ETV Bharat / state

ଖସୁଛି ପାରଦ ଥରୁଛି କନ୍ଧମାଳ, ଶୀତୁଆ ସକାଳରେ ସତେଜ ଜିଲ୍ଲାବାସୀ

author img

By

Published : Nov 9, 2021, 8:02 PM IST

ସକାଳର ସବାରୀରେ ଶୀତ ଆସି କନ୍ଧମାଳରେ ପହଞ୍ଚିଛି । ପ୍ରବଳ ଜାଡ଼ ଫୁଲବାଣୀ ସହ ସାରା କନ୍ଧମାଳକୁ ଥରାଇ ଦେଇଛି । ଅଧିକ ପଢ଼ନ୍ତୁ...

ଖସୁଛି ପାରଦ, ଥରୁଛି କନ୍ଧମାଳ, ଶୀତୁଆ ସକାଳରେ ସତେଜ ଜିଲ୍ଲବାସୀ
ଖସୁଛି ପାରଦ, ଥରୁଛି କନ୍ଧମାଳ, ଶୀତୁଆ ସକାଳରେ ସତେଜ ଜିଲ୍ଲବାସୀ

ଫୁଲବାଣୀ: ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ପାରଦ ଦିନକୁ ଦିନ ଯେତେ ଖସୁଛି ସେତିକି ଥଣ୍ଡାର ପ୍ରକୋପ ସେତେ ବୃଦ୍ଧି ହେଉଛି । ଘନ କୁହୁଡ଼ିର ଛାତି ଚିରି ଆସି ପାରୁନାହିଁ ସୂର୍ଯ୍ୟ କିରଣ । କୁହୁଡ଼ି ଏତେ ଯେ ସ୍ବଳ୍ପ ଦୂରତାରୁ ମଣିଷ ଚିହ୍ନିବା ମୁସ୍କିଲ୍‌ ହୋଇ ପଡ଼ୁଛି । ପତ୍ର ଓ ବୁଢ଼ିଆଣି ଜାଲରେ ପଡ଼ିଥିବା ମିଞ୍ଜିରି ମିଞ୍ଜିରି କାକର ଶୀତୁଆ ସକାଳ ସତେଜ ସମାଚାରରେ ସ୍ପର୍ଶ କରିଛି । ଘାସ ଉପରେ ପଡ଼ିଥିବା କାକର ସୂର୍ଯ୍ୟର ପହିଲି କିରଣ ପଡ଼ି ଚିକ୍‌ ଚିକ୍‌ କରୁଛି ।

ଖସୁଛି ପାରଦ, ଥରୁଛି କନ୍ଧମାଳ, ଶୀତୁଆ ସକାଳରେ ସତେଜ ଜିଲ୍ଲବାସୀ

ଘନ କୁହୁଡ଼ି ଲାଗି ରହିଥିବାରୁ ସକାଳୁ ପଦାକୁ ବାହାରିବା କାଠିକର ପାଠ ହୋଇ ପଡ଼ିଛି । ଘନ କୁହୁଡ଼ି କିଛି ଲୋକଙ୍କୁ ମଜା ଦେଉଥିବା ବେଳେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସମସ୍ୟା ଆଣି ଦେଇଛି । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ଫଳରେ ଘର ବାହାରକୁ ବାହାରି ପାରୁନାହାନ୍ତି ଲୋକେ ।

ଖାଲି ସକାଳେ କାହିଁକି ସଞ୍ଜ ନଇଁଲେ ପୁଣି ଶୀତର ରାଜୁତି ଆରମ୍ଭ ହୋଇ ଯାଉଛି । ଜନଶୁନ୍ୟ ହୋଇ ପଡୁଛି ରାସ୍ତା ଘାଟ । ଦୋକାନ ବଜାର ବି ଆଉ ଖୋଲା ରହୁନି । ଖାଁ ଖାଁ ଲାଗୁଛି ଗାଁ ସହର ରାସ୍ତା । ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଯାଏଁ ସଭିଁଙ୍କୁ ଜାଡ଼ରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ପାଖରେ ଦେଖିବାକୁ ମିଳୁଛି ।

ପ୍ରବଳ ଶୀତ ଯୋଗୁଁ ଖଟିଖିଆ ଓ ଦିନ ମଜୁରିଆ କାମକୁ ଯିବାକୁ ଅମଙ୍ଗ ହେଲେଣି । ସେପଟେ ଶୀତରେ ସହର ଚିତ୍ର କିଛି ଅଲଗା କଥା କହୁଛି । ଶୀତର ପହିଲି ସ୍ପର୍ଶ ପାଇବା ପରେ ସହରର ବଡ଼ବାବୁମାନେ ପାର୍କରେ କସରତ କରିବାକୁ ଭୁଲି ନାହାନ୍ତି । ଦେହରେ ଭଳିକି ଭଳି ଶୀତ ବସ୍ତ୍ର ପରିଧାନ କରି କିଏ ରାସ୍ତାରେ ମର୍ଣ୍ଣିଂ ୱାକ୍‌ କରୁଛି ତ କିଏ ପୁଣି ପାର୍କରେ ବ୍ୟାୟାମରେ ବ୍ୟସ୍ତ ରହିଛି ।

ସେପଟେ ଘନ କୁହୁଡ଼ିର ଚାଦର ତଳେ ଆହୁରି ସଜେଇ ହୋଇ ସୁନ୍ଦର ଦେଖା ଯାଉଛି କନ୍ଧମାଳର ପାକୃତିକ ଶୋଭାରାଜି । ନିଶବ୍ଦ ସକାଳରେ ଝରଣାର କୁଳୁକୁଳ ଶବ୍ଦ ସତେ ଯେମିତି ଗୀତ ଗାଉଛି । ପ୍ରବଳ ଶୀତ ଯୋଗୁଁ ମଙ୍ଗଳବାର ଫୁଲବାଣୀରେ ତାପମାତ୍ରରେ ୧୨ ଡିଗ୍ରୀକୁ ଖସି ଆସିଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ରାରେ ୧୧ ଡିଗ୍ରୀ ସେଲସିୟସ ରହିଛି ।

ଗତ ରବିବାର ଦାରିଙ୍ଗବାଡିରେ ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସ ରହିଥିଲା । ସେପଟେ ଫୁଲବାଣୀରେ ୧୨.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଖାଲି ସେତିକି ନୁହେଁ ଜିଲ୍ଲାର ବେଲଘର, ତୁମୁଡ଼ିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜି.ଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଏସବୁ ସ୍ଥାନରେ ବର୍ତ୍ତମାନ ପ୍ରବଳ ଶୀତ ଅନୁଭୁତ ହୋଇଛି ।

ଶୀତ ଋତୁରେ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି କନ୍ଧମାଳ ଜିଲ୍ଲା । ଜିଲ୍ଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା କୋହଳ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.