ETV Bharat / state

Cyclone Mocha: ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

author img

By

Published : May 7, 2023, 12:28 PM IST

Updated : May 7, 2023, 3:09 PM IST

ସୋମବାର ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବା ବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଅଧିକ ପଢନ୍ତୁ

Cyclone Mocha
Cyclone Mocha

Cyclone Mocha

ଢେଙ୍କାନାଳ: ଶନିବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଲେ ଆସନ୍ତାକାଲି(ସୋମବାର) ସକାଳ ସୁଦ୍ଧା ଏହା ଏକ ଲଘୁଚାପରେ ପରିଣତ ହେବ । ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଧୀରେ ଧୀରେ ଘନେଇବାରେ ଲାଗିଛି । ତେଣୁ ସୋମବାର ସକାଳ ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବ । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବା ବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଓଡିଶା ଉପରେ ପ୍ରଭାବ ଆକଳନ କରାଯାଇନାହିଁ: ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜକୁ ଆସିଥିଲେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ । ଏହି ସମୟରେ ମୃତ୍ୟୁଞ୍ଜୟ ମହାପାତ୍ର ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ l ତାଙ୍କର କହିବା ଅନୁସାରେ,"ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଯାଇଛି । ସୋମବାର(8 ତାରିଖ) ସକାଳ ସୁଦ୍ଧା ଏହା ଏକ ଲଘୁଚାପରେ ପରିଣତ ହୋଇପାରେ । ଏହାପରେ ୯ ତାରିଖରେ ଅବପାତ ସୃଷ୍ଟିହେବ । ଅବପାତରେ ପରିଣତ ହେବା ପରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଉତ୍ତରରେ ଗତି କରିବ । ସେଠାରେ ଏହା ଏକ ବାତ୍ୟାରେ ପରିଣତ ହୋଇପାରେ । ବର୍ତ୍ତମାନ ଯାଏଁ ଓଡିଶା ପାଇିଁ କୈାଣସି ସତର୍କ ସୂଚନା ଜାରି କରାଯାଇନାହିଁ କି ଓଡିଶା ଉପରେ ଏହାର କଣ ପ୍ରଭାବ ପଡିବ ଅନୁମାନ କରାଯାଇନାହିଁଁ ।"

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା: ସେ ଆହୁରି ମଧ୍ୟ କହିଛନ୍ତି," କେବଳ ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରକୁ ମତ୍ସ୍ୟଜୀବୀମାନେ ଯିବା ଉଚିତ ନୁହେଁ । ଆଜିଠାରୁ ଆଉ ସମୁଦ୍ରକୁ ଯାଆନ୍ତୁ ନାହିଁ । ଯେଉଁମାନେ ସେହି ଅଞ୍ଚଳରେ ଅଛନ୍ତି ସେମାନେ ଫେରି ଆସିବା ଉଚିତ । କାରଣ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଡଙ୍ଗା, ଟ୍ରଲର, ଛେଟ ଜାହାଜ ପ୍ରଭାବିତ ହୋଇପାରେ । ବିପଦ ଆସିପାରେ । ତେଣୁ ସେହି ଅଞ୍ଚଳରେ ଯେଉଁମାନେ ଅଛନ୍ତି ଆଜି ସୁଦ୍ଧା ଫେରିଆସିବା ଉଚିତ । ଓଡିଶା ଉପରେ କୈାଣସି ପ୍ରଭାବ ପକାଇବା ନେଇ ସ୍ପଷ୍ଟ ଚିତ୍ର ଦେଖାଯାଉନାହିଁ । ଲଘୁଚାପ ସୃଷ୍ଟି ହେଲା ପରେ ଏହାର ଗତିପଥ, ତିବ୍ରତା ସ୍ପଷ୍ଟ ହୋଇପାରିବ ।"

ପ୍ରକାଶଥାଉକି, ଲଘୁଚାପର କ୍ଷେତ୍ର ସୃଷ୍ଟି ହେଲା ପରେ ୪୦ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ ନେଇ ପାଣପାଗ ବୈଜ୍ଞାନିକ ଆକଳନ କରିଛନ୍ତି । ଦକ୍ଷିଣ, ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏହାର ପ୍ରଭାବ ରହିବ । ଏହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବା ସେତେବେଳେ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଞ୍ଚଳରେ ପ୍ରବଳ ବର୍ଷ ସହ ପବନର ବେଗ ୫୦ରୁ ୮୦ କିମି ରହିପାରେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : May 7, 2023, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.