ETV Bharat / state

ବିଡାନାସି ବବୁଲୁ ମୃତ୍ୟ ଘଟଣା, ସିସିଟିଭି ଯାଞ୍ଚ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ଡିସିପି

author img

By

Published : Jul 22, 2023, 9:34 PM IST

Updated : Jul 22, 2023, 10:51 PM IST

କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରି ପରେ ମହାନଦୀରୁ ମୃତଦେହ ମିଳିବା ଘଟଣା । ସିସିଟିଭି ଫୁଟେଜ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ କଟକ ଡିସିପି । ଅଧିକ ପଢନ୍ତୁ

Etv Bharat
Etv Bharat

ବିଡାନାସି ବବୁଲୁ ମୃତ୍ୟ ଘଟଣା, ସିସିଟିଭି ଯାଞ୍ଚ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ଡିସିପି

କଟକ: ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ମହାନଦୀରୁ ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ କଟକରେ ଜୋର ଧରିଛି ଚର୍ଚ୍ଚା । ପୋଲିସର ଅତ୍ୟାଚାରକୁ ସହି ନ ପାରି ଭୟରେ ମହାନଦୀକୁ ପଶିଯାଇଥିବା ବେଳେ ଗଭୀର ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ କଟକ ଡିସିପି କହିଛନ୍ତି ଯେ ପ୍ରଥମେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ତା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଅଭିଯୁକ୍ତ ଥାନାରୁ ଖସି ପଳାଇବା ପରେ ଯୁବକର ମୃତେଦେହ ଯୋବ୍ରା ମହାନଦୀରୁ ମିଳିବା ଘଟଣାକୁ ନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କ୍ଷତିପୂରଣ ସହ ଯେଉଁ ପୋଲିସ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ବବୁଲୁର ଜୀବନ ଯାଇଛି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଚୋରି ଅଭିଯୁକ୍ତ ପୋଲିସର ଥାର୍ଡ ଡିଗ୍ରୀ ସହି ନ ପାରି ଜୀବନ ବଞ୍ଚାଇବାକୁ ଯାଇ ଥାନା ସାମ୍ନା ମହାନଦୀ ଭିତରକୁ ପଶିଯାଇଥିଲା ବୋଲି କହିଛନ୍ତି ପରିବାର । ହେଲେ ମହାନଦୀର ଗଭୀର ପାଣିରେ ବୁଡି ତାର ମୃତ୍ୟୁ ହୋଇଛି ।

ଏହା ବି ପଢନ୍ତୁ- ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ, ଯୋବ୍ରା ବ୍ୟାରେଜରୁ ମିଳିଲା ମୃତଦେହ

କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତ ମଙ୍ଗଳବାରଠାରୁ ଚମ୍ପଟ ମାରିଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲୁଙ୍କ ମୃତଦେହ ଆଜି ମହାନଦୀରୁ ଉଦ୍ଧାର ହୋଇଛି । ଏକ ଚୋରି ଘଟଣାରେ ପଚରାଉଚରା ପାଇଁ 3 ଦିନ ପୂର୍ବେ ବବୁଲୁଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣିଥିଲା ପୋଲିସ । ହେଲେ ଥାନାରୁ ସେ ଫେରାର ହୋଇ ଯାଇଥିଲା । ବବୁଲୁ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ହୋଇ ଯାଇଥିବା ନେଇ ଶୁକ୍ରବାର ସକାଳେ ଖବର ପ୍ରଚାରିତ ହୋଇଥିଲା । ଏହାକୁ ନେଇ ତନାଘନା ମଧ୍ୟ ଆରମ୍ଭ ହୋଇଥିବା ବେଳେ ଜଣେ ବୟସ୍କ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ବବୁଲୁ ଥାନାରୁ ଚମ୍ପଟ ମାରିଥିବା ପୋଲିସ ସ୍ପଷ୍ଟ କରିଥିଲା । ହେଲେ ଆଜି ସକାଳେ ଯୋବ୍ରା ବ୍ୟାରେଜରୁ ଅଗ୍ନିଶମ ବାହିନୀ ଦ୍ବାରା ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଅପରପଟେ ପୋଲିସ କହିଛି ଚୋରି ଅଭିଯୋଗରେ ଥାନାରେ କେବଳ ତାକୁ ପଚରାଉଚରା କରାଯାଉଥିଲା । ତା ନାମରେ ପୂର୍ବରୁ ମଧ୍ୟ ଗୋଟିଏ ମାମଲା ରହିଛି ।ତାକୁ ଥାନାରେ କୌଣସି ପ୍ରକାରର ନିର୍ଯାତନା ଦିଆଯାଉ ନ ଥିଲା ବୋଲି ସ୍ପଷ୍ଟ କରିଇଛି ପୋଲିସ । ଯଦି ସେ ଜଣେ ଅପରାଧୀ ତାକୁ କୋର୍ଟ ଚାଲଣ ନ କରି ଥାନାରେ 3 ଦିନ କାହିଁକି ରଖିଥିଲେ ବୋଲି ପ୍ରଶ୍ନ କହିଛନ୍ତି ପରିବାର ଲୋକେ । ବବୁଲୁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବି ପଠାଯାଇଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।

ସେ କହିଛନ୍ତି, "NHRC ଗାଇଡଲାଇନ ଅନୁସାରେ ତଦନ୍ତ ହେବ । ଯେହେତୁ ଥାନାରୁ ଖସିଛି, କଷ୍ଟୋଡିଆଲ୍‌ ମୃତ୍ୟୁ ଭାବେ ଗ୍ରହଣ କରୁଛୁ । ଗାଇଡଲାଇନ ଅନୁସାରେ ତଦନ୍ତ କରାଯିବ, ଜଣେ ଏଡିସିପି ସମସ୍ତ ଘଟଣାର ତଦନ୍ତ କରିବେ। ସିସିଟିଭି ଫୁଟେଜ ଯାଞ୍ଚ କରାଯିବ, କେଉଁ ପରିସ୍ଥିତିରେ ଫେରାର ହେଲା । ସେ ନେଇ ଯାଞ୍ଚ ହେବ । ଯଦି କାହାର ଅବହେଳା ଯୋଗୁଁ ଅଭିଯୁକ୍ତ ଫେରାର ହୋଇଯାଇଥିବେ, ତା’ହେଲେ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଟକ

Last Updated : Jul 22, 2023, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.