ETV Bharat / state

ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ କି ୟୁନିଫର୍ମ; ଭୋକରେ ଛାତ୍ରଛାତ୍ରୀ

author img

By

Published : Jul 7, 2023, 11:39 AM IST

ଦେବଗଡ ବିଛଣାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା । ପିଲାଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ କିମ୍ବା ୟୁନିଫର୍ମ । ଅଧିକ ପଢନ୍ତୁ

ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ
ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ

ସ୍କୁଲରେ ମିଳୁନି ମଧ୍ୟାହ୍ନ

ଦେବଗଡ଼: ସ୍କୁଲ ଅଛି, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି । ନିୟମିତ ପାଠପଢ଼ା ବି ଚାଲିଛି । ସ୍କୁଲରେ ପାକଶାଳା ଓ ରନ୍ଧନ ଉପକରଣ ମଧ୍ୟ ମହଜୁଦ ଅଛି । ହେଲେ ସରକାରୀ ନିୟମ ଅନୁଯାୟୀ ଏଠାରେ ପିଲାଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ କିମ୍ବା ସ୍କୁଲ ୟୁନିଫର୍ମ । ଅଧିକାଂଶ ଦିନ ଛାତ୍ରଛାତ୍ରୀ ଭୋକ ଉପାସରେ ପାଠ ପଢୁଥିବା ବେଳେ ଖଣ୍ଡିଏ ଲେଖାଏଁ ଘର ପିନ୍ଧା ପୋଷାକରେ ନିୟମିତ ସ୍କୁଲ୍‌କୁ ଆସୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ପିଲାଏ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବିଛଣାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡଛାପଲ ପଞ୍ଚାୟତ ଅନ୍ତର୍ଗତ ବିଛଣାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟଟି 2009 ମସିହାରେ ସ୍ଥାପିତ ହୋଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଛଣାପୁର ବିଦ୍ୟାଳୟରେ ଚଳିତ ବର୍ଷ 20 ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ପିଲାଙ୍କୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ନିୟମିତ ଭାବେ ଏହି ବିଦ୍ୟାଳୟ ଚାଲିଛି । ତେବେ ଘୋର ପରିତାପର ବିଷୟ ଯେ, ଏଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କିମ୍ବା ସ୍କୁଲ ୟୁନିଫର୍ମ ପୋଷାକ ମିଳୁନି ।

ନିୟମିତ ମଧ୍ୟାହ୍ନ ଭୋଜନ ଦିଆଯିବା ପାଇଁ ବିଦ୍ୟାଳୟ ପରିସରରେ ପାକଶାଳା ଏବଂ ରୋଷେଇ ପାଇଁ ବିଭିନ୍ନ ଉପକରଣ ରହିଛି । ରୋଷେୟା ବି ମାସକୁ ମାସ ପାରିଶ୍ରମିକ ନେଉଛନ୍ତି । ହେଲେ ନା ଏଠାରେ କେବେ ହେଉଛି ରୋଷେଇ ନା ପିଲାଙ୍କୁ ମିଳୁଛି ରନ୍ଧାଖାଦ୍ୟ । ମଧ୍ୟାହ୍ନରେ ପିଲାମାନେ ଘରକୁ ଖାଇବାକୁ ଯାଉଛନ୍ତି । ଅଧିକାଂଶ ଦିନ ବର୍ଷା ଯୋଗୁଁ ପିଲାମାନେ ଘରକୁ ଯାଇ ନପାରି ଭୋକ ଉପାସରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ୟୁନିଫର୍ମ ମିଳୁନଥିବାରୁ ଛାତ୍ରଛାତ୍ରୀ ଘରେ ପିନ୍ଧୁଥିବା ପୋଷାକ ପିନ୍ଧି ସ୍କୁଲକୁ ଆସୁଛନ୍ତି । କୋରୋନା ମହାମାରୀ ପରେ ବିଦ୍ୟାଳୟ ଖୋଲିବା ପରଠାରୁ ଏଠାରେ ଏଭଳି ସମସ୍ୟା ଦେଖାଦେଇଛି ।

ଜଣେ ଛାତ୍ରୀ କହିଛନ୍ତି, "ଅନେକ ସମୟରେ ଆମେ ଭୋକ ଉପାସରେ ରହୁଛୁ । ବର୍ଷା ହେଲେ ଘରକୁ ଖାଇବାକୁ ଯାଇପାରୁନୁ । ଘର ଲୋକ ଆଣି ଖାଇବାକୁ ଦେଲେ ଖାଉଛୁ ନହେଲେ ଉପାସରେ ରହିବାକୁ ପଡୁଛି । ସ୍କୁଲରେ ୟୁନିଫର୍ମ ବି ମିଳୁନି ।" ଜଣେ ଅଭିଭାବକ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ନାହିଁ । ଅନ୍ୟ ସ୍କୁଲଗୁଡ଼ିକରେ ଯେମିତି ସରକାରୀ ସହାୟତା ମିଳୁଛି ଏହି ସ୍କୁଲରେ ମଧ୍ୟ ମିଳୁ ।

ଏ ସମ୍ପର୍କରେ ପିଲାଙ୍କ ଅଭିଭାବକ ଓ ଗ୍ରାମବାସୀ ୨ ବର୍ଷ ହେଲା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇ ଆସୁଛନ୍ତି । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏଯାଏଁ କୌଣସି ପଦକ୍ଷେପ ନନେଇ ଚୁପ ବସିଛନ୍ତି । ଯାହାକି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟ ଇଙ୍ଗିତ କରୁଛି । ସରକାର 5T ଯୋଜନାରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା ତଥା ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସର୍ବୋପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓ ପିଲାଙ୍କୁ ଶିକ୍ଷାପ୍ରତି ଆକର୍ଷିତ କରିବା ପାଇଁ ୟୁନିଫର୍ମ ପୋଷାକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ହେଲେ ବିଛଣାପୁର ପ୍ରକଳ୍ପ ପ୍ରଥମିକ ବିଦ୍ୟାଳୟରେ ସେସବୁର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏ ଦିଗରେ 5T ସଚିବ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.