Rare Operation: ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ, ଚାଲିବେ ପଙ୍ଗୁପ୍ରାୟ ରୋଗୀ
ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଏକ ବିରଳ ପ୍ରତିରୋପଣ ହୋଇଛି । ଏହି ବିରଳ ଅପରେସନ ସଫଳ ହେବା ପରେ ପଙ୍ଗୁପ୍ରାୟ ହୋଇଯାଇଥିବା ରୋଗୀ ଜଣକ ଭଲ ଭାବେ ଚାଲିପାରିବେ । ଏହି ଅପରେସନ ଓଡ଼ିଶାରେ ପ୍ରଥମ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ
ଭୁବନେଶ୍ବର: ଏମ୍ସ (AIIMS)ର ପ୍ରଥମ ଦଶନ୍ଧିର ସ୍ବର୍ଣ୍ଣିମ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ପଙ୍ଗୁପ୍ରାୟ ହୋଇଯାଇଥିବା ରୋଗୀଙ୍କର ୨ ଆଣ୍ଠୁ ଓ ୨ ହିପର ସଫଳ ପ୍ରତିରୋପଣ ହୋଇଛି । ଏଭଳି ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହୋଇଛି । ପ୍ରାୟ ୩ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ସଫଳ ହୋଇଛି ଏହି ଅସ୍ତ୍ରୋପଚାର । ଫଳରେ ପୂର୍ବରୁ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ରୋଗୀ ଜଣକ ଏବେ ଭଲ ଭାବେ ଚାଲିପାରିବେ ବୋଲି ଜଣାପଡ଼ିଛି ।
କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ବଞ୍ଚୁଥିଲେ। ସ୍ବାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣକ ଗୁରୁଣ୍ଡିବା ସ୍ଥିତିକୁ ଆସିଯାଇଥିଲେ। ଦୈନନ୍ଦିନ ଜୀବରେ ଭୀଷଣ ଯନ୍ତ୍ରଣା ଭୋଗୁଥିବା ମହିଳା ରୋଗୀଜଣଙ୍କ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁନଥିଲେ କିମ୍ବା କୌଣସି କାମ କରିପାରୁନଥିଲେ । ଏପରି ଅବସ୍ଥାରେ ଥାଇ ଉକ୍ତ ମହିଳାଜଣଙ୍କ ଏମ୍ସ ଭୁବନେଶ୍ବରର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ।

ମହିଳାଙ୍କର ଉଭୟ ଆଣ୍ଠୁ ଏବଂ ଦୁଇ ନିତମ୍ବ ଗଣ୍ଠି(ହିପ୍)ର ପ୍ରତିରୋପଣ ଆବଶ୍ୟକ ଥିବା ପରୀକ୍ଷାନିରୀକ୍ଷା ପରେ ଅସ୍ଥିଶଲ୍ୟ ଡାକ୍ତରମାନେ ମତ ଦେଇଥିଲେ। ତେବେ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ। ଏପରି ବିରଳ ପ୍ରତିରୋପଣ ଡାକ୍ତରୀ ଦଳ ଆଗରେ ଅନେକ ଆହ୍ବାନ ଥିଲା । ତେବେ ବିଭିନ୍ନ ଡାକ୍ତରୀ ଅବସ୍ଥାକୁ ତର୍ଜମା କରିବା ସହିତ ଅତ୍ୟନ୍ତ ସତର୍କତାର ସହିତ ଡାକ୍ତରୀ ଦଳ ପ୍ରଥମେ ମହିଳାଜଣଙ୍କର ଦୁଇ ନିତମ୍ବ ଗଣ୍ଠି(ହିପ୍)ର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ।
ଏହା ବି ପଢନ୍ତୁ- ୧୪ରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀ, ଯୋଗଦେବେ ସମସ୍ତ ଜିଲ୍ଲାପାଳ
ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା । ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା । ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଏବଂ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ ଏବଂ ଡ. ମଣ୍ଟୁ ଜୈନଙ୍କ ନେତୃତ୍ବରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ । ପ୍ରତିରୋପଣ ଏବଂ ଅସ୍ତ୍ରୋପଚାର ସରକାରୀ ଯୋଜନାରେ ମାଗଣାରେ ହୋଇଥିଲା ।

ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ପ୍ରତିରୋପଣ ହୋଇଥିବା ମହିଳାଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଜଟିଳ ମାମଲା ସଫଳତାର ସହିତ ପରିଚାଳନା କରି ରୋଗୀଙ୍କୁ ପୁନର୍ବାର ଚାଲିବାର ସୁଯୋଗ ଦେଇଥିବାରୁ ଡାକ୍ତରୀ ଦଳକୁ ଡ. ବିଶ୍ବାସ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ଅସ୍ତ୍ରୋପଚାର ବିରଳ ଏବଂ ଅତ୍ୟଧିକ ସତର୍କତାର ସହିତ କରାଯିବା ଆବଶ୍ୟକ । ଏମ୍ସ ଭୁବନେଶ୍ବରରେ ଏପରି ପ୍ରତିରୋପଣ ଜନସେବା ପ୍ରତି ଥିବା ଏହି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

