ETV Bharat / state

ଦୁର୍ଗମ ଅଞ୍ଚଳର କରୁଣ ଦୃଶ୍ୟ, ରାସ୍ତା ନଥିବାରୁ ଖଟିଆରେ ବୁହା ହେଲା ମୃତଦେହ

author img

By ETV Bharat Odisha Team

Published : Jan 9, 2024, 1:29 PM IST

Dead body carried in cot: ଗାକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ମହାପ୍ରୟାଣ ଗାଡି। ଖଟିଆରେ ବୁହା ହେଲା ମୃତଦେହ । ଅଧିକ ପଢନ୍ତୁ

ଖଟିଆରେ ବୁହା ହେଲା ମୃତଦେହ
dead body carried in cot

ଖଟିଆରେ ବୁହା ହେଲା ମୃତଦେହ

ଫୁଲବାଣୀ: ପୁଣି ସାମ୍ନାକୁ ଆସିଲା ଦୁର୍ଗମ ଅଞ୍ଚଳର କରୁଣ ଦୃଶ୍ୟ । ଗ୍ରାମକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତରେ । ମୃତକ ଜଣଙ୍କ ହେଉଛନ୍ତି ସରୁପଡା ଗ୍ରାମର ଅରବିନ୍ଦ କହଁର । ମହାପ୍ରୟାଣ ଗାଡିରେ ଡାକ୍ତରଖାନାରୁ ମୃତଦେହ ଧରି ଗାଁକୁ ଆଣିଥିଲେ ପରିବାର ଲୋକେ । କିନ୍ତୁ ଗାଁ ମଧ୍ୟକୁ ଯିବାକୁ ଭଲ ରାସ୍ତା ନଥିବାରୁ ଅଧାରେ ଅଟକିଥିଲା ମହାପ୍ରୟାଣ ଗାଡି । ସେଠାରୁ ମୃତଦେହକୁ ଏକ ଖଟିଆରେ ଧରି ଘରକୁ ନେଇଥିଲେ ମୃତକଙ୍କ ପରିବାର ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ-ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଗତ ଶନିବାର ଅରବିନ୍ଦ କହଁର ଅସୁସ୍ଥ ଥିବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରି କିଛି ଦୂରରେ ଅଟକି ଥିଲା । କିନ୍ତୁ ଠିକ ସମୟରେ ଅରବିନ୍ଦ ପହଞ୍ଚି ନପାରିବାରୁ ଆମ୍ବୁଲାନ୍ସ ଫେରି ଯାଇଥିଲା । ରବିବାର ପୁଣି ଆମ୍ବୁଲାନ୍ସକୁ ଡାକି କୌଣସି ପ୍ରକାରେ ଅରବିନ୍ଦଙ୍କୁ ଆଣି ପରିବାର ଲୋକେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅରବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପରିବାର ଲୋକେ ମହାପ୍ରୟାଣ ଗାଡିରେ ମୃତଦେହକୁ ଗାଁକୁ ନେଇଥିଲେ । ତେବେ ଗାଁ ପର୍ଯ୍ୟନ୍ତ ରାସ୍ତା ନ ଥିବାରୁ ପ୍ରାୟ ଅଧ କିଲୋମିଟର ଦୂରରେ ରହିଯାଇଥିଲା ଗାଡି । ସେଠାରୁ ଖଟିଆରେ ଭାର କରି ଗ୍ରାମବାସୀ ମୃତଦେହକୁ ଘର ପର୍ଯ୍ୟନ୍ତ ବୋହି ନେଇଥିଲେ ।

ସୂଚନା ଅନୁଯାୟୀ, ପଞ୍ଚାୟତ ମୁଖ୍ୟାଳୟ ସୁମେରବନ୍ଧ ଠାରୁ ସରୁପଡାର ଦୂରତା ମାତ୍ର ୪ କିମି । କିନ୍ତୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇପାରି ନାହିଁ । ଫଳରେ ଗ୍ରାମବାସୀ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟ ସମେତ ବଜାରହାଟ ପାଇଁ ବାହାରକୁ ଯିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ବାଧ୍ୟ ହୋଇ ଯାତାୟତ କରିବା ପାଇଁ ନିଜ ଉଦ୍ୟମରେ ମାଟି ରାସ୍ତାଟିଏ ତିଆରି କରିଛନ୍ତି । ମାତ୍ର ବର୍ଷା ହେଲେ ଧୋଇଯାଉଛି ଏହି ଅସ୍ଥାୟୀ ରାସ୍ତା । ତେଣୁ ଅନେକ ସମୟରେ ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡୁଛି । ଏ ନେଇ ବିଭାଗୀୟ ଯନ୍ତ୍ରୀ ବିବତ୍ସ କୁମାର ପୁଟିଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ ଅନୁଧ୍ୟାନ କରାଯିବ । ଯଦି ଆବଶ୍ୟକତା ଥାଏ, ତେବେ ରାସ୍ତା ନିର୍ମାଣ କରାଯିବ । ଯଦି ଗାଁକୁ ରାସ୍ତାଟିଏ ଥାନ୍ତା ବୋଧ ହୁଏ ଅରବିନ୍ଦ କହଁର ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରିଥାନ୍ତେ ଓ ସୁସ୍ଥ ହୋଇ ଘରକୁ ଫେରି ପାରିଥାନ୍ତେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.