ETV Bharat / state

ହାଇକୋର୍ଟରେ ପୁରୁଣା ଫିଲ୍ମ ସଂରକ୍ଷଣ ମାମଲା, ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Aug 25, 2023, 8:39 AM IST

ପୁରୁଣା ଚଳଚ୍ଚିତ୍ର ସଂରକ୍ଷଣ ମାମଲା । ଏହା ଉପରେ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ହାଇକୋର୍ଟରେ ପୁରୁଣା ଫିଲ୍ମ ସଂରକ୍ଷଣ ମାମଲା
ହାଇକୋର୍ଟରେ ପୁରୁଣା ଫିଲ୍ମ ସଂରକ୍ଷଣ ମାମଲା

କଟକ: ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୁଡିକର ସଂରକ୍ଷଣ ପାଇଁ ପଲିସି ଆଣିବାର ଆବଶ୍ୟକତା ରହିଛି । ପୁରୁଣା ଚଳଚ୍ଚିତ୍ର ଗୁଡିକୁ କିପରି ସଂରକ୍ଷିତ କରି ରଖାଯାଇ ପାରିବ ସେନେଇ ନୂଆ ନୀତି ପ୍ରଣୟନ ପ୍ରସଙ୍ଗରେ ସରକାର ବିଚାର କରିବାକୁ ହାଇକୋର୍ଟ ଗୁରୁତ୍ବ ଦେଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ଏହାର ବିଚାର କରି ଉପଯୁକ୍ତ ନିଷ୍ପତ୍ତି ‌ଗ୍ରହଣ କରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସାମ୍ବାଦିକ ଶ୍ରୀରାମ ଦାଶଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି ।

ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'ମାଟିର ବନ୍ଧନ' ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଅତ୍ୟାଅଧୁନିକ ଜ୍ଞାନକୌଶଳର ବ୍ୟବହାର କରି 'ମାଟିର ବନ୍ଧନ' ଚଳଚ୍ଚିତ୍ରର ଡିଜିଟାଇଜେସନ୍ କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ବିରୋଧ କରି ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ, ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ଅଭିନୀତ ମାଟିର ବନ୍ଧନ ଚଳଚ୍ଚିତ୍ରରେ ପ୍ରଭୁ ଗଣେଶ, ମା' ଦୁର୍ଗା, ମା' କାଳୀଙ୍କ ମାଟିର ମୂର୍ତ୍ତି ନିର୍ମାଣ ବିଷୟ ରହିଛି । ମାଟି ମୂର୍ତ୍ତି ନିର୍ମାଣର ଓଡ଼ିଆ ସଂସ୍କୃତି ଓ ପରମ୍ପରାର କଥା ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇଛି । କଟକ ସହରର ପାରମ୍ପରିକ ମାଟି ମୂର୍ତ୍ତି ନିର୍ମାଣକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଚଳଚ୍ଚିତ୍ରଟି ବିଧିବଦ୍ଧ ଭାବେ ମୁକ୍ତିଲାଭ କରିନଥିଲା । କିନ୍ତୁ ମୁମ୍ବାଇ ଓ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହା ପ୍ରଦର୍ଶିତ ହେବା ସହିତ ବହୁ ପ୍ରଶଂସା ସାଉଁଟିଥିଲା ।

ଏହାମଧ୍ୟ ପଢନ୍ତୁ: ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ, ଅନ୍ତରୀଣ ନିର୍ଦ୍ଦେଶ ହଟାଇଲେ ହାଇକୋର୍ଟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଗଳ୍ପ 'ଦି ଟ୍ରଙ୍କ୍ ଅଫ ଗଣେଶ' ଉପରେ ଆଧାରିତ ଏହା ଏକ ଉଚ୍ଚକୋଟୀର ଚଳଚ୍ଚିତ୍ର ‌ବୋଲି ସମାଲୋଚକମାନେ ମତ ଦେଇଥିଲେ । ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ୨୦୧୨ରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା । ଏଥିସହ ଫିଲ୍ମର ଦୁଇଟି ପ୍ରିଣ୍ଟ ସହିତ ନେଗେଟିଭ କ୍ରାଇମବ୍ରାଞ୍ଚ ଜବତ କରିଥିଲା । ଯଦି ଏହି ଚଳଚ୍ଚିତ୍ରର ପ୍ରିଣ୍ଟ ସଂରକ୍ଷଣ କରାନଯାଏ ତେବେ ଏହା ନଷ୍ଟ ହୋଇଯିବ । ଚଳଚ୍ଚିତ୍ରର ସଂରକ୍ଷଣ ପ୍ରସଙ୍ଗକୁ ନେଇ ଗତ ମେ' ୨୨ରେ ଆବେଦନକାରୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.