ETV Bharat / state

ସରକାରୀ ଯୋଜନା ନ ପହଞ୍ଚାଇଲେ ବୌଦ୍ଧ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀ

author img

By

Published : Feb 4, 2022, 10:48 PM IST

ସରକାରୀ ଯୋଜନା ପହଞ୍ଚାଅ, ନଚେତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ବୌଦ୍ଧ ଜିଲ୍ଲା ଉପାନ୍ତ ଅଧିବାସୀ । ଅଧିକ ପଢନ୍ତୁ

ସରକାରୀ ଯୋଜନା ପାଇଁ ଲିଖିତ ପ୍ରତିଶ୍ରୁତି ନଦେଲେ ଭୋଟ ବର୍ଜନ କରିବୁ: ଭୋଟର
ସରକାରୀ ଯୋଜନା ପାଇଁ ଲିଖିତ ପ୍ରତିଶ୍ରୁତି ନଦେଲେ ଭୋଟ ବର୍ଜନ କରିବୁ: ଭୋଟର

ବୌଦ୍ଧ: ସରକାରୀ ଯୋଜନା ପହଞ୍ଚାଅ, ନଚେତ ଭୋଟ ଦେବୁ ନାହିଁ । ଏଭଳି କିଛି ରୋକଠୋକ ମନ୍ତବ୍ୟ ଦେଇଛନ୍ତି ଗରିବ ଖଟିଖିଆ ଗ୍ରାମାଞ୍ଚଳର ଭୋଟର । ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଲେ ଯାଇ ଭୋଟ ଦେବୁ, ନଚେତ୍ ବର୍ଜନ କରିବୁ ବୋଲି ରୋକ୍‌ଠୋକ୍ ମନା କରିଦେଇଛନ୍ତି ।



ସରକାରୀ ଯୋଜନା ନାହିଁ ତ ଭୋଟ ନାହିଁ, ଏଭଳି ମୁଡରେ ବର୍ତ୍ତମାନ ଭୋଟର । ବର୍ଷ ବର୍ଷ ଧରି ଠକି ଚାଲିଥିବା ପଞ୍ଚାୟତ ପ୍ରତିନିଧିଙ୍କ ଦ୍ବାରା ପ୍ରତାରିତ ହେବା ପରେ ବର୍ତ୍ତମାନ ଗରିବ ଭୋଟରଙ୍କ ଏକମାତ୍ର ଆୟୁଧ ନିଜର ବହୁମୂଲ୍ୟ ଭୋଟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମବାସୀ ଏଥର ଭୋଟ ପୂର୍ବରୁ ନେଇଛନ୍ତି ଦୃଢ ନିଷ୍ପତ୍ତି । ରତନପୁର ଗ୍ରାମରେ ପିଢ଼ି ପରେ ପିଢ଼ି ଧରି ବସବାସ କରୁଥିବା ଅନେକ ଅଧିବାସୀଙ୍କ ଜାଗା ଖଣ୍ଡେ ନଥିବା ବେଳେ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇପଡିଥିବା ଅଭିଯୋଗ ହୋଇଛି ।

ସରକାରୀ ଯୋଜନା ପାଇଁ ଲିଖିତ ପ୍ରତିଶ୍ରୁତି ନଦେଲେ ଭୋଟ ବର୍ଜନ କରିବୁ: ଭୋଟର

କେବଳ ନିର୍ବାଚନ ଆସିଲେ ପ୍ରାର୍ଥୀମାନେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରିଛନ୍ତି । କିନ୍ତୁ ଏଥର ସେମାନେ ପ୍ରଥମେ ସରକାରୀ ଯୋଜନା ନେଇ ଲିଖିତ ପ୍ରତିଶ୍ରୁତି ଦେବା ପ୍ରାର୍ଥୀଙ୍କୁ ଭୋଟ ଦେବେ, ନଚେତ ଭୋଟଦାନରୁ ବିରତ ରହିବେ ବୋଲି ସଫା ସଫା ଚେତାବନୀ ଦେଇଛନ୍ତି । ଗ୍ରାମରେ ଅଧିକାଂଶ ଗରିବ ଖଟିଖିଆ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ରାସନ କାର୍ଡ, ସରକାରୀ ପକ୍କାଘର ଭଳି ଯୋଜନା ପହଞ୍ଚି ପାରିନାହିଁ । ପୁରୁଣାକଟକ ପଞ୍ଚାୟତରେ ଚଳିତ ନିର୍ବାଚନରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ଓ ଦୁଇ ଜଣ ସମିତି ସଭ୍ୟ ପ୍ରାର୍ଥୀ ସେମାନଙ୍କ ପ୍ରଚାର ଚଳାଇ ଥିବାବେଳେ ଭୋଟରଙ୍କ ରୋକ୍‌ଠୋକ୍ ଜବାବ ଚିନ୍ତାରେ ପକାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.