ETV Bharat / state

'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ମର୍ମାହତ କଂସ

author img

By ETV Bharat Odisha Team

Published : Jan 18, 2024, 3:54 PM IST

Baragarh Dhanu Yatra
ବରଗଡ ଧନୁଯାତ୍ରା

Baragarh Dhanu Yatra 2024: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ନନ୍ଦରାଜା ଓ ନନ୍ଦରାଣୀ ଆତ୍ମବିଭୋର ହୋଇପଡିଛନ୍ତି । ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳିକନ୍ୟା ଦେଇଛନ୍ତି ଦୈବବାଣୀ । ଅଧିକ ପଢନ୍ତୁ

ବରଗଡ ଧନୁଯାତ୍ରା

ବରଗଡ: ବିଶ୍ବ ପ୍ରସିଦ୍ଧ ବରଗଡ ଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ ସହର । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ଉତ୍ସବ ମୁଖର ହୋଇଛି । ବୃଦ୍ଧକାଳେ ପୁତ୍ର ସନ୍ତାନ ଲାଭ କରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇପଡ଼ିଛନ୍ତି । ଏହା ସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ । ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇଁ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିଝୁଲା ସହ ରାସନୃତ୍ୟରେ ମାତିଯାଇଛନ୍ତି । କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନ ରେ ଉଛୁଳି ପଡ଼ୁଛି ଗୋପପୁର ଏବଂ ନନ୍ଦରାଜାଙ୍କ କୋଳରେ ଶୋଭା ପାଉଛନ୍ତି ଶ୍ରୀକୃଷ୍ଣ । ଏହି ଅବସରରେ ଗୋପପୁରରେ ଥିବା ନନ୍ଦଦରବାର ଉଦ୍ ଘାଟନ କରିଥିଲେ ବରଗଡ ଆରକ୍ଷୀ ଅଧିକ୍ଷକ ।

ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି । ପ୍ରଥମେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ମହାରାଜ କଂସଙ୍କୁ ସୂଚନା ମିଳିଛି । ଏହାପରେ ମହାରାଜ କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କୋଳରୁ ଛଡ଼ାଇ ଆଣିଛନ୍ତି । ଦେବକୀ ବାସୁଦେବ ଶିଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନାହିଁ କଂସ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଛନ୍ତି ବିଜୁଳିକନ୍ୟା । ଏହା ପରେ ଆର୍ବିଭାବ ହୋଇ କହିଛନ୍ତି, "ରେ କଂସ ତତେ ବଧ କରିବ ଯିଏ ଗୋପରେ ବଢ଼ୁଛି ସିଏ ।"

ଏଥିରେ ବ୍ୟତିବ୍ୟସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ କଂସ ଆହ୍ୱାନ କରିଛନ୍ତି । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ଗୋପପୁରକୁ ବାହାରି ପଡ଼ିଛନ୍ତି । ତେବେ ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.