ETV Bharat / state

ଖର୍ଚ୍ଚ ହୋଇଛି ଦେଢ଼ କୋଟିରୁ ଅଧିକ ଟଙ୍କା, ଲୋକଙ୍କ କାମରେ ଆସୁନି ରାଜ ରାଜୁଡ଼ା ଅମଳର ପୋଖରୀ

author img

By

Published : Mar 22, 2023, 10:25 PM IST

ପାରଳାଖେମୁଣ୍ଡିର ସର୍ବପୁରାତନ ଶଙ୍କୁରି ପାତ୍ର ବନ୍ଧ ଓ ପଟ୍ଟନାୟକ ବନ୍ଧର ପୁନଃଉଦ୍ଧାର ଓ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେଲାଣି ଦେଢ଼ କୋଟିରୁ ଅଧିକ ଟଙ୍କା । କିନ୍ତୁ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କର ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ଏହି ଦୁଇ ବନ୍ଧ । ଅଧିକ ପଢ଼ନ୍ତୁ

ଲୋକଙ୍କ କାମରେ ଆସୁନି ରାଜ ରାଜୁଡ଼ା ଅମଳର ପୋଖରୀ
ଲୋକଙ୍କ କାମରେ ଆସୁନି ରାଜ ରାଜୁଡ଼ା ଅମଳର ପୋଖରୀ

ଲୋକଙ୍କ କାମରେ ଆସୁନି ରାଜ ରାଜୁଡ଼ା ଅମଳର ପୋଖରୀ

ଗଜପତି: ପୋଖୋରୀ ଗୁଡ଼ିକର ପୁନଃଉଦ୍ଧାର ଓ ଉନ୍ନତି ପାଇଁ ସରକାର ଅନେକ ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ ବାସ୍ତବରେ ତାହା ଲୋକଙ୍କ କାମରେ ଆସେ, ନା କେବଳ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହୁଅନ୍ତି ତାର ତଦାରଖ କରନ୍ତି ନାହିଁ । ସରକାରୀ ଟଙ୍କାକୁ କିଭଳି ଆତ୍ମସାତ କରାଯାଏ, ତାର ନଗ୍ନ ଉଦାହରଣ ହେଉଛି ପାରଳାଖେମୁଣ୍ଡି ସହର ମଝିରେ ରହିଥିବା ଦୁଇଟି ପୋଖୋରୀ । ଏହି ଦୁଇ ପୋଖରୀରେ ଗତ କିଛି ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି ଦେଢ଼ କୋଟିରୁ ଅଧିକ ଟଙ୍କା । ଏତେ ପରିମାଣର ସରକାରୀ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପୋଖରୀ ଦୁଇଟି ଲୋକଙ୍କ କାମରେ ଆସିପାରିନାହିଁ ।

ଓଡ଼ିଶାର ଅନ୍ୟତମ ସର୍ବପୁରାତନ ସହର ପାରଳାଖେମୁଣ୍ଡି ପୌର ପରିଷଦ । ୧୮୮୫ ମସିହାରେ ସ୍ଥାପିତ ଏହି ପୌର ପରିଷଦର ନାଳ ନର୍ଦ୍ଦମା, ଜଳ ନିଷ୍କାସନ ବ୍ୟବସ୍ଥା ସବୁ ପାରଳା ଗଜପତି ରାଜବଂଶ ଅମଳର । ବର୍ଷା ଜଳର ନିଷ୍କାସନ ସହ ସୁବିନିଯୋଗ ପାଇଁ ସହର ମଧ୍ୟରେ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ପୋଖରୀ ସବୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବହୁ ବର୍ଷ ପୂର୍ବେ ତିଆରି କରିଥିଲେ । ସେଥି ମଧ୍ୟରୁ ଶଙ୍କୁରି ପାତ୍ର ବନ୍ଧ ଓ ପଟ୍ଟନାୟକ ବନ୍ଧ ଅନ୍ୟତମ । ବର୍ଷା ଦିନରେ ପାହାଡର ବର୍ଷା ପାଣି ପ୍ରଥମେ ଶଙ୍କୁରି ବନ୍ଧରେ ପ୍ରବେଶ କରେ ସେଠି ବନ୍ଧ ଭର୍ତ୍ତି ହୋଇଗଲେ ସେଠୁ ପାଣି ଯାଏ ପଟ୍ଟନାୟକ ବନ୍ଧକୁ । ତାହା ଭର୍ତ୍ତି ହେଲେ କ୍ରମଶଃ ତଳେ ଥିବା ଅନ୍ୟ ବନ୍ଧକୁ ଯାଏ । ଫଳରେ ସହରରେ ବର୍ଷା ପାଣି ସୁନିଷ୍କାସନ ସହ ବର୍ଷ ସାରା ପାଣି ସମସ୍ୟା ରହୁନଥିଲା ଓ ଭୂତଳ ଜଳ ପରିମାଣ ଭଲ ରହୁଥିଲା ।

