ETV Bharat / state

ଖାଦ୍ୟ ଅନ୍ବେଷଣରେ ଆସି କାନ୍ଥ ଭାଙ୍ଗିଲା ଦନ୍ତା, ଚାଲିଗଲା କୁନିପୁଅର ଜୀବନ

author img

By

Published : Nov 13, 2021, 10:56 AM IST

ହାତୀ ଆକ୍ରମଣରେ ୬ ବର୍ଷୀୟ ନାବାଳକର ମୃତ୍ୟୁ । କେନ୍ଦୁଝର ତେଲକୋଇ ବନଖଣ୍ଡ ରାଣୀବେଡା ନୂଆସାହିରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ଗଲା ୬ ବର୍ଷର ପୁଅ ଜୀବନ
ହାତୀ ଆକ୍ରମଣରେ ଗଲା ୬ ବର୍ଷର ପୁଅ ଜୀବନ

କେନ୍ଦୁଝର: ହାତୀ ଆକ୍ରମଣରେ ୬ ବର୍ଷୀୟ ନାବାଳକର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ତେଲକୋଇ ବନଖଣ୍ଡ ଅନ୍ତର୍ଗତ ରାଣୀବେଡା ନୂଆସାହିରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ରାତିରେ ପିଲାଟି ଶୋଇଥିବାବେଳେ ଦନ୍ତାହାତୀଟିଏ ତାଙ୍କ ଘର ଉପରେ ଆକ୍ରମଣ କରିଥିଲା । ଯାହାଦ୍ବାରା ଘରର କାନ୍ଥ ଭାଙ୍ଗି ପିଲାଟି ଉପରେ ଖସିପଡିବାରୁ ତା'ର ମୃତ୍ୟୁ ଘଟିଛି ।

ହାତୀ ଆକ୍ରମଣରେ ଗଲା ୬ ବର୍ଷର ପୁଅ ଜୀବନ

ସୂଚନାଯୋଗ୍ୟ, ନୂଆସାହିର ବିନୋଦ ମହାନ୍ତ ଗତକାଲି(ଶୁକ୍ରବାର) ରାତିରେ ଖାଇପିଇ ସ୍ତ୍ରୀ ,୬ ବର୍ଷର ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଆସି ତାଙ୍କ ଘର କାନ୍ଥ ଭାଙ୍ଗି ଦେଇଥିଲା । କାନ୍ଥ ଭାଙ୍ଗିବା ପରେ ଶୁଣ୍ଢରେ ତାଙ୍କ ଝିଅକୁ ଟାଣି ନେବାକୁ ଚେଷ୍ଟା କରୁଥିଲା । ହେଲେ ଝିଅଟିକୁ ମାଆ ହାତୀ କବଳରୁ ବଞ୍ଚାଇ ଦେଇଥିଲେ । ମାତ୍ର ହଠାତ୍ ଘର କଡରେ ଶୋଇଥିବା ୬ ବର୍ଷର ପୁଅ ନାରାୟଣ ଉପରେ କାନ୍ଥ ଖସିପଡିଥିଲା । ତୁରନ୍ତ ଗ୍ରାମବାସୀ ପିଲାଟିକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି । ହାତୀକୁ ଘଉଡାଇବା ସହ କ୍ଷତିଗ୍ରସ୍ତ ପରିବାରକୁ ବନ ବିଭାଗ ତୁରନ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ କେବଳ କେନ୍ଦୁଝର ତେଲକୋଇ ବନଖଣ୍ଡ ନୁହେଁ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ହାତୀ ଜନବସତି ମୁହାଁ ହେଉଥିବାର ଦେଖାଯାଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.