ETV Bharat / state

Cyber Awareness Campaign: ବ୍ରହ୍ମପୁର ଓ କଳାହାଣ୍ଡିରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ

author img

By ETV Bharat Odisha Team

Published : Oct 2, 2023, 11:05 PM IST

ବ୍ରହ୍ମପୁର ଓ କଳାହାଣ୍ଡିରେ ସାଇବର ସୁରକ୍ଷା ସଚେତନତା ରଥ ଉଦଘାଟିତ ହୋଇଛି । ଏହା ସାଇବର ଅପରାଧ ରୋକିବାରେ ସହାୟକ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ
Cyber Awareness Campaign

Cyber Awareness Campaign

ବ୍ରହ୍ମପୁର/ଭବାନୀପାଟଣା: ବ୍ରହ୍ମପୁରରେ ସାଇବର ସୁରକ୍ଷା ସଚେତନତା ରଥ ଉଦଘାଟିତ ହୋଇଛି । ଏହା ସାଇବର ଅପରାଧ ରୋକିବାରେ ସହାୟକ ହେବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି । ଆର୍ଥିକ ଠକେଇ ବିଶ୍ୱବ୍ୟାପୀ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଓଡ଼ିଶା ପୋଲିସ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି। ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ତଞ୍ଚକତା କରି ସାଧାରଣ ଜନତାଙ୍କ ଠାରୁ ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ହାସଲ କରି ଠକେଇ କରୁଛନ୍ତି । ସଚେତନତା ଅଭାବରୁ ଠକାମୀର ଶୀକାର ହେଉଛନ୍ତି ନୀରିହ ଲୋକେ । ତେଣୁ ବିଭିନ୍ନ ସ୍ଥାନରେ ସଚେତନ କରାଯିବା ପାଇଁ ପୋଲିସ ପଦକ୍ଷେପ ନେଉଥିବାବେଳେ ବ୍ରହ୍ମପୁର ଠାରେ ସାଇବର ସୁରକ୍ଷା ଅଭିଯାନ ପକ୍ଷରୁ ଉଦଘାଟିତ ହୋଇଛି ସଚେତନତା ରଥ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିକ୍ରମା କରି ଲୋକଙ୍କୁ ସାଇବର ଅପରାଧ ଠାରୁ ଦୂରେଇ ରହିବା ପାଇଁ ବାର୍ତ୍ତା ଦେବ ଏହି ରଥ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ୟାପକ ସଚେତନତା କରାଯିବା ସହିତ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯିବ ।

ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ମହିଳା ,ବରିଷ୍ଠ ନାଗରିକ ଏବଂ ଯୁବ ବର୍ଗ ଯେପରି ଅଧିକ ସଚେତନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ । କ୍ଷୁଦ୍ର ନାଟକ, ପ୍ରଥପ୍ରାନ୍ତ ସଭାଠାରୁ ଆରମ୍ଭ କରି ଛୋଟ ଛୋଟ ଭିଡିଓ ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବାର ଲକ୍ଷ୍ୟ ରହିଛି। ଏଥିରେ ଆଶା ଓ ଅଙ୍ଗନବାଡି କର୍ମୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ମିଶନ ଶକ୍ତିର ମହିଳାମାନେ ଯୋଗ ଦେଇ ସଚେତନ କରାଇବେ । ଏଥିପାଇଁ ୧୯୩୦ ନମ୍ବର ଜାରି ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଙ୍ଘମିତ୍ରା ଦଳେଇ , ଡେପୁଟି ମେୟର ଇ.ବିବେକ ରେଡି ପ୍ରମୁଖ ଯୋଗ ଦେଇ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।


ଏହା ବି ପଢନ୍ତୁ...ରାଜ୍ୟରେ ଗଡିଲା ସାଇବର ସଚେତନତା ରଥ, ଠକାମୀର ଶିକାର ହେବାରୁ ବର୍ତ୍ତିବାକୁ କରିବ ସଚେତନ

ସେପଟେ କଳାହାଣ୍ଡି ପୋଲିସ ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ଏସପି ଅଭିଳାଷ ଜି.ଙ୍କ ନେତୃତ୍ବରେ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ସମେତ କଳାହାଣ୍ଡିର ୨୦ଟି ଥାନା ଅଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରିବ । ସେହିପରି ଅନ-ଲାଇନ ଓ ଅଫ-ଲାଇନ୍ ମାଧ୍ୟମରେ ସ୍ଥାନୀୟ ପୋଲିସ ଜନସଚେତନତା କରିବ । କଳାହାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର/କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.