ETV Bharat / state

ଦେବଗଡ଼ରେ ମୋବାଇଲ ଟାୱାର ରାଜନୀତି, ଶେଷ ହୋଇପାରୁନି ଟାୱାର ନିର୍ମାଣ କାର୍ଯ୍ୟ

author img

By

Published : Feb 15, 2022, 9:22 PM IST

ମୋବାଇଲ ଟାୱାରକୁ ନେଇ ଚାଲିଛି ରାଜନୀତି । ମୋବାଇଲ ସେବା ଉପଲବ୍ଧ ନ ହେଉଣୁ ଏହାର ଶ୍ରେୟ ନେବାପାଇଁ ତତ୍ପର ହୋଇ ଉଠିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢ଼ନ୍ତୁ

political parties doing politics while no mobile tower in tileibani of deogarh
ଦେବଗଡ଼ରେ ମୋବାଇଲ ଟାୱାର ରାଜନୀତି, ଶେଷ ହୋଇ ପାରୁନି ଟାୱାର ନିର୍ମାଣ କାର୍ଯ୍ୟ

ଦେବଗଡ଼: ମୋବାଇଲ ଟାୱାରକୁ ନେଇ ଚାଲିଛି ରାଜନୀତି । ମୋବାଇଲ ସେବା ଉପଲବ୍ଧ ନ ହେଉଣୁ ଏହାର ଶ୍ରେୟ ନେବାପାଇଁ ତତ୍ପର ହୋଇ ଉଠିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍‌ର ଝରାଗୋଗୁଆ, ପାରପୋଷି, ଡିମିରିକୁଦା, ଝାରମୁଣ୍ଡା ଓ ଗଣ୍ଡମ ଆଦି ୫ଟି ପଞ୍ଚାୟତରେ ମୋବାଇଲ ସେବା ଉପଲବ୍ଧ ନଥିବାରୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇ ବ୍ୟାପକ ଜନ ଆନ୍ଦୋଳନ କରିଥିଲେ ।

ଦେବଗଡ଼ରେ ମୋବାଇଲ ଟାୱାର ରାଜନୀତି, ଶେଷ ହୋଇ ପାରୁନି ଟାୱାର ନିର୍ମାଣ କାର୍ଯ୍ୟ

ଏହା ପ୍ରଶାସନ ଓ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏହି ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ସରକାର ତରବରିଆ ଭାବେ ଝରାଗୋଗୁଆ ଠାରେ ଏକ ଘରୋଇ ସଂସ୍ଥାର ମୋବାଇଲ ଟାୱାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଟାୱାର ପାଇଁ ଝରାଗୋଗୁଆ ଗାଁରେ ଏକ ଗାତ ଖୋଳାଯାଇ ସେଠାରେ ଟାୱାରର କିଛି ଉପକରଣ ଗଦା କରାଯାଇଛି । ବାସ୍‌, ସେତିକିରେ ହିଁ ଅଟକି ରହିଛି ଟାୱାର ନିର୍ମାଣ କାର୍ଯ୍ୟ । ଇତିମଧ୍ୟରେ ୧୫ ଦିନ ବିତିବାକୁ ବସିଥିଲେ ସୁଦ୍ଧା ଟାୱାର ନିର୍ମାଣ କାର୍ଯ୍ୟ ଆଉ ଆଗେଇ ପାରୁନାହିଁ ।

ସେପଟେ, ଟାୱାର ନିର୍ମାଣରେ ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ନିର୍ବାଚନ ବେଳେ ଏହା କିଛି ନୂଆ କଥା ନୁହେଁ । ଗତ ୨୦୧୭ ମସିହାରେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ମୋବାଇଲ ସେବା ଯୋଗାଇ ଦେବାର ପ୍ରତିଶୃତି ଦେଇ ସରକାର ଡ଼ିମିରିକୁଦା ଠାରେ ଆଉ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହା ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ଏଭଳି ସ୍ଥିତିରେ ଝରାଗୋଗୁଆ ଗାଁରେ ଟାୱାର ନିର୍ମାଣ କରି ସରକାର ଲୋକଙ୍କୁ ମୋବାଇଲ ସେବା ଯୋଗାଇ ଦେବେ , ନା ଏହା କେବଳ ଏକ ନିର୍ବାଚନୀ ଧୂଆଁବାଣ ? ସେନେଇ ସନ୍ଦିହାନ ହୋଇ ପଡିଛନ୍ତି ଅଞ୍ଚଳବାସୀ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.