ETV Bharat / state

ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ; ଭାଇରାଲ ଅଡିଓ ନେଇ ତେଜିଲା ରାଜନୀତି

author img

By

Published : Aug 16, 2023, 10:35 PM IST

କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ବାତରୋଗରେ ପୀଡ଼ିତ ହୋଇ ଝିଅର ମୃତ୍ୟୁ ଘଟିଥିବା କହିଲେ ପରିବାର । ଅଡିଓ ଭାଇରାଲ ପରେ ଭିନ୍ନ ଅଭିଯୋଗ ଆଣିଲା ସାମାଜିକ ସଂଗଠନ । ଅଧିକ ପଢ଼ନ୍ତୁ

ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ
ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ

ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: ମାହାଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ ମୃତ୍ୟୁ ପରେ ଏକ ଅଡିଓ ଭାଇରାଲ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ହୋଇନାହିଁ । ଆଜି ଏକ ସାମାଜିକ ସଂଗଠନ ପକ୍ଷରୁ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ମାହାଙ୍ଗା ଥାନାଧିକାରୀଙ୍କୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

ସେପଟେ ବାତରୋଗରେ ପୀଡ଼ିତ ହୋଇ ଗତ ଜୁନ ୧୮ ତାରିଖରେ ଝିଅର ମୃତ୍ୟୁ ଘଟିଥିଲା, ହେଲେ ଝିଅକୁ ବଦନାମ କରିବା ପାଇଁ କିଛି ଲୋକେ ଏପରି ଅପଚେଷ୍ଟା କରୁଥିବା କଥା କହିଛନ୍ତି ମୃତ ନାବାଳିକାଙ୍କ ବାପା । ତେବେ ଭାଇରାଲ ହେଉଥିବା ଅଡିଓଟି ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଏବଂ ନାବାଳିକା ପଢୁଥିବା ସ୍କୁଲର ଖେଳ ଶିକ୍ଷକଙ୍କ ମାଆଙ୍କ ମଧ୍ୟରେ ବାର୍ତ୍ତାଳାପ ବୋଲି ଅଭିଯୋଗ ହୋଇଛି । ତେବେ ସେହି ଅଡିଓରୁ ନାବାଳିକାଙ୍କ ସହ ସଂପୃକ୍ତ କ୍ରୀଡା ଶିକ୍ଷକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଜଣାପଡ଼ୁଛି । ନାବାଳିକାଙ୍କ ପରିବାର ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯିବା ପରେ ଜୁନ୍ ୧୮ ତାରିଖରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ପରେ ପରିବାର ଲୋକେ ଅତି ତରବରିଆ ଭାବେ ଅନ୍ତିମ ସଂସ୍କାର କରିଦିଆଇଛି । ଏହାସହ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ସତ୍କାର ପରେ ସେହି ସ୍ଥାନରୁ ମାଟି ପାଉଁଶ ନଦୀରେ ଫିଙ୍ଗି ଦିଆଯାଇଥିବା ଭାଇରାଲ ଅଡିଓ କ୍ଲିପ୍‌ରେ ଶୁଣିବାକୁ ମିଳିଛି । ଏହିସବୁ କାର୍ଯ୍ୟପାଇଁ ଉକ୍ତ ମହିଳାଙ୍କୁ ୭୦ ହଜାର ଟଙ୍କା ମଧ୍ୟ ମାଗୁଥିବା ମଧ୍ୟ ଶୁଣିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଉକ୍ତ ସ୍କୁଲର ଜଣେ କ୍ରୀଡା ଶିକ୍ଷକଙ୍କ ସହ ନାବାଳିକାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଏନେଇ ନାବାଳିକାଙ୍କ ପରିବାର ଲୋକ ଜାଣିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରି ଦେଇଥିଲେ । ମାତ୍ର ପରିବାର ଲୋକେ ମୃତଦେହକୁ ଅତି ତରବରିଆ ଭାବରେ ସତ୍କାର କରିଦେଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ନକରାଇ କାହିଁକି ଅତି ତରବରିଆ ଭାବରେ ସତ୍କାର କରିଦେଲେ ଏବଂ ସତ୍କାର ପରେ କାହିଁକି ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ ନଦୀରେ ଭସାଇଦେଲେ, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସବୁଠାରୁ ବଡ଼ କଥା ହେଉଛି, ଏ ସଂପର୍କରେ ଏକ ଅଡିଓ ଏବେ ଭାଇରାଲ ହେଉଛି । ଏହି ଅଡିଓ ନାବାଳିକାଙ୍କ ଅନ୍ତିମ ସତ୍କାରକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ଜାଣିଶୁଣି ଅର୍ଦ୍ଧ ଦଗ୍ଧ ଶରୀରକୁ ପାଣିରେ ପକାଯାଇଥିବା ଏହି ଅଡିଓରେ କୁହାଯାଇଛି । ସେହିପରି ଏହିକଥା ଚପାଇବା ପାଇଁ ଉଦ୍ୟମ କରାଯାଇଥିବା କଥା ବି ସ୍ପଷ୍ଟ ଜଣାପଡୁଛି । ତେବେ ଏହି ଅଡିଓଟିର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ଏନେଇ ନାବାଳିକାଙ୍କ ବାପା କହିଛନ୍ତି ତାଙ୍କ ଝିଅର ବାତରୋଗ ପାଇଁ ମୃତ୍ୟୁ ଘଟିଛି । ଯଦି ବାତରୋଗ ଥିଲା, ତେବେ ହସ୍ପିଟାଲକୁ କାହିଁକି ନେଲେନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।

ସେହିପରି ଏହି ପ୍ରସଙ୍ଗରେ ଅଡିଓ ଭାଇରାଲ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି । ସବୁ ଦିଗକୁ ନେଇ ଘଟଣାର ତଦନ୍ତ କରାଯାଉଛି । ଯିଏ ବି ଦୋଷୀ ପ୍ରମାଣିତ ହେବ, ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.