ETV Bharat / state

ପାରାଦ୍ବୀପରେ ଚାଞ୍ଚଲ୍ୟ: କିଆବୁଦା ଭିତରୁ ନରକଙ୍କାଳ ଉଦ୍ଧାର

author img

By

Published : May 24, 2023, 10:50 AM IST

Updated : May 24, 2023, 2:02 PM IST

ପାରାଦ୍ବୀପନ୍ତୁ ଉପକଣ୍ଠ ବାଲିସାହି ଗ୍ରାମ ନିକଟରୁ ଉଦ୍ଧାର ହେଲା ନରକଙ୍କାଳ । କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ । ଅଧିକ ପଢ

ପାରାଦ୍ବୀପ ଉପକଣ୍ଠରୁ ନରକଙ୍କାଳ ଉଦ୍ଧାର
ପାରାଦ୍ବୀପ ଉପକଣ୍ଠରୁ ନରକଙ୍କାଳ ଉଦ୍ଧାର

କିଆବୁଦା ଭିତରୁ ମିଳିଲା ନରକଙ୍କାଳ

ପାରାଦ୍ବୀପ: ପାରାଦ୍ବୀପରେ ଚାଞ୍ଚଲ୍ୟ । କିଆବୁଦାରୁ ମିଳିଲା ନରକଙ୍କାଳ । ମଙ୍ଗଳବାର ପାରଦ୍ବୀପ ଉପକଣ୍ଠ ବାଲିସାହି ଗ୍ରାମ ନିକଟ ଏକ କିଆବୁଦା ଭିତରୁ ଏକ ନରକଙ୍କାଳ ଠାବ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୪୦ରୁ ଅଧିକ ବର୍ଷ ହେବ । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଆଣି ଏଠାରେ ଫିଙ୍ଗି ଚାଲିଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଏ ଯାଏଁ କଙ୍କାଳର ପରିଚୟ ମିଳିପାରିନାହିଁ । ପୋଲିସ କଙ୍କାଳକୁ ଜବତ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନୂଆଗାଁ ବାଲିସାହି ଗ୍ରାମର କିଛି ପିଲା ପାଖ ପଡିଆରେ ଖେଳୁଥିଲେ । ପିଲାମାନେ ଖେଳିବା ସମୟରେ ବଲଟି କିଆବୁଦା ଆଡକୁ ଗଡି ଯାଇଥିଲା । ବଲ୍ ଆଣିବା ପାଇଁ ଯିବାବେଳେ ବୁଦା ନିକଟରେ ନରକଙ୍କାଳ ପଡିଥିବାର ସେମାନେ ଦେଖିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ କିଆବୁଦା ନିକଟରେ ରୁଣ୍ଡ ହୋଇଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପାରାଦ୍ବୀପ ପୋଲିସ ନରକଙ୍କାଳ ଜବତ କରିବା ସହିତ ସାଇଣ୍ଟିଫିକ ଟିମକୁ ଆଣି ଅନୁସନ୍ଧାନ ଜାରି ରଖିଛି । ତେବେ ଏ ଯାଏଁ ଜବତ ହୋଇଥିବା କଙ୍କାଳର ପରିଚୟ ମିଳିପାରି ନାହିଁ ।

ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ିଛି ଯେ, ମୃତ ବ୍ୟକ୍ତିଙ୍କ ବୟସ 40ରୁ ଊର୍ଦ୍ଧ୍ବ ହେବ । ସେ ଏକ ଲୁଙ୍ଗି ପିନ୍ଧିଥିବା ଜଣାପଡ଼ିଛି । କେହି ଦୁର୍ବୃତ୍ତ ଅନ୍ୟ ସ୍ଥାନରେ ତାଙ୍କୁ ହତ୍ୟା କରି ମୃତଦେହକୁ କାଟି ଏଠାରେ ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି । ସେହିପରି ମୃତଦେହ ପାଖାପାଖି 3 ମାସ ହେବ ଏହି କୁଆବୁଦାରେ ପଡିଥିବା ପୋଲିସ ଅନୁମାନ କରୁଛି । ତେବେ ମୃତ ବ୍ୟକ୍ତି ଜଣକ କିଏ ? ତାଙ୍କୁ ହତ୍ୟା କରି କିଏ ଫିଙ୍ଗି ଦେଇଛି ଓ ସ୍ଥାନୀୟ ଗ୍ରାମବାସୀ କିପରି ଏହାର ସୁରାଗ ପାଇପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ଅପରପକ୍ଷରେ 3 ମାସ ଭିତରେ ପାରାଦ୍ବୀପ ଥାନା କିମ୍ବା ଆଖପାଖ ଥାନାରେ କୌଣସି ଅପହରଣ ମାମଲା ହୋଇନାହିଁ । ତେଣୁ କେହି ଦୁର୍ବୃତ୍ତ ଜିଲ୍ଲା ବାହାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପହରଣ ପରେ ହତ୍ୟା କରି ଏହି ସ୍ଥାନରେ ଫୋଫାଡ଼ି ଚାଲିଯାଇ ଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ କହିବା କଥା ଏହି ରାସ୍ତା ଦେଇ ଲୋକେ ଯିବାଆସିବା କରିଥାନ୍ତି । କିଆବଣ ନିଛାଟିଆ ହୋଇଥିବାରୁ ଏଠାରେ କିଏ ମୃତଦେହ ଫିଙ୍ଗି ଥାଇପାରେ ।

ଇଟିଭି ଭାରତ, ଜଗତସିଂହପୁର

Last Updated : May 24, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.