ETV Bharat / state

ବନ୍ୟଜନ୍ତୁଙ୍କ ଆଁରେ ଧାନ ଫସଲ, ସରକାରୀ ସହାୟତା ଦାବି କଲେ ଚାଷୀ

author img

By

Published : Oct 29, 2022, 10:24 AM IST

ବଲାଙ୍ଗୀର ଜିଲ୍ଲାରେ ସରୁନି ଚାଷୀଙ୍କ ଦୁଃଖ । ବନ୍ୟଜନ୍ତୁଙ୍କ ଉପଦ୍ରବରେ ନଷ୍ଟ ହେଉଛି ଧାନ ଫସଲ । ସରକାରୀ ସହାୟତା ଦାବି କଲେ ଚାଷୀ । ଅଧିକ ପଢନ୍ତୁ

ବନ୍ୟଜନ୍ତୁଙ୍କ ଆଁରେ ଧାନ ଫସଲ, ସରକାରୀ ସହାୟତା ଦାବି କଲେ ଚାଷୀ
ବନ୍ୟଜନ୍ତୁଙ୍କ ଆଁରେ ଧାନ ଫସଲ, ସରକାରୀ ସହାୟତା ଦାବି କଲେ ଚାଷୀ

ବଲାଙ୍ଗୀର: ଚାଷୀଙ୍କ ଉପରେ ଦାଉ ସାଧିଛନ୍ତି ଜଙ୍ଗଲୀ ଜନ୍ତୁ । ହାତୀ ଓ ବାରହା ଉପଦ୍ରବରେ ଉଜୁଡି ଯାଉଛି ସୁନାର ଫସଲ । ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଧାନ ଫସଲ ମଧ୍ୟ ଭଲ ହୋଇଛି । ହେଲେ ଅମଳ ପୂର୍ବରୁ ଧାନ କ୍ଷେତରେ ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଚାଷୀ ଆଖିରୁ ନିଦ ହଜାଇଛି । ବଣ ପାହାଡ ଘେରା ବଲାଙ୍ଗୀର ଜିଲ୍ଲାର ସବୁ ଅଞ୍ଚଳରୁ ଫସଲ ନଷ୍ଟର ଅଭିଯୋଗ ଆସୁଛି । କିଛି ଅଞ୍ଚଳରେ ହାତୀ ଧାନ ଫସଲ ନଷ୍ଟ କରୁଥିବା ବେଳେ ଏହା ଠାରୁ ଶହେ ଗୁଣା ଅଧିକ ଜଙ୍ଗଲୀ ବାରହା ଉପଦ୍ରବ ଦେଖିବାକୁ ମିଳୁଛି ।

ବନ୍ୟଜନ୍ତୁଙ୍କ ଆଁରେ ଧାନ ଫସଲ, ସରକାରୀ ସହାୟତା ଦାବି କଲେ ଚାଷୀ

ସଞ୍ଜ ନଇଁଲେ ବାରହା ମାନଙ୍କର ବିରାଟ ପଲ ବିଲ ଭିତରେ ପଶି ଏକର ଏକର ଧାନ ଫସଲ ଖାଇ ଯାଉଛନ୍ତି । ଚାଷୀମାନେ ରାତି ଉଜାଗର ରହି କ୍ଷେତ ଜଗୁଥିଲେ ମଧ୍ୟ ବାରହା ଘଉଡାଇବାରେ ସକ୍ଷମ ହୋଇ ପାରୁନାହାନ୍ତି । ଏହି ଅବସ୍ଥା ଏବେ ବଲାଙ୍ଗୀର ଜିଲ୍ଲାର ସବୁ ବ୍ଲକରେ ଦେଖିବାକୁ ମିଳିଛି । ଫସଲ ଉଜୁଡିବା ପରେ ହତାଶ ଚାଷୀ ସରକାରୀ ସହାୟତା ଦାବି କରିଛନ୍ତି ।

ବଲାଙ୍ଗୀରେ ଜିଲ୍ଲାରେ ୧୦ ବର୍ଷ ପୂର୍ବରୁ ଏଭଳି ଅବସ୍ଥା ନଥିଲା । ବନ୍ୟଜନ୍ତୁ ଏତେ ପରିମାଣରେ ଫସଲ ନଷ୍ଟ କରୁନଥିଲେ । ହେଲେ ଏବେ ଜଙ୍ଗଲକ୍ଷୟ ସାଙ୍ଗକୁ ଖାଦ୍ୟ ଅଭାବ ଯୋଗୁଁ ବନ୍ୟାପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ତେବେ ବନ ବିଭାଗର ବିଭିନ୍ନ ପଦକ୍ଷେପ ଓ ଧରପଗଡ ପରେ ବନ୍ୟଜନ୍ତୁ ଶିକାର କମିଥିବା ବେଳେ ବିଶେଷକରି ବଲାଙ୍ଗୀରର ସବୁ ଜଙ୍ଗଲରେ ବାରହା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ଏହି ବାରହାମାନେ ଖାଦ୍ୟ ପାଇଁ ଲୋକଙ୍କ ଫସଲ ଉଜାଡ଼ି ଦେଉଛନ୍ତି । ବନ ବିଭାଗ ମଧ୍ୟ ବାରହା ହାତୀ ଭଳି ବନ୍ୟଜନ୍ତୁ ଫସଲ ନଷ୍ଟ କରୁଥିବା ସ୍ବୀକାର କରିଛି ।

ଏନେଇ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ଘଉଡାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଥିବା କୁହାଯାଇଛି । ସେହିପରି କ୍ଷତିଗ୍ରସ୍ତ ଚାଷୀ ଓଡ଼ିଶା ସରକାରଙ୍କ ଅନୁକମ୍ପା ଆପ୍ ମାଧ୍ୟମରେ ନିଜର କ୍ଷୟକ୍ଷତି ସୂଚନା ପଞ୍ଜିକରଣ କରିପାରିବେ । ଚାଷୀଙ୍କୁ ଯେମିତି କ୍ଷତିପୂରଣ ମିଳିବ ସେଥିପାଇଁ ବନ ବିଭାଗ ପଦକ୍ଷେପ ନେବ ବୋଲି ବଲାଙ୍ଗୀର ରେଞ୍ଜର କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.