ETV Bharat / state

ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

author img

By

Published : Jul 6, 2022, 10:48 PM IST

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଣୀ ସାହି ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି
ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ରୀ । ଯାହାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଣୀ ସାହି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଛାତ୍ରୀ ଜଣକ ବନ୍ଦ କୋଠରୀରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛି ।

ସୂଚନାନୁଯାୟୀ, ମୃତ ଛାତ୍ରୀଙ୍କ ଘର ଗଜପତି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ପୂର୍ବେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ଏହାପରେ ପିତା କାଳିଆ ସିକିମ ରାଜ୍ୟରେ କାମ କରୁଥିବାରୁ ଝିଅକୁ ଦିଗପହଣ୍ଡିରେ ରହୁଥିବା ବଡବାପାଙ୍କ ପାଖରେ ଛାଡି ଦେଇ ଚାଲିଯାଇଥିଲେ । ପରେ ଛାତ୍ରୀ ଜଣକ ସେଠାରେ ଥିବା ଏକ ବେସରକାରୀ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ଦେଇଥିଲା । ତେବେ ପରୀକ୍ଷା ସରିବା ପରେ ଛାତ୍ରୀ ଜଣକ ନିଜ ବଡବାପା ଘରକୁ ଚାଲିଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

ହେଲେ କେଉଁ କାରଣ ପାଇଁ ଛାତ୍ରୀ ଜଣକ ଏଭଳି କାର୍ଯ୍ୟ କଲେ ତାହା ସ୍ପଷ୍ଟ ହୋଇନାହିଁ । ମଧ୍ୟାହ୍ନ ସାଢେ ୧୨ ସମୟରେ ନିଜ ଶୋଇବା ରୁମ୍ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଥିଲେ । ଏହାର କିଛି ସମୟ ପରେ ବନ୍ଦ କୋଠରୀ ଭିତରୁ ଧୁଆଁ ବାହାରିବା ଦେଖି ସାହି ପଡୋଶୀ ଦଉଡି ଯାଇ କବାଟ ଭାଙ୍ଗି ଦେଖିବା ବେଳକୁ ନାବାଳିକା ଜଣଙ୍କ ନିଆଁରେ ହୁତୁହୁତୁ ହୋଇ ଜଳୁଥିଲା । ଖବର ପାଇ ଘଟଣା ସ୍ଥଳରେ ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଛାତ୍ରୀର ମୃତ୍ୟୁ ହୋଇଥିଲା । ଏହାପରେ ଦିଗପହଣ୍ଡି ଥାନା ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ରହ୍ମପୁର ଏମକେସିଜିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚଳିତ ବର୍ଷ ପରୀକ୍ଷାରେ ୬୦୦ ମାର୍କରୁ ୪୨୧ ମାର୍କ ରଖି ବି-୧ ଗ୍ରେଡ୍‌ ହାସଲ କରିଥିଲେ । ତେବେ ଛାତ୍ରୀ ଜଣକ ଏଭଳି ମୃତ୍ୟୁକୁ କାହିଁକି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.