ETV Bharat / state

World Pakhala Divas: ସଞ୍ଜ ହେଉ କି ସକାଳ, ଓଡିଆ ମନ ଖୋଜେ ପଖାଳ

author img

By

Published : Mar 20, 2023, 8:34 AM IST

Updated : Mar 20, 2023, 9:05 AM IST

ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ବ ହେଉଛି ପଖାଳ । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ଆଜି ପାଳିବେ ପଖାଳ ଦିବସ । ଅଧିକ ପଢନ୍ତୁ

World Pakhala Divas
World Pakhala Divas

ବ୍ରହ୍ମପୁର: ଆଜି ବିଶ୍ବ ପଖାଳ ଦିବସ । ଓଡିଆଙ୍କ ପରିଚୟ ହେଉଛି ପଖାଳ । ଖରା, ବର୍ଷାରୁ ଆରମ୍ଭ କରି ୬ଋତୁରେ ଓଡିଆଙ୍କ ପ୍ରିୟ ଥାଏ ପଖାଳ । ବାହାରୁ ବୁଲି ବୁଲି ଆସିଲେ ମନ ସବୁବେଳ ଖୋଜୁଥାଏ ପଖାଳ କଂସା । ପଖାଳ ଅଛି ତ ଜିନ୍ଦାବାଦ । ସେ ଗରିବ ହେଉ କି ଧନୀ ଖଟି ଖଟି ଆସି ପେଟରେ ଗଣ୍ଡାଏ ପଖାଳ ପଡିଗଲେ ମନ ଶାନ୍ତି । ଗୁଣ୍ଡାଏ ପଖାଳ ସାଙ୍ଗକୁ ଢୋକେ ତୋରାଣି ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କେବଳ ଖାଇବ ଲୋକ ଜାଣେ । ପଖାଳ ଖାଇବାରେ ଯେଉଁ ସନ୍ତୁଷ୍ଟି ରହିଛି ତାହା ଆଉ କେଉଁ ଖାଦ୍ୟରେ ନାହିଁ ।

ରାତି ଦିନ ସବୁ ସମୟରେ ପଖାଳ ଖାଇବା ଓଡିଆଙ୍କ ଦୈନନ୍ଦିନ ଜୀବନର ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ପଖାଳ କଂସା ଓଡିଆ ଜାତି ସହ କାଇଁ କେଉଁ କାଳରୁ ଯୋଡି ହୋଇରହିଛି । ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ଦିନ ଆରମ୍ଭ ହୁଏ ପଖାଳରୁ । ଖରାଦିନେ ଆସିଲା ମାନେ ଓଡିଆ ଖୋଜନ୍ତି ପଖାଳ କଂସା । ଧନୀ ଲୋକ ପଖାଳ ସହ ମାଛ ଭଜା ଖାଇ ଅଫିସ ଯାଏତ ଗରିବ ପଖାଳ ସାଙ୍ଗକୁ ମୁନ୍ଦେ ତୋରାଣୀ ପିଇ କାମକୁ ଯାଇଥାଏ । ପଖାଳ ସାଙ୍ଗକୁ ଆଳୁଭତ୍ତା, ବଡିଚୁରା, ଶାଗ ଭଜା, ସଜନା ଛୁଇଁ ସାଙ୍ଗକୁ ଚୁନା ମାଛ ହେଲା କଥା ସରିଲା । ଆହା... କି ଆନନ୍ଦ । ଏମିତି ଖାଦ୍ୟ ଆମ ଓଡିଆମାନେ ପ୍ରତ୍ୟେକ ଦିନ ଖାଇଥାନ୍ତି । କିନ୍ତୁ ଏହି ଦିବସକୁ ସ୍ବତନ୍ତ୍ର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଇଥାଏ ।

ଶ୍ରୀ ମନ୍ଦିରରେ ପଖାଳ: ଶ୍ରୀଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁ ଠାରୁ ପଞ୍ଚତାରକା ହୋଟେଲ ଯାଏଁ ମହକୁଛି । ସନ୍ଧ୍ୟା ୭ଟାରୁ ୮ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ । ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ । ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।

୨୦୧୫ରୁ ଆରମ୍ଭ ହୋଇଥିଲା ଟ୍ବିଟର ଟ୍ରେଣ୍ଡ: ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରାଯାଉଛି । ପ୍ରକାଶଥାଉକି, ଆସନ୍ତାକାଲି(ମାର୍ଚ୍ଚ ୨୧ ତାରିଖରେ) ଦିନ ରାତିର ଅବଧି ସମାନ ରହିଥାଏ । ଏହାପରଠାରୁ ଦିନର ଅବଧି ବୃଦ୍ଧି ହୋଇଥାଏ । ଖରାର ମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି ।

ପଖାଳର ଇତିହାସ: କୁହାଯାଏ ୧୯୩୪ ମସିହାରୁ ଆରମ୍ଭ ହୋଇଥିବା ପଖାଳ । ଯେତେବେଳେ ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରୀ ଚାଲିଥିଲା ସେହି ସମୟରେ ପିପିଲି ନିକଟରେ ମଧ୍ୟାହ୍ନ ଭୋଜର ଆୟୋଜନ କରାଯାଇଥିଲା । ଖାଦ୍ୟ ଗ୍ରହଣ କରିବା ପାଇଁ ଯେଉଁ ଭାତ ବଳିଯାଇଥିଲା ତାହାକୁ ନଷ୍ଟ ନକରି ପଖାଳ କରିଦିଆଯାଇଥିଲା । ଏହାକୁ ନେଇ ମହାତ୍ମା ଗାନ୍ଧୀ ଖୁସି ହୋଇ ମତ ଦେଇଥିଲେ । ଓଡିଆମାନେ ଖାଦ୍ୟର ସଦବ୍ୟବହାର ଜାଣିଛନ୍ତି ବୋଲି କହିଥିଲେ ।

ହୋଟେଲରେ ସ୍ବତନ୍ତ୍ର ପ୍ରସ୍ତୁତି: ଆଜି ବିଭିନ୍ନ ହୋଟେଲରେ ସ୍ବତନ୍ତ୍ର ମେନୁର ଆୟୋଜନ ହେବ । ଏହା ସହ କେତେକ ସ୍ଥାନରେ ରିହାତିରେ ମଧ୍ୟ ପଖାଳ ମିଳିବ । ପଖାଳ ଦିବସ ପାଇଁ ବିଭିନ୍ନ ହୋଟେଲ, ରେସ୍ତୋରାଁରେ ସ୍ବତନ୍ତ୍ର ଆୟୋଜନ ହୋଇଛି । ବିଭିନ୍ନ ପ୍ରକାରର ପଖାଳ ସହ ମେନୁର ବିଭିନ୍ନ ଆଇଟମ ରହିଥିବ । ଅନେକ ଲୋକ ପଖାଳ ଖାଇ ଷ୍ଟାଟସ ଦେବେ । ଆଜି ଟ୍ବିଟରରେ ଟ୍ରେଣ୍ଡ କରିବ #ପଖାଳ ଦିବସ । କିନ୍ତୁ ସୋମବାର ସାଙ୍ଗକୁ କୋହଲା ପାଗ ପାଇଁ ଦିବସ ଟିକେ ମାନ୍ଦା ପଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2023, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.