ETV Bharat / state

ଉପନିର୍ବାଚନରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଲେ ଯିବି: ମୋକିମ

author img

By

Published : Apr 29, 2023, 3:40 PM IST

ଝାରସୁଗୁଡା ଉପନିର୍ବାଚନକୁ ନେଇ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ ଉପନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଲେ ନିଶ୍ଚୟ ଯିବି । ଅଧିକ ପଢନ୍ତୁ

ଉପନିର୍ବାଚନକୁ ନେଇ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା
ଉପନିର୍ବାଚନକୁ ନେଇ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା

ଉପନିର୍ବାଚନକୁ ନେଇ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା

କଟକ: କଂଗ୍ରେସ ସଙ୍ଗଠନ ସଂରଚନାକୁ ନେଇ ସୁର ରାଉତଙ୍କ ପ୍ରତିକ୍ରିୟା ଯଥାର୍ଥ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ । ସଂଗଠନ ସଂରଚନା କଲାବେଳେ ରାଜ୍ୟ କଂଗ୍ରେସ ପାଇଁ ସୁର ରାଉତଙ୍କ ଅବଦାନ କଥା ବିଚାରକୁ ନେବାର ଆବଶ୍ୟକତା ଥିଲା ବୋଲି ମୋକିମ୍ କହିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନହେବା ପ୍ରଶ୍ନରେ ବାରବାଟୀ ବିଧାୟକ କହିଛନ୍ତି ଯେ, କଂଗ୍ରେସ ପଦାଧିକାରୀ ଯଦି ଫଟୋ ଉଠାଇବା ଏବଂ ଭୁବନେଶ୍ୱରରେ ଡେରା ପକାଇବା ଛାଡି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମସ୍ୟା କଥା ବୁଝିବେ ତାହାହେଲେ ୨୦୨୪ ନିର୍ବାଚନରେ ଦଳ କ୍ଷମତାକୁ ଫେରିପାରିବ । ଏହାସହିତ ସେ ଝାରସୁଗୁଡା ଉପନିର୍ବାଚନରେ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋକିମ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଆଗମୀ ଉପନିର୍ବାଚନ କଂଗ୍ରେସକୁ ଆହୁରି ମଜଭୁତ କରିବ । ଯଦି ନିର୍ବାଚନୀ ପ୍ରଚାରରେ ସାମିଲ ହେବାକୁ ଝାରସୁଗୁଡା ଜିଲ୍ଲା ସଭାପତିଙ୍କ ନିକଟରୁ ନିମନ୍ତ୍ରଣ ଆସେ ତେବେ ନିଶ୍ଚୟ ସାମିଲ ହେବି । ଦଳ ପାଇଁ ପୂର୍ବରୁ ଯେଉଁ ଭଲ ପାଇବା ଥିଲା ତାହା ଏବେବି ରହିଛି ଓ ଆଗକୁ ରହିବ । କେବଳ ଯେ ଭୁବନେଶ୍ୱର ପାଟି ଅଫିସ ଯାଇ ଫଟୋ ଉଠାଇଦେଲେ କଂଗ୍ରେସ ମଜଭୁତ ହେବନି, ବରଂ 147 ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦାୟିତ୍ୱ ଆହୁରି ମଜଭୁତ ହେବା ଦରକାର । ଆଗମୀ ଉପନିର୍ବାଚନକୁ ଆଧାର କରି 2024 ନିର୍ବାଚନ ପାଇଁ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିବ । ଦଳରେ ଅନେକ ହେବିୱଟ ଅଛନ୍ତି । ସମସ୍ତେ ଏକ ହୋଇ କାମ କଲେ ଦଳ ନିଶ୍ଚୟ ଜିତିବ ।

ବିଗତ କିଛି ମାସ ଧରି ମୋକିମ କଂଗ୍ରେସ ଛାଡିବା ନେଇ ଏକ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏପରି ସ୍ଥଳେ କଟକ ନଗର ସଭାପତି ସୁରେଶ ମହାପାତ୍ର ମୋକିମଙ୍କ ଦଳରେ ଉପସ୍ଥିତି ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, ମୋକିମ କଂଗ୍ରେସରେ ଅଛନ୍ତି ନାଁ ନାହାନ୍ତି ତାହା ମଧ୍ୟ ସ୍ପଷ୍ଟ ନାହିଁ । ଯେବେ ସେ ରାଷ୍ଟ୍ରପତି ନିର୍ବାଚନରେ ବିପକ୍ଷ ଦଳକୁ ଭୋଟ ଦେଲେ ତାହା ପରଠୁ ତାଙ୍କ ଗତି କ'ଣ ତାହା କାହାରିକୁ ଜଣାନାହିଁ । ତାଙ୍କୁ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ବର୍ତ୍ତମାନ ସେ ଦଳରେ ଅଛନ୍ତି ନା ନାହାନ୍ତି ତାହା ସମସ୍ତଙ୍କୁ ଅଗୋଚର ।

ପୂର୍ବରୁ କଟକରେ ଯେବେ ନଗର କଂଗ୍ରେସର ନୂଆ ସଭାପତି ଚୟନ ହେଲା ଓ ଅନେକ କାର୍ଯ୍ୟକ୍ରମକୁ ତାଙ୍କୁ ଡକାଗଲା ସେ ଆସିଲେନି । ସେଥିପାଇଁ ତାଙ୍କୁ ଏବେ କୌଣସି କାର୍ଯ୍ୟକ୍ରମକୁ ଡ଼କାଯାଉ ନାହିଁ । ଯଦି ମୋକିମ 2024 ପୂର୍ବରୁ ଦଳରୁ ଯାଉଛନ୍ତି ତେବେ ଦଳ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବନି ବୋଲି ପରୋକ୍ଷରେ କହିଛନ୍ତି ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ଏସବୁ ଭିତରେ ଝାରସୁଗୁଡା ନିର୍ବାଚନରେ ମୋକିମଙ୍କ ଭୂମିକା କ'ଣ ରହିବ ସେନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.