ETV Bharat / state

60 ଘଣ୍ଟା ସଟଡାଉନ ପରେ ଦେଖନ୍ତୁ ଭଦ୍ରକ ସ୍ଥିତି

author img

By

Published : Apr 26, 2020, 5:25 PM IST

Updated : Apr 26, 2020, 5:43 PM IST

ଭଦ୍ରକରେ ସଟଡାଉନ କଟକଣା ଉଠିବା ପରେ ପୂର୍ବ ପରି ଲକଡାଉନ କଟକଣା ଜାରି ରହିବ । ବର୍ତ୍ତମାନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଥିବା ବେଳେ ବାସୁଦେବପୁର, ଧାମନଗର, ତିହିଡି ଓ ଭଣ୍ଡାରିପୋଖରୀ ବ୍ଲକର 18ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

60 ଘଣ୍ଟା ସଟଡାଉନ ପରେ ଭଦ୍ରକ ସ୍ଥିତି
60 ଘଣ୍ଟା ସଟଡାଉନ ପରେ ଭଦ୍ରକ ସ୍ଥିତି

ଭଦ୍ରକ: ଜିଲ୍ଲାରେ ରବିବାର ସକାଳ 10ଟାରେ 60 ଘଣ୍ଟା ସଟଡାଉନର ଅବଧି ହଟିଲା । ଏହି ସଟଡାଉନ କଟକଣା ଉଠିବା ପରେ ପୂର୍ବ ପରି ଲକଡାଉନ କଟକଣା ଜାରି ରହିବ । ଏହି ଲକଡାଉନ କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା କୋହଳ କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଏହି କଟକଣା କୋହଳ କରାଯିବ ।

60 ଘଣ୍ଟା ସଟଡାଉନ ପରେ ଦେଖନ୍ତୁ ଭଦ୍ରକ ସ୍ଥିତି

ଜିଲ୍ଲାର ବିଭିନ୍ନ ପୌରାଞ୍ଚଳ ଓ ବ୍ଲକ ମାନଙ୍କରେ ବହି ଦୋକାନ, ମୋଟରସାଇକେଲ ଗ୍ୟାରେଜ, ରଡ ସିମେଣ୍ଟ ଦୋକାନ, ତେଜରାତି ଦୋକାନ, ପରିବା ଦୋକାନ ସମେତ ଅନ୍ୟ କିଛି ଦୋକାନ ଗୁଡିକ ସକାଳ 5ରୁ ଦିନ 1 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । କ୍ଷୀର, ଫଳ ଦୋକାନ ଗୁଡିକ ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ସେଲୁନ, ଲୁଗା ଦୋକାନ, ପାନ, ଗୁଟଖା ଦୋକାନ, ଜିମ ସେଣ୍ଟର ସହ ଅନ୍ୟ କିଛି ଦୋକାନ ଖୋଲା ରହିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଦୋକାନରୁ ଜିନିଷ କିଣିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବା, ବରିଷ୍ଠ ନାଗରିକ ଓ ଛୋଟ ପିଲାମାନେ ଘରୁ ନବାହାରିବା, ବାଇକରେ ଯିବା ପାଇଁ 2ଜଣଙ୍କୁ ନିଷେଧ କରାଯାଇଛି । ଯଦି ଏହି ନିୟମକୁ ଉଲ୍ଲଂଘନ କରିବେ ତାହାଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ଜିଲ୍ଲାରେ ଯେଉଁପରି ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି, ଏହାକୁ ଦୃଷ୍ଟିରେ ରଖି ସରକାର 60 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଥିଲେ । ଏହି ସଟଡାଉନ କଟକଣା ସମୟରେ ସମ୍ପୂର୍ଣ୍ଣ ମାତ୍ରାରେ ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମ୍ପୂର୍ଣ୍ଣ ଖାଁ ଖାଁ ପରିବେଶ ରହିଥିଲା । ବର୍ତ୍ତମାନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଥିବା ବେଳେ ବାସୁଦେବପୁର, ଧାମନଗର, ତିହିଡି ଓ ଭଣ୍ଡାରିପୋଖରୀ ବ୍ଲକର 18ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ତେବେ ଜିଲ୍ଲାରେ 60 ଘଣ୍ଟାର ସଟଡାଉନ ଉଠିଲା ପରେ ଭଦ୍ରକରେ ଜନସାଧାରଣ ଭୁଲି ଗଲେ ସାମାଜିକ ଦୂରତା । ପୁଣି ଭଦ୍ରକର ମୁଖ୍ୟ ସହର କୁହାଯାଉଥିବା କଚେରୀ ବଜାର, ନୂଆ ବଜାର, ବାଇପାସ ଓ ଚରମ୍ପା ଠାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଲୋକମାନଙ୍କୁ ସତର୍କ ଓ ସାମାଜିକ ଦୂରତା ରଖିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ହେଲେ ଲୋକମାନେ ବୁଝିବାକୁ ନାରାଜ । ଲୋକମାନେ ନିଜ ନିତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଗ୍ରୋସରୀ, ପରିବା ଓ ଫଳ ଦୋକାନରେ ଭିଡ ଜମାଇଥିବାର ଦେଖିବାକୁ ମିଳିଛି । ଏମାନଙ୍କୁ ଘଉଡାଇବାକୁ ପୋଲିସକୁ ନାକେଦମ ହେବାକୁ ପଡିଛି । ଶେଷ ସୂଚନା ମୁତାବକ ଅଦ୍ୟାବଧି ଜିଲ୍ଲାରେ 2774ଟି ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ 1105ଟି ନମୁନାରୁ 16 ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 1669ଟି ନମୁନାର ରିପୋର୍ଟ ଆସିବା ପାଇଁ ବାକି ରହିଛି । ତେବେ ସାମାଜିକ ଦୂରତା ଓ କଣ୍ଟେନମେଣ୍ଟ ଜୋନରେ କିଛିଟା ବ୍ୟତିକ୍ରମ ହେଉଥିବା ଜିଲ୍ଲାପାଳ ସ୍ବୀକାର କରିବା ସହ ସରକାର ତଥା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ମାନିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 26, 2020, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.