ଗେ ସଙ୍ଗେ ଦାୟିତ୍ଵରୁ ବାହାର କରୁନାହାନ୍ତି । କିନ୍ତୁ ପରେ ଦାୟିତ୍ଵମୁକ୍ତ କରୁଛନ୍ତି । ତାହେଲେ ସରକାର ମାନୁଛନ୍ତି ଯେ ତାଙ୍କ ମନ୍ତ୍ରୀମାନେ କେଉଁ କେଉଁ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେଣୁ ମନ୍ତ୍ରୀ ବଦଳିଲେ ଶାସନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ମନ୍ତ୍ରୀ ମାନେ କେବଳ ନାମକୁ ମାତ୍ର ରବର ଷ୍ଟାମ୍ପ । କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ । ଯାହା କରୁଛନ୍ତି କେବଳ ଧର୍ମକୁ ଆଖି ଠାର । ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ୨୦୨୪ରେ ସରକାର କରିବ ବିଜେପି ।"

ସେପଟେ ଏହାର ପ୍ରତିକ୍ରିୟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିରୋଧୀ ତ ବିରୋଧ କରିବେ । ସେମାନେ ଖାଲି ଭୁବନେଶ୍ବରରେ ବୟାନ ବାଜି କଲେ କିଛି ହେବନାହିଁ । ବିଜେପି ନେତାମାନେ ଲୋକମାନଙ୍କ ପାଖକୁ ଯାଆନ୍ତୁ । ତିନି ନୂତନ ମନ୍ତ୍ରୀଙ୍କର ଅଭିଜ୍ଞତା ରହିଛି । ବିରୋଧୀ ତ ଗଛଚଢ଼ି ପାରୁନାହାନ୍ତି ତେଣୁ ସେମାନେ ଏଭଳି ଧାରଣା ସୃଷ୍ଟି କରୁଛନ୍ତି । ଲୋକମାନେ ଜାଣିଛନ୍ତି ରାଜ୍ୟରେ ମନ୍ତ୍ରୀ ମାନେ, ବିଧାୟକ ମାନେ ଲୋକମାନଙ୍କ ପାଖକୁ ଯାଉଛନ୍ତି । ସଚିବ ମାନଙ୍କର ପାୱାର ଓ ମନ୍ତ୍ରୀମାନଙ୍କ ପାୱାରରେ ମିଳିତ ଭାବେ ରାଜ୍ୟ ଚାଲିଛି । ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.