ETV Bharat / state

ଶିକ୍ଷାଗତ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ମୋ ସ୍କୁଲ, ବଢୁଛି ଛାତ୍ରଛାତ୍ରୀଙ୍କ ସଂଖ୍ୟା

author img

By

Published : Jun 25, 2023, 8:49 PM IST

ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ହେବ ରୂପାନ୍ତରଣ । ଚତୁର୍ଥ ପର୍ଯ୍ୟାୟରେ ୧୫୦୦ରୁ ଊର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରାଯିବ । ଅଧିକ ପଢ଼ନ୍ତୁ

mo school abhiyan
ମୋ ସ୍କୁଲ ଅଭିଯାନ

ମୋ ସ୍କୁଲ ଅଭିଯାନ

ଭୁବନେଶ୍ବର: ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ହେବ ରୂପାନ୍ତରଣ । ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି । ଏହି ପର୍ଯ୍ୟାୟରେ ୧୫୦୦ରୁ ଊର୍ଦ୍ଧ୍ବ ହାଇସ୍କୁଲର ରୂପରେଖ ବଦଳିବ । ଏନେଇ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ସ୍କୁଲ ଗୁଡ଼ିକ ରୂପାନ୍ତରଣ ଶେଷ ହେବ ବୋଲି ସୂଚନା ମିଳିଛି ।

ଶିକ୍ଷାଗତ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ମୋ ସ୍କୁଲ । ଏହି ଯୋଜନାରେ ସାମିଲ ଥିବା ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଛି । ଭଲ ସ୍ମାର୍ଟ କ୍ଲାସ ସାଙ୍ଗକୁ ପାନୀୟ ଜଳ ଓ ପିଲାଙ୍କର ମୌଳିକ ସୁବିଧା ଉପଲବ୍ଧ ହେଉଛି । ମୋ ସ୍କୁଲ ଅଭିଯାନରେ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବରେ ନିର୍ମିତ ହୋଇଛି 4ଟି ଶ୍ରେଣୀଗୃହ ଏବଂ 2 ଶୌଚାଳୟ ବ୍ଲକ । ଅଧିକ ପିଲା ଥିବାରୁ ଶିକ୍ଷାଦାନ କ୍ଷେତ୍ରରେ ଅନେକ ଅସୁବିଧା ପରିଲକ୍ଷିତ ହେଉଥିଲା । ଯାହା ଫଳରେ ଛାତ୍ରଛାତ୍ରୀ ଭବିଷ୍ୟତ ଗଠନରେ ଗୁଣାତ୍ମକ ଭୂମିକା ଗ୍ରହଣ କରିବ । ଏହା ମାଧ୍ୟମରେ ଶିକ୍ଷା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି ।

ସ୍ମାର୍ଟ ଶ୍ରେଣୀଗୃହ, ଶୌଚାଳୟ ବ୍ଲକ ଏବଂ ପାନୀୟ ଜଳ ସୁବିଧା ନିର୍ମାଣ କରି ଶିକ୍ଷାଗତ ସମସ୍ୟାକୁ ଦୂର କରିବା ଏବଂ ବିଦ୍ୟାଳୟ ଭିତ୍ତିଭୂମିରେ ପରିବର୍ତ୍ତନଶୀଳ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ମୋ ସ୍କୁଲ । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ, ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ଭିତ୍ତିଭୂମି ତଥା ଗୁଣାତ୍ମକ ମାନର ଉନ୍ନତି ଦିଗରେ ବ୍ୟକ୍ତି ବିଶେଷ ତଥା ସଂଗଠନଗୁଡିକ ପାଇଁ ଏକ ମହତ୍ତ୍ବ ପ୍ଲାଟଫର୍ମ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।


ଏନେଇ ମୋ ସ୍କୁଲର ଅଭିଯାନର ସୁପ୍ରିତି ପାତ୍ର କହିଛନ୍ତି ଯେ, "ବିଭିନ୍ନ ସଙ୍ଗଠନ ମାଧ୍ୟମରେ ସ୍କୁଲର ଉନ୍ନତି ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି । ଯେପରିକି ସ୍କୁଲର ଭିତ୍ତିଭୂମି, ଖେଳ ପଡିଆ, ସ୍ମାର୍ଟ କ୍ଲାସ ରୁମ, ଓ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ଉପରେ ନଜର ମଧ୍ୟ ରଖାଯାଇଛି । ପିଲାମାନେ କିଭଳି ଭାବରେ ଆଗକୁ ପଢ଼ିବେ, ସ୍କୁଲର ବାତାବରଣ ଭଲ ରହିବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି । ତେବେ ରାଜ୍ୟରେ 88047 ହାଇ ସ୍କୁଲ ପ୍ରତି ଅନେକ ପଦକ୍ଷେପ ନିଆଯାଉଛି । ଯାହା ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ସ୍କୁଲ ଗୁଡ଼ିକ ରୂପାନ୍ତରଣ ହେବାର କାର୍ଯ୍ୟକ୍ରମ ରଖାଯାଇଛି ।"



ଅନ୍ୟପଟେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ, ସ୍କୁଲ ରୂପାନ୍ତରଣ ହେବା ଫଳରେ ଗତ ବର୍ଷ ପିଲାମାନଙ୍କ ସଂଖ୍ୟା ବଢିଥିଲା । ଚଳିତ ବର୍ଷ ମଧ୍ୟ ପିଲାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ହେଉଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପାଇଁ ନାମଲେଖା କରାଯାଉନାହିଁ । କାରଣ ଅଧିକ ପିଲା ନାମ ଲେଖାଇବା ଯୋଗୁଁ ଶ୍ରେଣୀ ଗୃହରେ ପିଲାମାନେ ବସିବାରେ ଅସୁବିଧା ଦେଖାଯାଉଛି । ୫-T ହେବା ପରେ ଅନେକ ପିଲାମାନେ ସ୍କୁଲକୁ ଆସୁଛନ୍ତି । ସ୍କୁଲର ଶିକ୍ଷକଙ୍କ ସହିତ ଅଭିଭାବକଙ୍କ ମଧ୍ୟରେ ସମ୍ପର୍କ ରହିଲେ ପିଲାଙ୍କ ଡ୍ରପ ଆଉଟ ସଂଖ୍ୟା କମିପାରେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ବେହେରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.