ETV Bharat / state

ବଲାଙ୍ଗୀର ଜିଲ୍ଲାର ପ୍ରଥମ ଶହୀଦ, ଧରମ ସିଂ ମାନ୍ଧାତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦାବି

author img

By ETV Bharat Odisha Team

Published : Nov 24, 2023, 1:52 PM IST

ବଲାଙ୍ଗୀରର ପ୍ରଥମ ସ୍ୱାଧୀନତା ସଂଗ୍ରାମୀଙ୍କ କାର୍ଯ୍ୟସ୍ଥଳୀ ଓ ନିବାସ ସ୍ଥାନ ହେଲା ପର୍ଯ୍ୟଟନସ୍ଥଳୀ । ହେଲେ ବୀର ସଂଗ୍ରାମୀଙ୍କୁ ଏବେ ବି ଦିଆଯାଇନାହିଁ ଉଚିତ ସମ୍ମାନ। ମିଳିପାରିନି ସଂଗ୍ରାମୀ ମାନ୍ୟତା। ଅଧିକ ପଢନ୍ତୁ

Etv Bharat
Etv Bharat

ବଲାଙ୍ଗୀର ପ୍ରଥମ ଶହୀଦ ସ୍ୱାଧୀନତା ସଂଗ୍ରାମୀ

ବଲାଙ୍ଗୀର: ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା ବଲାଙ୍ଗୀର ଜିଲ୍ଲାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଧର୍ମ ସିଂ ମାନ୍ଧାତାଙ୍କ କର୍ମସ୍ଥଳୀ ଓ ନିବାସ ସ୍ଥାନ । ହେଲେ ଇତିହାସ ପୃଷ୍ଠାରେ ଆଜି ବି ସ୍ଥାନ ପାଇନାହିଁ ଧରମ ସିଂ ମାନ୍ଧାତାଙ୍କ ବୀରତ୍ବର ଗାଥା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବଲାଙ୍ଗୀରର ପ୍ରଥମ ଶହୀଦ ସ୍ୱାଧୀନତା ସଂଗ୍ରାମୀ ଆଠଗାଁ ଜମିନଦାର ଧରମ ସିଂ ମାନ୍ଧାତା । ଆଠଗାଁ ଜମିନଦାର ଧରମ ସିଂ ମାନ୍ଧାତା କନ୍ଧ ମେଳିର ଆଉ ଜଣେ ପୁରୁଧା ଚକ୍ର ବିଶୋଇ ସହିତ ମିଶି ତତ୍କାଳୀନ ବ୍ରିଟିଶ ଓ ରାଜା ମାନଙ୍କ ବିରୋଧରେ ଲଢେଇ କରିଥିଲେ। 1853 ମସିହାରେ ଧରମ ସିଂ ମାନ୍ଧାତା ଏହି ଲଢେଇ ଆରମ୍ଭ କରିଥିଲେ। ଏବଂ 1856 ମସିହା ରେ ସେ ବ୍ରିଟିଶମାନଙ୍କ ଦ୍ୱାରା ଗିରଫ ହୋଇ ପ୍ରଥମେ ରାୟପୁର ଜେଲ ଓ ପରେ କଲିକତା ଜେଲ୍‌ରେ ରହିଥିଲେ । ଏହାପରେ ଆଉ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ସେ ଶଦୀହ ହୋଇଥିବା ନେଇ ପରେ ସୂଚନା ଆସିଥିଲା ।

ଏହାମଧ୍ୟ ପଢନ୍ତୁ.. ଆଲୋକର ପର୍ବରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର

କିନ୍ତୁ ଏହି ବୀର ସଂଗ୍ରାମୀଙ୍କୁ ଆଜିବି ମିଳି ପାରିନାହିଁ ମାନ୍ୟତା କିମ୍ବା ଉଚିତ ସମ୍ମାନ । ଇତିହାସ ପୃଷ୍ଠାରେ ତାଙ୍କ ନାଁ ନଥିବା ବେଳେ ତାଙ୍କ ଘର କିମ୍ବା ଜନ୍ମଭୂମିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡିଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅନ୍ୟପଟେ ରାଜ୍ୟ ସରକାର ଶହୀଦ ଧରମ ସିଂ ମାନ୍ଧାତାଙ୍କ କର୍ମସ୍ଥଳୀ ଭୀମ ଡୁଙ୍ଗୁରିକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ତାର ବିକାଶ କରିଛନ୍ତି । ଡୁଙ୍ଗୁରି ପାଖରେ ଥିବା ଜଳାଶୟରେ ବୋଟିଂ, ସୁନ୍ଦର ପାର୍କ, ପାନ୍ଥ ନିବାସ ସବୁ ତିଆରି ହୋଇଛି । ଏବଂ ପର୍ଯ୍ୟଟକ ମଧ୍ୟ ଏଠି ବେଶ ଭିଡ ଜମାଉଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ମନୋରମ ହୋଇଥିବା ବେଳେ ପର୍ଯ୍ୟଟକମାନେ ମଧ୍ୟ ବେଶ ଉପଭୋଗ କରୁଛନ୍ତି । ସେହିପରି ଭୀମ ଡୁଙ୍ଗୁରି ମଧ୍ୟରେ ଥିବା ଗୁମ୍ଫା ମଧ୍ୟ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।

କିନ୍ତୁ ଏବେବି ଶହୀଦ ଧରମ ସିଂଙ୍କ ଜନ୍ମସ୍ଥାନ ଜରାଜୀର୍ଣ୍ଣ ଅବସ୍ଥାରେ । ତାହାର ପୁନରୁଦ୍ଧାର କରାଗଲେ ଆଗାମୀ ଦିନରେ ତାହା ମାଟିରେ ମିଶିଯିବ ଓ ମହାନ ସ୍ବାଧିନତା ସଂଗ୍ରାମୀଙ୍କ ଗାଥା ବି ମାଟିରେ ମିଶିଯିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଧରମ ସିଂଙ୍କୁ ସଂଗ୍ରାମୀ ମାନ୍ୟତା ଦେବା ସହ ଉଚିତ ସମ୍ମାନ ଓ ତାଙ୍କ ସହିତ ଜଡିତ ସବୁ ସ୍ଥଳୀର ପୁନରୁଦ୍ଧାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.