ETV Bharat / state

ନିର୍ବାଚନ ପୂର୍ବରୁ ଉଠିଲା ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ପ୍ରତାପ ଜେନାଙ୍କୁ ଭର୍ତ୍ସନା କଲେ ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Jan 12, 2024, 8:47 PM IST

Mahanga Double Murder: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଉଠିଲା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ମଞ୍ଚ ଉପରୁ ସିଧାସଳଖ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ପ୍ରତାପ ଜେନାଙ୍କୁ ଭର୍ତ୍ସନା କଲେ ଧର୍ମେନ୍ଦ୍ର
ପ୍ରତାପ ଜେନାଙ୍କୁ ଭର୍ତ୍ସନା କଲେ ଧର୍ମେନ୍ଦ୍ର

ପ୍ରତାପ ଜେନାଙ୍କୁ ଭର୍ତ୍ସନା କଲେ ଧର୍ମେନ୍ଦ୍ର

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌ରେ ବିଜେଡି ବିଧାୟକ ପ୍ରତାପ ଜେନା । କଟକ ଗସ୍ତରେ ଆସି ବିଜେଡି ସରକାର ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ମାହାଙ୍ଗାରେ ଅନୁଷ୍ଠିତ ହେଉଥିବା ଏକ ଯୁବ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ସ୍ଥାନୀୟ ବିଧାୟକଙ୍କୁ କରିଛନ୍ତି ଟାର୍ଗେଟ । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ନାଁ ନନେଇ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଏହି ଘଟଣାକୁ ଅନେକ ବର୍ଷ ବିତିଥିଲେ ସୁଦ୍ଧା ଏଯାବତ ଉଭୟଙ୍କ ପରିବାରକୁ ନ୍ୟାୟ ମିଳିନାହିଁ । ତେଣୁ ସମୟ ଆସିଛି ଏହି ପ୍ରଭାବଶାଳୀ ନେତାଙ୍କୁ ଦଣ୍ଡ ଦେବା ପାଇଁ ସମସ୍ତେ ଏକଜୁଟ ହେବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

21 ଜାନୁଆରୀ 2021ରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ହୋଇଥିଲା । ଏହି ଘଟଣା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲା । ନିହିତ ସ୍ବାର୍ଥ ପାଇଁ ତାଙ୍କ ହତ୍ୟା ହୋଇଥିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, "ଆଜି ବି କୁଳମଣି ବରାଳଙ୍କ ହତ୍ୟାକାରୀ ପ୍ରଭାବଶାଳୀ ଓ ନିର୍ଦ୍ବନ୍ଦ୍ବରେ ବୁଲୁଛନ୍ତି ।" ସେ ନୃଶଂସ ବିଧାୟକ ବୋଲି ମଧ୍ୟ ମଞ୍ଚ ଉପରେ ଅଭିଭାଷଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଏହି ଘଟଣାକୁ ଅନେକ ବର୍ଷ ବିତିଥିଲେ ସୁଦ୍ଧା ଏଯାବତ ଉଭୟଙ୍କ ପରିବାରକୁ ନ୍ୟାୟ ମିଳିପାରିନାହିଁ । ତେଣୁ ସମୟ ଆସିଛି ଏହି ପ୍ରଭାବଶାଳୀ ନେତାଙ୍କୁ ଦଣ୍ଡ ଦେବା ପାଇଁ ସମସ୍ତେ ଏକଜୁଟ ହେବା ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ...ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

ଉଲ୍ଲେଖଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି । ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.