ETV Bharat / state

Panchayat Poll: ଦୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

author img

By

Published : Feb 9, 2022, 7:41 PM IST

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଠାରେ କୌଣସି ମୌଳିକ ସୁବିଧା ପହଞ୍ଚିନଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ଦୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି
Panchayat Poll: ଦୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି(ବୁଧବାର) ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବା ସହ ଗାଁରେ ମଧ୍ୟ ପୋଷ୍ଟର ଧରି ମହିଳାମାନେ ଭୋଟ ବର୍ଜନ କରିବା ନେଇ ବୈଠକ କରିଛନ୍ତି । ସରକାରଙ୍କ ବିକାଶ ଯେଉଁଠି ଅପହଞ୍ଚ, ଯେଉଁଠି କେବେହେଲେ ନେତା ଓ ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ ସେଠି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପହଞ୍ଚିବ କେମିତି ବୋଲି ପ୍ରଶ୍ନ କରିଛନ୍ତି ସେମାନେ । ଦୁଣ୍ଡା ଗ୍ରାମବାସୀ ପଞ୍ଚାୟତକୁ ଆସିବାକୁ ହେଲେ ୧୬ କି.ମି ପାହାଡ଼ ଚଢି ଘାଟି ରାସ୍ତା ପାରିହୋଇ ଆସିବାକୁ ପଡିଥାଏ । ସେହିଭଳି ଜୁନାଗଡ଼ ବ୍ଲକକୁ ଆସିବାକୁ ହେଲେ ୨୬ କି.ମି ଯିବାକୁ ପଡେ । ରାସ୍ତା ନଥିବା ଯୋଗୁଁ ଲୋକେ ପାହାଡ଼ ଚଢି ଯିବା ଆସିବା କରିଥା’ନ୍ତି । ସେ ଟଙ୍କିକିଆ ଚାଉଳ ହେଉ ଅବା ଭତ୍ତା ପାଇଁ ବୃଦ୍ଧବୃଦ୍ଧା ମାନେ ପାହାଡ଼ ଚଢି ଅତି ଦୟନୀୟ ଅବସ୍ଥାରେ ଯିବା ଆସିବା କରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Panchayat Poll: ଦୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଯଦି କୌଣସି ରୋଗାଗ୍ରସ୍ତ ଲୋକ, ଗର୍ଭବତୀ କିମ୍ବା ପ୍ରସୂତୀକୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ଥୁଆମୂଳ ରାମପୁର ଅଞ୍ଚଳର କିଆପଦର ଦେଇ ୩୭ କି.ମି ଭବାନୀପାଟଣା ଡାକ୍ତରଖାନାକୁ ନେଇଥାନ୍ତି । ଗାଁରେ ୨ଟି ନଳକୂପ ଓ ଗୋଟିଏ ସୋଲାର ପମ୍ପ ଥିବାବେଳେ ଗୋଟିଏ ନଳକୂପ ଓ ସୋଲାର ପମ୍ପ ଖରାପ ହୋଇପଡିଛି । ଫଳରେ ଲୋକେ ନାଳର ଦୂଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅନେକ ଲୋକ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ବର୍ଷରେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି ୩୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି । ସମସ୍ୟା ନେଇ ଲୋକେ ସ୍ଥାନୀୟ ବିଧାୟକ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଏନେଇ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଜଣାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.