ଏତେ ସୁନ୍ଦର ଦୂରଦୃଷ୍ଟି ପରିକଳ୍ପନା ନେଇ ପୋଖରୀ ସବୁ ନିର୍ମାଣ କରିଥିଲେ ତତ୍କାଳିନ ଗଜପତି ମହାରାଜା । କିନ୍ତୁ ଏବେକାର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ବ୍ୟବସ୍ଥା ଯୋଗୁଁ ଗତ ୧୦ ବର୍ଷ ହେଲା ସହର ମଝିରେ ଥିବା ଏହି ଦୁଇଟି ପୋଖିରୀ ସମ୍ପୂର୍ଣ୍ଣ ଭାବେ ବ୍ୟବହାର ଅନୁପଯୋଗୀ ହୋଇ ପଡିରହିଛି । ଗତ କିଛିବର୍ଷ ମଧ୍ୟରେ ଏକାଧିକ ସରକାରୀ ଯୋଜନା ମାଧ୍ୟମରେ ଶଙ୍କୁରି ବନ୍ଧରେ ଖର୍ଚ୍ଚ ହୋଇଛି ୩୪ ଲକ୍ଷ ଟଙ୍କା । ସେହିଭଳି ପଟ୍ଟନାୟକ ବନ୍ଧରେ ୧ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପୁନଃଉଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ମୋନୋରଞ୍ଜନ କେନ୍ଦ୍ର ପାଇଁ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କର କାମରେ ଆସିପାରୁନି ଏହି ଦୁଇ ବନ୍ଧ । ଯାହାକୁ ନେଇ ପ୍ରଶ୍ନ କରିବା ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ପଟ୍ଟନାୟକ ବନ୍ଧରେ ପାଣି ରହିବା ବଦଳରେ ବନ୍ଧ ମଧ୍ୟରେ ଉଠିଛି ବଡ ବଡ ଗଛ ଆଉ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଶଙ୍କୁରି ବନ୍ଧର ଅବସ୍ଥା ନକହିବା ଭଲ । ବନ୍ଧ ଚାରିପଟ ଅପରିଷ୍କାର ଭାବେ ଗଛ ଲତା ବୁଦାରେ ପରିପୂର୍ଣ୍ଣ । ସେଠାର ପାଣି ଶୌଚ ପାଇଁ ମଧ୍ୟ ବ୍ୟବହାର ଉପଯୋଗୀ ନୁହେଁ । ଉଭୟ ବନ୍ଧକୁ ସଂଯୋଗ କରୁଥିବା ରାସ୍ତାଟି ହୋଇଛି, ହେଲେ ଏହି ଅପରିଷ୍କାର ପରିବେଶ ଯୋଗୁଁ କେହି ଆସୁନାହାନ୍ତି । ତେଣୁ ଏବେ ପୁଣି କାମ କରିବା ପୂର୍ବରୁ ଆଗରୁ ହୋଇଥିବା କାମର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ଏହି ଦୁର୍ନୀତି ନେଇ ପୌରପରିଷଦ ବୈଠକରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୂର୍ବ କାର୍ଯ୍ୟର କୌଣସି କାଗଜ ପତ୍ର ଦେଉନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । କାର୍ଯ୍ୟ ନିର୍ବାହୀ ଅଧିକାରୀ କିନ୍ତୁ ଅଭିଯୋଗର ତଦନ୍ତ କଥା ନକହି ଉଭୟ ପୋଖରୀର ପୂର୍ବ କାର୍ଯ୍ୟର ହିସାବ କହିବା ସହ ଆଗାମୀ ଦିନରେ ପୁଣି ନୂଆ ଯୋଜନାରେ ସୌନ୍ଦର୍ଯ୍ୟକରଣ ହେବ କହିଛନ୍ତି । ଏତେ ମାତ୍ରାରେ ସରକାରୀ ରାଶି ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କ କାମରେ ଆସିପରିନଥିବା ପୋଖୋରୀରେ ଏବେ ପୁଣି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା କାର୍ଯ୍ୟ ସାଧନ ହୋଇ ସରକାରୀ ଟଙ୍କା ସଠିକ ବିନିଯୋଗ ହେବା ନେଇ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.