ETV Bharat / state

କାମରେ ଆସୁନି ଚେକଡ୍ୟାମ, ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Sep 16, 2023, 1:31 PM IST

ଦେବଗଡ଼ ଜିଲ୍ଲା କଲଣ୍ଡା ପଞ୍ଚାୟତର ବାସୁଦେବପୁର ଗ୍ରାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଚେକଡ୍ୟାମ ଶୁଖିଲା ପଡିଛି । ଏନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

କାମରେ ଆସୁନି ଚେକଡ୍ୟାମ
କାମରେ ଆସୁନି ଚେକଡ୍ୟାମ

କାମରେ ଆସୁନି ଚେକଡ୍ୟାମ

ଦେବଗଡ: ଜଳ ସଂରକ୍ଷଣ ଓ ଚାଷଜମିକୁ ଜଳସେଚନ ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସରକାର ଚେକଡ୍ୟାମ ନିର୍ମାଣ କଲେ । ମାତ୍ର ଲାଭଖୋର ଠିକାଦାର ଓ ବେପରୁଆ ଯନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁଁ ଏହାର ସୁଫଳ ଚାଷୀ ପାଇପାରିଲେ ନାହିଁ । ବର୍ଷାଋତୁରେ ବି ଶୁଖିଲା ପଡିଛି ଚେକଡ୍ୟାମ । ତେବେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା କଲଣ୍ଡା ପଞ୍ଚାୟତର ବାସୁଦେବପୁର ଗ୍ରାମରେ ।

ତେବେ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମ ନିକଟସ୍ଥ ରମ୍ଭାଦେବୀ ପୀଠ ନିକଟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗତ ଜୁଲାଇ କିମ୍ବା ଅଗଷ୍ଟ ମାସରେ ନିର୍ମାଣ ହୋଇଥିଲା ଚେକଡ୍ୟାମ । ତିଳେଇବଣି ବ୍ଲକ ତରଫରୁ ନିର୍ମାଣ ହୋଇଥିବା ଏହି ଚେକଡ୍ୟାମରେ ପ୍ରାୟ 10 ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହି ଚେକଡ୍ୟାମଟି ଡିପାର୍ଟମେଣ୍ଟାଲ ହୋଇଥିବା ବେଳେ ଏହାକୁ ନିର୍ମାଣ କରିଥିଲେ ସ୍ଥାନୀୟ ଠିକାଦାର । ହେଲେ ଏହାର ନିର୍ମାଣ କାର୍ଯ୍ୟ ଏଷ୍ଟିମେଟ ଅନୁଯାୟୀ କରାନଯାଇ ଅତ୍ୟନ୍ତ ନିମ୍ନମାନର କାମ କରାଇଥିବା କାରଣରୁ ଏହା ଚାଷୀଙ୍କ କାର୍ଯ୍ୟରେ ଆସିପାରୁନାହିଁ । ଡ୍ୟାମର କଂକ୍ରିଟ କାର୍ଯ୍ୟଟି ଅତି ନିମ୍ନ ମାନର ହୋଇଥିବା ବେଳେ ଉଚ୍ଚତା ମଧ୍ୟ ଯଥେଷ୍ଟ କମ ରହିଛି । ତେଣୁ ଏହାର ସ୍ଥାୟୀତ୍ବ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁଁ ଚଳିତ ବର୍ଷା ଋତୁରେ ଏହି ଡ୍ୟାମରେ ରମ୍ଭାଦେବୀ ପାହାଡ଼ରୁ ବୋହି ଆସୁଥିବା ବର୍ଷାଜଳ ରହି ନ ପାରି ନିଷ୍କାସିତ ହୋଇ ଯାଉଛି । ଆପ୍ରୋଚ ବନ୍ଧ ମଧ୍ୟ ଦୁର୍ବଳ ଥିବାରୁ ବର୍ଷାରେ ଧୋଇଗଲାଣି । ଚଳିତ ବର୍ଷ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସତ୍ତ୍ୱେ ଡ୍ୟାମରେ ବର୍ଷାଜଳ ସଂଗୃହୀତ ହୋଇନପାରି ନିଷ୍କାସନ ହୋଇଯାଉଛି । ତେଣୁ ବର୍ଷା ଋତୁରେ ବି ଶୁଖିଲା ପଡ଼ିଛି ଏହି ଚେକଡ୍ୟାମ । ଫଳରେ ଯେଉଁ ଲକ୍ଷ ଓ ଆଭିମୁଖ୍ୟରେ ସରକାର ଅଜସ୍ର ଅର୍ଥ ବ୍ୟୟ କରି ଏହି ଚେକଡ୍ୟାମଟି ନିର୍ମାଣ କରାଇଥିଲେ, ତାହା ଫଳପ୍ରଦ ହୋଇ ପାରିଲାନାହିଁ ।

ଏହା ମଧ୍ୟ ପଢନ୍ତୁ- ପୁଣି ଖୋଲିଲା ହୀରାକୁଦର 6ଟି ଗେଟ, 20ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ଏହି ଡ୍ୟାମ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥିବା ଚାଷୀକୁଳ ମଧ୍ୟ ନିରାଶ ହୋଇଛି । ଏହି ଚେକଡ୍ୟାମର ନିର୍ମାଣ କାର୍ଯ୍ୟ ଯଦି ଏଷ୍ଟିମେଟ ଅନୁଯାୟୀ ହୋଇଥାନ୍ତା, ତାହେଲେ ଏଠାରେ ଏକ ବୃହତ ଜଳାଶୟ ସୃଷ୍ଟି ହେବା ସହ ଉଭୟ ଖରିଫ ଓ ରବି ଫସଲ ପାଇଁ ଏହି ଅଞ୍ଚଳର ଚାଷଜମିକୁ ପର୍ଯ୍ୟାପ୍ତ ଜଳ ଯୋଗାଇବାରେ ସକ୍ଷମ ହୋଇଥାନ୍ତା । ମାତ୍ର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କାରଣରୁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳର ଚାଷୀକୂଳ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.