ETV Bharat / state

ରାଜଧାନୀ ଏକ୍ସପ୍ରେସରେ ତେଜସ ରେକ୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

author img

By

Published : Aug 14, 2023, 4:09 PM IST

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ତେଜସ୍‌ ରେକ୍‌ । ୱାଇ-ଫାଇଠୁ ଆରମ୍ଭ କରି ସ୍ୱୟଂଚାଳିତ ଡୋର୍, ଭ୍ୟାକୁମ ଟଏଲେଟ, ଇନଫୋଟେନମେଣ୍ଟର ସୁବିଧା ପାଇବେ ଯାତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜଧାନୀ ଏକ୍ସପ୍ରେସରେ ତେଜସ ରେକ୍‌

ଭୁବନେଶ୍ବର: ରାଜଧାନୀ ଏକ୍ସପ୍ରେସରେ ଲାଗିଲା ତେଜସ୍‌ ରେକ୍‌ । ତେବେ ଏହି ରେକ୍‌ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ ଘଣ୍ଟା ପ୍ରତି ୧୩୦ରୁ ୨୦୦ କିଲୋମିଟର ବେଗରେ ଗତି କରିବ । ତେବେ ଅନ୍ୟ ଟ୍ରେନ ତୁଳନାରେ ଏହି ଟ୍ରେନରେ ଅନେକ ଅତ୍ୟାଧୁନିକ ସେବାର ସୁବିଧା ପାଇପାରିବେ ଯାତ୍ରୀ । ସ୍ବୟଂଚାଳିତ ଡୋର୍‌ଠାରୁ ଆରମ୍ଭ କରି ଆରାମଦାୟକ ସିଟ୍‌, ଡିଜିଟାଲ ଡେଷ୍ଟିନେସନ୍‌ ବୋର୍ଡ, ଭ୍ୟାକୁମ୍‌ ଟଏଲଟ ଭଳି ଅତ୍ୟାଧୁନିକ ସୁବିଧା ରହିଥିବା ବେଳେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି ।

ତେଜସ୍‌ ରେକ୍‌ ଟ୍ରେନରେ କଣ ରହିବ ସୁବିଧା ? : ଏଥିରେ ସ୍ୱୟଂଚାଳିତ ଡୋର୍ (ଅଟୋମେଟିକ୍‌ ଏଣ୍ଟ୍ରାନ୍ସ ପ୍ଲଗ୍‌ ଟାଇପ୍‌ ଡୋର୍‌) ରହିଛି । ସମସ୍ତ କୋଚ୍‌ରେ ସିଟ୍ଗୁ‌ଡ଼ିକ ଆରାମଦାୟକ (ଇ-ଲେଦର ଅପହୋଲଷ୍ଟ୍ରେ) ରହିଛି । ଟ୍ରେନ୍‌ରେ ୯ଟି ବାୟୋ ଭ୍ୟାକ୍ୟୁମ୍‌ ଟଏଲେଟ୍‌ ରହିଛି । ଅନ୍ୟ ସମସ୍ତ କୋଚ୍‌ରେ ଥିବା ଟଏଲେଟଗୁଡ଼ିକରେ ସାଧାରଣ ଫ୍ଲସିଂ ବ୍ୟବସ୍ଥା ରଖାଯାଇଛି । ଟ୍ରେନ୍‌ରେ ସୂଚନା ମିଳିବା ସହିତ ମନୋରଞ୍ଜନ (ଇନଫୋଟେନମେଣ୍ଟ)ର ସମସ୍ତ ବ୍ୟବସ୍ଥା କରାଯାଇଛି । ପାସେଞ୍ଜର ଇନଫରମେସନ୍‌ ସିଷ୍ଟମ୍‌ ଆଣ୍ଡ ଡିଜିଟାଲ୍‌ ଡେଷ୍ଟିନେସନ୍‌ ବୋର୍ଡ ରହିଛି । ଯାହା ଏକ ଷ୍ଟେସନ ଆସିଲେ ଯାତ୍ରୀମାନଙ୍କୁ ସୂଚନା ଦେବାରେ ସଫଳ ହେବ । ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ୍‌ ପାସେଞ୍ଜର ରିଜରଭେସନ୍‌ ଚାଟ୍‌ ରହିବ । ଚେୟାରର ପଛ ପଟେ ଏଲ୍‌ସିଡି ଲାଇଟ୍ ରହିଛି ।

ୱାଇ-ଫାଇର ସୁବିଧା ମଧ୍ୟ ରଖାଯାଇଛି । ଫାୟାର୍‌ ଓ ସ୍ମୋକ୍‌ ଡିଟେକ୍ସନ ସିଷ୍ଟମ ମଧ୍ୟ ରଖାଯାଇଛି । ଅଗ୍ନି ନିରାପତ୍ତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ କୋଚ ରହିଛି । ଅତ୍ୟାଧୁନିକ ଇଣ୍ଟିରିୟର୍‌ ଡିଜାଇନ କରାଯାଇଛି । ସ୍ମାର୍ଟ ୱିଣ୍ଡୋ ଓ ଅଟୋମେଟିକ ଭେନେଟିଆନ୍‌ ବ୍ଲିଣ୍ଡସ ରହିଛି । ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ବି ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଟ୍ରେନର ପ୍ରତି କୋଣ ଅନୁକୋଣରେ ଏସି ପବନ ପହଞ୍ଚିବାର ସୁବିଧା ରଖାଯାଇଛି ।

ଏହା ବି ପଢନ୍ତୁ- First Aluminum Freight Rake of India: ଭୁବନେଶ୍ବରରେ ଶୁଭାରମ୍ଭ କଲେ ଅଶ୍ବିନୀ

ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱାନି ବୈଷ୍ଣବ କହିଛନ୍ତି, "ଆଜି ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସକୁ ତେଜସରେ ପରିବର୍ତ୍ତନ କରାଯାଉଛି । ପୂର୍ବରୁ ଆଇଏସ୍‌ଏଫ୍‌ କୋଚ୍‌ ଥିଲା ଏବେ ଏଲ୍‌ଏଚ୍‌ କୋଚ୍‌ ଅନେକ ଟ୍ରେନରେ ଲାଗିଛି । ଏହାଠାରୁ ଭଲ ସୁରକ୍ଷିତ ହେଉଛି ତେଜସ୍‌ କୋଚ୍‌ । ଏଥିରେ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବ । ପୂର୍ବରୁ ଓଡ଼ିଶାରେ ନୂଆ ଟ୍ରାକ୍‌ ମାତ୍ର ବର୍ଷକୁ ୫୩ କିଲୋମିଟର ହେଉଥିଲା ଏବଂ ସେହି ସମୟରେ ବଜେଟ ୮୦୦ କୋଟି ଥିଲା ବେଳେ ଏବେ ବର୍ଷକୁ ୪୫୯ କିଲୋମିଟର ଟ୍ରେନ ଲାଇନ ବଢ଼ିଛି । ଯାହା ୮ ଗୁଣ କାମ ବଢିଛି । ସେହିପରି ବଜେଟ ମଧ୍ୟ ହଜାର ହଜାର କୋଟିରେ ପହଁଚିଛି ।"

ଟେଲିକମ ବ୍ୟବହାରରେ ମଧ୍ୟ ଆଗେଇଛି ଓଡ଼ିଶା:- ଗତ ୨୦୧୪ରେ ଟେଲିକମ୍‌ରେ ମାତ୍ର ୭ ହଜାର ୫୬୨ ଟାୱାର ରହିଥିଲା । ଏବେ ୨୦୨୩ ମସିହାରେ ୨୬ ହଜାର ୫୧୨ ଟାୱାର ରହିଛି । ବିଡିଏସ୍‌ ୨୦୧୪ ମସିହାରେ ୨୨ ହଜାର ୯୪୨ ରହିଥିବା ବେଳେ ଏବେ ୮୫ ହଜାର ୫୫୬ ରହିଛି । ସେହିପରି ଭାବରେ ବ୍ରଡ୍‌ବ୍ୟାଣ୍ଡ୍‌ ୨୦୧୪ରେ ୬ ଲକ୍ଷ ଇଣ୍ଟରନେଟ୍‌ ଯୋଗାଇ ଦିଆଯାଉଥିବା ବେଳେ ଏବେ ୨ କୋଟି ୨୦ ଲକ୍ଷ ଇଣ୍ଟରନେଟ୍‌ ଯୋଗାଇ ଦିଆଯାଉଛି । ଅପଟିକାଲ ଫାଇବର ୨୦୧୪ରେ ୪୦ ହଜାର କିଲୋମିଟର ରହିଥିବା ବେଳେ ଏବେ ୧ ଲକ୍ଷ ୩୭ କିଲୋମିଟର ରହିଛି । ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ 5G ଆସିଲା ଏବେ ୩୦ଟି ଜିଲ୍ଲାରେ 5ଜି ସର୍ଭିସ ରହିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ।

ଖୁବଶୀଘ୍ର ଭୁବନେଶ୍ଵରରୁ ରାଉରକେଲା ବନ୍ଦେ ଭାରତ ଟ୍ରେନ:- ଓଡ଼ିଶା ପାଇଁ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍‌ ଆସିବ । ଭୁବନେଶ୍ଵରରୁ ରାଉରକେଲା ଗଡ଼ିବ । ଯାହା ସୁନ୍ଦରଗଡ଼ ଝାରସୁଗୁଡ଼ା ଅନୁଗୋଳ ଦେଇ ଭୁବନେଶ୍ଵର ଆଉ ରାଉରକେଲାକୁ ଗଡ଼ିବ । ଏହାକୁ ଖୁବଶୀଘ୍ର ଓଡ଼ିଶାରେ କରାଯିବ । ବନ୍ଦେ ଭାରତ ଟ୍ରେନକୁ ନେଇ ଅନେକ ଦିନରୁ ଲୋକମାନଙ୍କର ଅନୁରୋଧ ରହିଆସିଛି ।

ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଭାରତକୁ ବିକଶିତ କରିବାକୁ ପଡ଼ିବ । ଭୁବନେଶ୍ଵର ରେଳ ଷ୍ଟେସନରେ ସ୍ଵାଧୀନତା ପରେ ଯେତେ କାମ ହୋଇଛି ତାହା ଅଧିକ କାମ ହୋଇଛି ଏହି ଦୁଇ ତିନି ବର୍ଷ ହେଲା । ଏହାରି ମଧ୍ୟରେ ନବକଳେବର ହେବ ଭୁବନେଶ୍ଵର ଷ୍ଟେସନ ।" ଆଜି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ରର ଦୁଇ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ ଧମେନ୍ଦ୍ର ପ୍ରଧାନ । ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ-ବିଧାୟକ ଅନନ୍ତ ନାରାୟଣ ଜେନା ସମେତ ରେଳ ବିଭାଗର ପୂର୍ବତଟ ରେଳ ପ୍ରବନ୍ଧକ ଏବଂ ଖୋର୍ଦ୍ଧା ଡିଆରଏମ ଉପସ୍ଥିତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.