ETV Bharat / state

ଟଭାପାଳକୁ ଆଦର୍ଶ ଗ୍ରାମ କହିଲେ ବିଦେଶୀ ପର୍ଯ୍ୟଟକ

author img

By

Published : Jun 4, 2023, 6:57 AM IST

ଢେଙ୍କାନାଳ ଜିଲ୍ଲା ଟଭାପାଳ ଗ୍ରାମକୁ ହେଉଛି ବିଦେଶୀ ପର୍ଯ୍ୟବେକ୍ଷକଙ୍କ ଆଗମନ । ସ୍ୱଚ୍ଛ ଭାରତ ମିଶନ ଶୌଚାଳୟକୁ ଦୁଇ ଖାତ ବିଶିଷ୍ଟ ଶୌଚାଳୟରେ ପରିବର୍ତ୍ତନ କରିବା କାର୍ଯ୍ୟର ତଦାରଖ ହୋଇଛି । ପରିବର୍ତ୍ତନ କାର୍ଯ୍ୟକୁ ଦେଖିବା ପରେ ଏହା ଏକ ଆଦର୍ଶ ଗ୍ରାମ ହେବ ବୋଲି ବିଦେଶୀ ପର୍ଯ୍ୟବେକ୍ଷକମାନେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଟଭାପାଳ ପାଇଁ ଖୁସିର ବାର୍ତ୍ତା
ଟଭାପାଳ ପାଇଁ ଖୁସିର ବାର୍ତ୍ତା

ଟଭାପାଳ ପାଇଁ ଖୁସିର ବାର୍ତ୍ତା

ଢେଙ୍କାନାଳ: ସ୍ୱଚ୍ଛ ଭାରତ ମିଶନ ଶୌଚାଳୟକୁ ଦୁଇ ଖାତ ବିଶିଷ୍ଟ ଶୌଚାଳୟରେ ପରିବର୍ତ୍ତନ କରିବା କାର୍ଯ୍ୟର ଚାଲିଛି ତଦାରଖ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗ୍ରାମପଞ୍ଚାୟତର ଟଭାପାଳ ଗ୍ରାମକୁ ବିଦେଶୀ ପର୍ଯ୍ୟବେକ୍ଷକଙ୍କ ଆଗମନ ଜିଲ୍ଲା ପାଇଁ ଆଣିଦେଇଛି ଏକ ଖୁସିର ବାର୍ତ୍ତା । ଟଭାପାଳରେ ପୂର୍ବରୁ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଶୌଚାଳୟକୁ ଦୁଇ ଖାତ ବିଶିଷ୍ଟ ଶୌଚାଳୟରେ ପରିବର୍ତ୍ତନ କାର୍ଯ୍ୟକୁ ଦେଖିବା ନିମନ୍ତେ ସା.ଟୋ ଟିମ୍‌ର ବିଦେଶୀ ପର୍ଯ୍ୟବେକ୍ଷକ ଡାଇଗୋ ଇସିୟାମା,ସୌରଭ ପାଣ୍ଡ୍ୟା, ଗୁଞ୍ଜନ ପଟେଲ ଏବଂ UNICEFର ସିପ୍ରା ସକ୍ସେନାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଆସିଥିବା ଜଣାପଡିଛି ।

ସୂଚନା ମୁତାବକ, ପ୍ରଥମେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କ ଘରଘର ବୁଲି ଯେଉଁମାନେ ପାଇଖାନା ବ୍ୟବହାର କରୁନାହାନ୍ତି ସେମାନଙ୍କୁ ବ୍ୟବହାର କରାଇବା ନିମନ୍ତେ ସଚେତନ କରାଯାଇଥିଲା । ପରେ ଦୁଇ ଖାତ ବିଶିଷ୍ଟ ଶୌଚାଳୟ କରିବା ବାସ୍ତବିକ ବହୁତ କଷ୍ଟକର ଥିଲା ବୋଲି ଫିନିସ୍ ସୋସାଇଟିର ମୁଖ୍ୟ ତାଲିମଦାତା ଶିବ କୁମାର ଶର୍ମା କହିଥିବା ବେଳେ ପ୍ରକଳ୍ପ ପରିଚାଳକ ସୁଧାକର ଅଗ୍ରୱାଲ, ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ପାଣି, କମ୍ୟୁନିଟି ମୋବିଲାଇଜର ବିଜ୍ଞାନ ମହାନ୍ତି, ହୃଷିକେଶ ମଲ୍ଲିକ, ସୁଚିତ୍ରା ରାଉତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରାମର ଏମ୍.ବି.କେ ନର୍ସିମା ବେଗମ୍, ସି. ଆର. ପି ସରସ୍ୱତୀ ବେହେରା, ରସାନନ୍ଦ ମହାଳିକ, ଦୁର୍ଗା ରାଉତ ଓ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଟଭାପାଳ ଗ୍ରାମବାସୀମାନେ ସହଯୋଗ କରିଥିଲେ । ପରେ ସୁସ୍ୱାଦୁ ପିଠାପଣା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟକରଣରେ ସହଯୋଗ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏହି ଗ୍ରାମ ଏକ ଆଦର୍ଶ ଗ୍ରାମର ରୂପ ନେବ ବୋଲି ବିଦେଶୀ ପର୍ଯ୍ୟଟକ ଓ ସମସ୍ତ ପ୍ରଶାସନିକ ଅଧିକାରୀମାନେ ମତ ରଖିଥିଲେ । ଏହାସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ତନ୍ମୟ କୁମାର ଦରୁୱାନ୍, ଅତିରିକ୍ତ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ, ଜିଲ୍ଲା ପରିମଳ ମିଶନ କର୍ମକର୍ତ୍ତା ସ୍ମୃତି ତ୍ରିପାଠୀ, ସଦର ବ୍ଲକ ଉପାଧ୍ୟକ୍ଷ କାଳନ୍ଦୀ ବାରିକ, ଚଉଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବାବୁଲି ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। UNICEFର ସହଯୋଗ ଓ ଫିନିସ୍ ସୋସାଇଟିର ବଳିଷ୍ଠ ଉଦ୍ୟମରେ ଗୋଟିଏ ଖାତରୁ ଦୁଇ ଖାତ ବିଶିଷ୍ଟ ଶୌଚାଳୟକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିବାବେଳେ ଏହା ଅନ୍ୟ ଗ୍ରାମ ଓ ଜିଲ୍ଲା ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ବିଦେଶୀ ପର୍ଯ୍ୟଟକ ଇସିୟାମା କହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.