ETV Bharat / state

ବିବାଦରେ ଉପକୂଳ ରାଜପଥ, ନକ୍ସା ବଦଳିବାକୁ ନେଇ ଜଗତସିଂହପୁରରେ ତୀବ୍ର ବିରୋଧ

author img

By

Published : Oct 27, 2022, 2:55 PM IST

ଜଗତସିଂହପୁର ଉପକୂଳ ରାଜପଥ ସ୍ଥାନାନ୍ତରକୁ ନେଇ ହେବାରେ ଲାଗିଛି । ଯାହାକୁ ନେଇ ଯୁଦ୍ଧଂଦେହୀ ଡାକରା ଦେଇଛି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ଉପକୂଳ ରାଜପଥ ସ୍ଥାନାନ୍ତରକୁ ନେଇ ଘନେଇଲା ବିବାଦ
ଉପକୂଳ ରାଜପଥ ସ୍ଥାନାନ୍ତରକୁ ନେଇ ଘନେଇଲା ବିବାଦ

ଜଗତସିଂହପୁର: ଉପକୂଳ ରାଜପଥ ବା କୋଷ୍ଟାଲ ହାଇୱେ ସ୍ଥାନାନ୍ତରୀକରଣ (Coastal Highway) ନେଇ ତେଜୁଛି ବିବାଦ । କୌଣସିମତେ କୋଷ୍ଟାଲ ହାଇୱେ ସ୍ଥାନାନ୍ତରକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି (Upakul Rajpath Kriyanusthan Committee (URKC))। ବାଲିକୁଦା ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତର ବାସିନ୍ଦାଙ୍କୁ ନେଇ ଗଠିତ ଏହି କ୍ରିୟାନୁଷ୍ଠାନ କମିଟି ଏହାକୁ ଜୋରଦାର ବିରୋଧ କରୁଛି । ଏହି କମିଟିର ସଦସ୍ୟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା ।

ଉପକୂଳ ରାଜପଥ ସ୍ଥାନାନ୍ତରକୁ ନେଇ ଘନେଇଲା ବିବାଦ

କିନ୍ତୁ ଶୋଭାଯାତ୍ରାକୁ ପୋଲିସ ପ୍ରଶାସନ ଅନୁମତି ନ ଦେବାରୁ କମିଟିର ଶତାଧିକ ଲୋକେ ବୁଧବାର ଦିନ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅନୁମତି ନେଇ ଭେଟିବାକୁ ଚାହିଁଥିଲେ । ତେବେ ଜିଲ୍ଲାପାଳ ପ୍ରଥମେ ଭେଟିବାକୁ ଅନୁମତି ଦେଇଥିବାବେଳେ ଶେଷ ମୁହୂର୍ତ୍ତରେ କମିଟିର କର୍ମକର୍ତ୍ତାଙ୍କୁ ଭେଟିବାକୁ ମନା କରିଦେଇଥିଲେ । ଫଳରେ ଜିଲ୍ଲାପାଳଙ୍କ ଏପରି ନିଷ୍ପତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ କମିଟିର ନେତୃତ୍ବ ନେଉଥିବା ପ୍ରତିନିଧିଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ ।

ଉପକୂଳ ରାଜପଥର ନକ୍ସା ପରିବର୍ତ୍ତନ ନେଇ ରାଜପଥ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାରଙ୍କ ଭାରତମାଳା ପରି ଯୋଜନାରେ ଜାତୀୟ ରାଜପଥଟି ଗୋପାଳପୁରଠାରୁ ପାରାଦ୍ୱୀପ ଦେଇ ଦୀଘାକୁ ସଂଯୋଗ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ହଠାତ୍‌ ଏହାର ମ୍ୟାପକୁ ପରିବର୍ତ୍ତନ କରାଯାଇ ଉପକୂଳ ଠାରୁ ୨୫ କିଲୋମିଟର ଦୂର ଡେରିକି, ଆମ୍ବଶାଳ, ବୋରିକିନା ଦେଇ ରାଜପଥକୁ ନିଆଯାଉଛି । ଯାହାକୁ କୌଣସି ପ୍ରକାରେ ବଙ୍ଗୋପସାଗର ଉପକୂଳରେ ଥିବା ଗ୍ରାମବାସୀ ଗ୍ରହଣ କରିବେ ନାହିଁ ।

ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟିର କହିବା କଥା ହେଲା ଉପକୂଳ ରାଜପଥଟି ପୁରୀ ଦେଇ ମାଙ୍କଡ଼ ଖିଆ ନିକଟରୁ ବାହାରି ବାର ବାଟିଆ, ଫୁଲ ବେଲାରୀ, ଦେଇ ଜଗତସିଂହପୁର ଜିଲ୍ଲାର କୁସୁପୁର, ତେନ୍ତୁଳି ବେଲାରୀ ଗୋଡ଼ା, ଆମ୍ବକୀ, ଦେଇ ପାରାଦ୍ୱୀପକୁ ସଂଯୋଗ କରିଥାନ୍ତା । କିନ୍ତୁ ଏହାର ନକ୍ସା ହଠାତ୍‌ ପରିବର୍ତ୍ତନ କରାଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳ କେନ୍ଦ୍ର ପରିବହନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ଏହାର ସମସ୍ୟା ସମାଧାନ ନ ହୁଏ, ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ , ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.