ETV Bharat / state

ଏ କି ବ୍ୟବସ୍ଥା: ମ୍ୟାଟ୍ରିକ ପରୀକ୍ଷା ପାଇଁ 20 କିମି, ଅସୁବିଧା ଭୋଗିବେ ଆଦିବାସୀ ଛାତ୍ରଛାତ୍ରୀ

author img

By

Published : Apr 17, 2022, 10:43 PM IST

ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷାବିଭାଗର ଅଣଦେଖା ଅଭିଯୋଗ । ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ପ୍ରାୟ ୨୦ କିଲୋମିଟର ବାଟ ଯିବାକୁ ହେବ । ଅଧିକ ପଢନ୍ତୁ

ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଯିବେ ୨୦ କିଲୋମିଟର
ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଯିବେ ୨୦ କିଲୋମିଟର

ଯାଜପୁର: ସୁକିନ୍ଦା ଖଣି ଉପତ୍ୟକାର ଚିଙ୍ଗୁଡିପାଳ ପଞ୍ଚାୟତରେ ଥିବା ସୌରିକ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷାବିଭାଗ ଓ ପ୍ରଶାସନର ଅଣଦେଖା ଅଭିଯୋଗ ହୋଇଛି । ଏହି ସ୍କୁଲର ପ୍ରାୟ ୬୧ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ପ୍ରାୟ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିବ । ଯେଉଁଥିରେ ନଗଡା ଓ ତା’ର ଆଖପାଖ ଅଞ୍ଚଳର ୪୪ ଜଣ ଆଦିବାସୀ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ ଥିବା ଦର୍ଶାଯାଇଛି ।

ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଯିବେ ୨୦ କିଲୋମିଟର

ଯାନବାହାନର ସମସ୍ୟା ସାଙ୍ଗକୁ ଗରିବ ଆଦିବାସୀ ଛାତ୍ରଛାତ୍ରୀ ଏତେବାଟ ଯାଇ କିଭଳି ପରୀକ୍ଷା ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ଓ ସ୍ଥାନୀୟ ବ୍ୟକ୍ତି । ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପରୀକ୍ଷା କେନ୍ଦ୍ର ନବଦଳାଇଲେ ପିଲାମାନେ ପରୀକ୍ଷା ଦେବେନାହିଁ ବୋଲି ଅଭିଭାବକମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

ସାରା ରାଜ୍ୟରେ ପାଖ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଉଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଅଭିଭାବକ ମାନେ ଏସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇ ନାହିଁ । ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ କର୍ମକର୍ତ୍ତା ଏସମ୍ପର୍କରେ ଅଭିଯୋଗ କରିଥିଲେ ହେଁ ଏହାର କୌଣସି ସୁଫଳ ମିଳିନି । ସେପଟେ ଆବଶ୍ୟକ ଭିତ୍ତିଭୂମି ଓ ସରକାରୀ ଉଚ୍ଚବିଦ୍ୟାଳୟ ନଥିବାରୁ ବ୍ୟବସ୍ଥା ଦୃଷ୍ଟିରୁ ଏଭଳି ସମସ୍ୟା ହୋଇଥିବା ବିଭାଗୀୟ ଅଧିକାରୀ ମତ ଦେଇଛନ୍ତି । ଖଣି ଅଞ୍ଚଳର ଏକମାତ୍ର ସରକାରୀ ସ୍କୁଲରେ 200 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବାର ସୁବିଧା ଥିବା ବେଳେ ଅତିରିକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟତ୍ର ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଟ୍ରିକ୍ ପରୀକ୍ଷା ଦେବାର ସୁବନ୍ଦୋବସ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ନଚେତ୍ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶିକ୍ଷା ବିଭାଗର ଉପହାସ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବ୍ୟକ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.