ETV Bharat / state

ତୁଟୁନି ମେୟର-ବିଧାୟକ କଳି; ସୁବାସ ସିଂଙ୍କୁ ଶାଣିତ ସ୍ବରରେ ମୋକିମଙ୍କ କଟାକ୍ଷ

author img

By ETV Bharat Odisha Team

Published : Nov 18, 2023, 9:31 AM IST

ଛିଣ୍ଡୁନି ବିଧାୟକ-ମେୟର କଳି । ଆନ୍ଦୋଳନରୁ ହଟିବା ପରେ ବିରୋଧି କର୍ପୋରେଟରମାନଙ୍କୁ ଭେଟିବା ସହ ସେମାନଙ୍କୁ ସ୍ବାଗତ ଜଣାଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଏଥିସହ ଶାଣିତ ସ୍ବରରେ ମେୟର ସୁବାସ ସିଂଙ୍କୁ କରିଛନ୍ତି ଟାର୍ଗେଟ । ଅଧିକ ପଢନ୍ତୁ

Etv Bharat
Etv Bharat

ତୁଟୁନି ମେୟର- ବିଧାୟକ କଳି

କଟକ: ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘ 5 ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି ସିଏମସି ବିରୋଧୀ କର୍ପୋରେଟର । ଆନ୍ଦୋଳନ ଅବ୍ୟାହତି ପରେ ସେମାନଙ୍କୁ ଭେଟିବା ସହ ଫୁଲତୋଡା ଏବଂ ମିଠା ଖୁଆଇ ସ୍ୱାଗତ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସହରର ସମସ୍ୟାକୁ ନେଇ ବିରୋଧୀ ଯେଉଁ ଢଙ୍ଗରେ ଆନ୍ଦୋଳନ କରିଥିଲେ, ତାହାକୁ ସମର୍ଥନ ମୋକିମ ଜଣାଇଛନ୍ତି । ଏଥିସହ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ଚାପରେ ରହୁଥିବାରୁ ସୁବାସ ବାଚାଳାମି କରୁଥିବା କହିଛନ୍ତି ମୋକିମ ।

କଟକ ସହରର ପ୍ରମୁଖ ସମସ୍ୟାର ସମାଧାନ ନେଇ ଦୀର୍ଘ 5 ଦିନ ହେଲା ଆନ୍ଦୋଳନରେ ବସିରହିଥିବା ବିଜେପି ଓ କଂଗ୍ରେସ କର୍ପୋରେଟର ଶେଷରେ ଆନ୍ଦୋଳନ ଅବ୍ୟାହତି ରଖିଛନ୍ତି । ଯାହାପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ସେମାନଙ୍କୁ ସିଏମସି କାର୍ଯ୍ୟାଳୟରେ ଭେଟିଛନ୍ତି । ସହରର ସମସ୍ୟା ନେଇ ମୁହଁ ଖୋଲିଥିବାରୁ ତାଙ୍କୁ ସମର୍ଥନ ଜଣାଇବା ସହ ସେମାନଙ୍କୁ ଫୁଲତୋଡା ଏବଂ ମିଠା ଖୁଆଇ ସ୍ୱାଗତ କରିଛନ୍ତି ।

ଏହି ସମୟରେ ମେୟର ସୁବାସ ସିଂଙ୍କୁ ମଧ୍ୟ ଶାଣିତ ସ୍ବରରେ କଟାକ୍ଷ କରିଛନ୍ତି ମୋକିମ । ସେ କହିଛନ୍ତି, "ଜଣେ ରାଜନୈତିକ ପରିପକ୍ବ ଥିଲେ ଏପରି କହିବ ନାହିଁ । ସୁବାସ ଅଧିକ ଚାପରେ ରହୁଛନ୍ତି । ବାଚାଳିଆ ଭାବରେ କ'ଣ କହିଛନ୍ତି ସେନେଇ ନ କହିବା ଭଲ ।" ତେବେ 2 ଦିନ ପୂର୍ବରୁ ମୋକିମଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ ସୁବାସ । ଯାହାର ଉତ୍ତରରେ ଏଭଳି ଚତୁର ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୋକିମ ।

