ETV Bharat / state

ଇହ ରାଇଜରୁ ଉଭେଇଗଲେ ସ୍ବରୂପ, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

author img

By ETV Bharat Odisha Team

Published : Oct 28, 2023, 8:08 PM IST

Updated : Oct 28, 2023, 8:50 PM IST

ପଞ୍ଚଭୂତରେ ଲୀନ ହେଲେ ସ୍ବରୂପ ନାୟକ । କଟକ ସତିଚୌରା ଶ୍ମଶାନରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

Last rites of Swarup Nayak
Last rites of Swarup Nayak

ଇହ ରାଇଜରୁ ଉଭେଇଗଲେ ସ୍ବରୂପ, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

କଟକ: ପଞ୍ଚଭୂତରେ ଲୀନ ହେଲେ ଓଲିଉଡ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କର ପରଲୋକ ଘଟିଥିଲା । ଶ୍ମଶାନରେ ଅନ୍ତିମ ଦର୍ଶନ କଲେ ଆତ୍ମୀୟସ୍ବଜନ, ସିନେ ଜଗତର ତାରକା, ରାଜନେତା ଓ ପ୍ରଶାସନିକ ଅଧିକାରୀ । ମୁଖାଗ୍ନି ଦେଲେ ବଡ ଝିଅ ନିର୍ଭିତି ନାୟକ । ବେଶ ଶୋକାକୁଳ ପରିବେଶ ବିଦାୟ ନେଲେ ସ୍ବରୂପ ।

ଓଡ଼ିଆ ସଙ୍ଗୀତ ଜଗତରେ ଜଣେ ଅଗ୍ରଣୀ ଚେହେରାଙ୍କୁ ଗତକାଲି ହରାଇ ଦେଲା ଓଲିଉଡ ଜଗତ। ଯାହାକୁ ନେଇ ସ୍ତବ୍ଧ ହେଇଗଲା ଓଡ଼ିଆ ସିନେ ଜଗତ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି । କଟକ ସତିଚୌରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । କଟକ ସିଡିଏ ସ୍ଥିତ ବାସ ଭବନରୁ ଅନ୍ତିମ ଶୋଭାଯାତ୍ରାରେ ବାହାରି ପୈତୃକ ଘର କାଫଲା ବଜାର ଓ ପରେ ସତି ଚୌରା ମହା ଶ୍ମଶାନରେ ପହଞ୍ଚିଥିଲେ ସ୍ବରୂପ। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ ।

ଏହା ବି ପଢନ୍ତୁ- Swarup Nayak Passes Away: ନୀରବି ଗଲା ସ୍ବରୂପ ନାୟକଙ୍କ ସ୍ବର

୧୯୪୭ ଫେବୃଆରୀ ୮ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ସ୍ବରୂପ ନାୟକ । ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଭାବେ ସେ ଥିଲେ ବେଶ ଜଣାଶୁଣା । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଛନ୍ତି ସ୍ବରୂପ ନାୟକ । ସ୍ବରୂପଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ସିନେ ଜଗତର ବରିଷ୍ଠ ଅଭିନେତା, ଗୀତିକାର, ଗାୟକ ଓ ଆତ୍ମୀୟ ପରିଜନମାନେ ଉପସ୍ଥିତ ଥିଲେ ।

ସ୍ବରୂପଙ୍କ ଅନ୍ତିମ ସହ ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ । ମୁଖାଗ୍ନି ଦେଲେ ବଡ ଝିଅ ନିର୍ଭିତି ନାୟକ। ଏହା ସହ ସାନ ଝିଅ ନିଦ୍ରା ନାୟକ ମଧ୍ୟ ଅନ୍ତିମ ସଂସ୍କାର ପାଖରେ ଉପସ୍ଥିତ ଥିଲେ । ସ୍ବରୂପ ଜଣେ ସଂଗୀତ ନିର୍ଦ୍ଦେଶକ ନୁହେଁ ବରଂ ଜଣେ ଭଲ ମଣିଷ ଥିଲେ । ଆଜି ସ୍ବରୂପଙ୍କ ଦେହାନ୍ତ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ କହିଛନ୍ତି।

ଏହା ବି ପଢନ୍ତୁ- ସ୍ବରୂପ ନାୟକଙ୍କ ବିୟୋଗରେ ଶୋକପ୍ରକାଶ କଲେ ସଙ୍ଗୀତଜ୍ଞ, ମୋ ବାବୁ ଚାଲିଗଲା କହିଲେ ପ୍ରଶାନ୍ତ ନନ୍ଦ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବରୂପଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା । ଅନ୍ତିମ ଦର୍ଶନ ପାଇଁ କଟକ ଜିଲ୍ଲାପାଳ, ମେୟର ପ୍ରମୁଖ ଉପସ୍ଥିତ ରହିବା ସହ ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ ଭାବବିହ୍ବଳ ହୋଇ ବିଦାୟୀ ଦେଇଥିଲେ । ଓଡ଼ିଆ ସିନେ ଜଗତ ପାଇଁ ଏହି କ୍ଷତି ସର୍ଵଦା ଅପୂରଣୀୟ । ଆଜି ସ୍ବରୂପ ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କ ଗୀତ ମାଧ୍ୟମରେ ଆଜି ଓ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡ଼ିଆମାନେ ତାଙ୍କୁ ମନେ ରଖିବେ ।

ଇଟିଭି ଭାରତ, କଟକ

Last Updated : Oct 28, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.