ଏହା ମଧ୍ୟ ପଢନ୍ତୁ: ବିବାଦରେ ପୂର୍ଣ୍ଣଚ୍ଛେଦ: ମୁଣ୍ଡ ନୁଆଁଇଲେ ସିଏମସି ମେୟର ଓ କମିଶନର

କ'ଣ କହିଥିଲେ ମେୟର ସୁବାସ ସିଂ: ସିଏମସି ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଥିଲେ ମେୟର ସୁବାସ ସିଂ । ସେ କହିଥିଲେ,"ବାଲିଯାତ୍ରା ଆଉ ଅଳ୍ପ ଦିନ ରହିଥିବାରୁ ସେନେଇ ସିଏମସି ତାହାର କାମ କରୁଛି । ମାତ୍ର ବିରୋଧୀମାନେ ଅଗଣତାନ୍ତ୍ରିକ ଭାବରେ କାଉନସିଲ ଗୃହ ଭିତରେ ଆନ୍ଦୋଳନ କରିଛନ୍ତି ଏବଂ ଯେଉଁ ଢଙ୍ଗରେ ଆନ୍ଦୋଳନ କରୁଛନ୍ତି ତାକୁ ମୁଁ ତୀବ୍ର ବିରୋଧ କରୁଛି । ସିଏମସି କାଉନସିଲ ବୈଠକ ଚାଲୁଥିବା ବେଳେ, ଜଣେ ସିଏମସି ମହିଳା ଅଧିକାରୀଙ୍କୁ ବିରୋଧୀମାନେ ପ୍ରଥମେ ବାଡେଇବାକୁ ଚେଷ୍ଟା କରିଥିଲେ । ବାଲିଯାତ୍ରାକୁ ବନ୍ଦ କରିଦେବାକୁ ସେମାନେ ଚାହୁଁଛନ୍ତି । କଟକର ବିକାଶରେ ସେମାନେ ବାଧା । ଜାଣିଶୁଣି ସେମାନେ ରାଜନୀତି କରୁଛନ୍ତି । ବିଭିନ୍ନ ରାଜନୈତିକ ଶ୍ରେଣୀର ନେତାମାନଙ୍କୁ ଡାକି ସେଠାରେ ଅଗଣତାନ୍ତ୍ରିକ ଭାବରେ ଆନ୍ଦୋଳନ କରୁଛନ୍ତି । ନ୍ୟାୟିକ ବ୍ୟବସ୍ଥା ରହିଛି, ତେବେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ।"

ସେହିପରି ବାଲିଯାତ୍ରାରେ ଅନିୟମିତତା ପ୍ରସଙ୍ଗରେ ମଧ୍ୟ ଉତ୍ତର ରଖିଥିଲେ ମେୟର । ସେ କହିଥିଲେ,"ବାଲିଯାତ୍ରା ପରିଚାଳନା ରାଜ୍ୟ ସରକାର କରୁଛନ୍ତି । ସିଏମସିକୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ସେ କରୁଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାହାର ମନିଟରିଂ କରୁଛନ୍ତି । ଏଥିସହ କର୍ପୋରେଟର ଆନ୍ଦୋଳନରେ ରାଜନୀତିକରଣ ପ୍ରସଙ୍ଗ ଉଠାଇ ସେ ମୋକିମଙ୍କୁ ତେରଚ୍ଛା ବାଣ ମାରିଥିଲେ । ବିଭିନ୍ନ ପ୍ରସଙ୍ଗ ନେଇ ବିଧାୟକ- ମେୟର ମଧ୍ୟରେ ବାରମ୍ବାର ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ସମୟରେ ମଧ୍ୟ ସୁବାସ- ମୋକିମ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.