ETV Bharat / state

ଜାତୀୟସ୍ତରର କବାଡ଼ି ଖେଳାଳି ଏବେ ଦିନ ମଜୁରିଆ, ପେଟ ପାଟଣା ପାଇଁ କରୁଛନ୍ତି ସଂଘର୍ଷ

author img

By ETV Bharat Odisha Team

Published : Nov 11, 2023, 10:20 PM IST

ଜାତୀୟସ୍ତରର କବାଡି ଖେଳି ଦିନେ ଓଡ଼ିଶା ପାଇଁ ଆଣିଥିଲେ ଗୌରବ । ସାରା ରାଜ୍ୟ ଦିନେ ତାଙ୍କ ପାଇଁ ଗର୍ବ କରୁଥିଲା । ହେଲେ ଆଜି ଦିନ ମଜୁରିଆ ପାଲଟିଛନ୍ତି ଜାତୀୟ ସ୍ତରର ଏହି କବାଡ଼ି ଖେଳାଳି ତଥା ବଲାଙ୍ଗୀର ଝିଅ ନମିତା ଭୋଇ । ପେଟକୁ ଦାନା ପାଇଁ କରୁଛନ୍ତି ସଂଗ୍ରାମ । ଦେଖନ୍ତୁ ଏହି ରିପୋର୍ଟ

National level Kabaddi player Namita Bhoi
National level Kabaddi player Namita Bhoi

ଜାତୀୟସ୍ତରର କବାଡ଼ି ଖେଳାଳି ଏବେ ଦିନ ମଜୁରିଆ

ବଲାଙ୍ଗୀର: ଦୁର୍ଦ୍ଦିନରେ ଜାତୀୟ ସ୍ତରର କବାଡି ଖେଳାଳି ତଥା ବଲାଙ୍ଗୀର ଝିଅ ନମିତା ଭୋଇ । ଦିନ ଥିଲା କବାଡି, ଦୌଡ ଭଳି ପ୍ରତିଯୋଗିତାରେ ବିଜୟୀ ହୋଇ ଜିତିଥିଲେ ପୁଳା ପୁଳା ଟ୍ରଫି । ହେଲେ ଆଜି ଯେପରି ଏଗୁଡିକ ମୂଲ୍ୟହୀନ ପରି ଲାଗୁଛି । ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରିଥିଲେ ସୁଦ୍ଧା ଆଜି ତାଙ୍କ ଦୁର୍ଦ୍ଦିନରେ ଆଃ ପଦେ କହିବାକୁ କେହି ନାହିଁ । ସରକାର ଆଜି ଏହି ଖେଳାଳିଙ୍କୁ ଭୁଲି ଯାଇଛନ୍ତି । ଘରର ଆର୍ଥିକ ସ୍ଥିତି ଯୋଗୁଁ ଖେଳ ଛାଡ଼ି ଏବେ ଦିନ ମଜୁରିଆ ଭାବେ ଖଟୁଛନ୍ତି ବଲାଙ୍ଗୀର ଜିଲ୍ଲା ଉପାନ୍ତ ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ଭୋଇ । ସରକାର ତାଙ୍କୁ କୌଣସି ଶିକ୍ଷାନୁଷ୍ଠାନରେ କ୍ରୀଡା ଶିକ୍ଷକ ବା ଛୋଟ ଚାକିରି ଖଣ୍ଡିଏ ଯୋଗାଇ ଦେବା ଲାଗି ସେ ଗୁହାରି କରିଛନ୍ତି ।

ନମିତା ରାଜ୍ୟ କବାଡି ଦଳର କ୍ୟାପ୍ଟେନ ଭାବରେ କବାଡି ଖେଳି ଜାତୀୟ ସ୍ତରର ଖେଳରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଥିଲେ । ଅନେକ ଥର ଜାତୀୟ ସ୍ତରରେ ଏହି ଟିମ ବିଜୟୀ ହୋଇଥିଲା । ପ୍ରଥମେ ସେ ବଲାଙ୍ଗୀର ସଇଁତଳା ଆଶ୍ରମ ସ୍କୁଲରେ ପାଠପଢି ଦୌଡ ଓ କବାଡିରେ ନିଜର କୌଶଳ ଦେଖାଇଥିଲେ । ଯାହାପରେ ସେ ଟିଟିଲାଗଡ଼ରୁ ଜିଲ୍ଲାସ୍ତରୀୟ ଓ ପରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ନିଜ କମାଲ ଦେଖାଇଥିଲେ । ପରେ ତାଙ୍କୁ ରାଜ୍ୟ କବାଡି ଦଳର କ୍ୟାପ୍ଟେନ ଭାବରେ ସ୍ଥାନ ମିଳିଥିଲା । ସେ ୨୦୧୭-୧୮ ମସିହାରେ ଛତିଶଗଡ଼ ତଥା ଦିଲ୍ଲୀରେ ବିଭିନ୍ନ ଜାତୀୟ ସ୍ତରୀୟ ଖେଳ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜୟୀ କରିଥିଲେ । ତାଙ୍କର ଖେଳର ସଫଳ ଯାତ୍ରା ଚାଲିଥିବା ବେଳେ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ତାଙ୍କୁ ଗାଁକୁ ଫେରିବାକୁ ପଡିଥିଲା ।

ଏହା ବି ପଢନ୍ତୁ- ଦୁର୍ଦ୍ଦିନରେ ବନ ଶହୀଦଙ୍କ ପରିବାର: ମାନ୍ୟତା ପରେ ବି ମିଳୁନି ସହାୟତା, ୫୦୦ଟଙ୍କାରେ ବିତୁଛି ଦିନ

ଗାଁ ଗମ୍ଭାରୀଗୁଡା ସେତେବେଳେ ଅପହଞ୍ଚ ଥିବା ବେଳେ ଖେଳରେ ବାଧା ସାଜିଥିଲା ଅଭାବ । ଖେଳ ପ୍ରତି ତାଙ୍କର ଖୁବ ରୁଚି ଥିବା ସତ୍ତ୍ବେ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ସେ ଆଉ ଖେଳକୁ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ । ଖେଳରେ ନାଁ କରିଥିବା ନମିତା ଗରିବୀ ଓ ଅଭାବ ଅନଟନର ଜାଲରେ ଛନ୍ଦି ହୋଇପଡିଥିଲେ । ଦିନେ ତାଙ୍କର ଖେଳରେ ଲୋକେ ତାଳି ମାରୁଥିବା ବେଳେ ଏବେ ତାଙ୍କର ସହାୟତା ପାଇଁ କୌଣସି ସାହାଯ୍ୟର ହାତ ବଢି ପାରିନାହିଁ । ଏବେ ପେଟକୁ ଦାନା ଯୋଗାଡ଼ ପାଇଁ ଦିନ ମଜୁରିଆ ସାଜିଛନ୍ତି । ସେହିପରି ସେ ଖେଳ ସାଙ୍ଗକୁ ଜଣେ ମେଧାବୀ ଛାତ୍ରୀ ଥିବା ସତ୍ତ୍ୱେ ଆର୍ଥିକ ଅନଟନ ଯୋଗୁଁ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇ ପାରିନାହାନ୍ତି । ପାଖରେ ଅନେକ ଟ୍ରଫି, ମେଡାଲ ଓ ସାର୍ଟିଫିକେଟ କେବଳ ସ୍ମୃତିରେ ରହିଯାଇଛି । ନମିତା ଭୋଇଙ୍କ ଜୀବନ ଦୁ୍ର୍ଦ୍ଦିନରେ କଟୁଛି ।

ଏନେଇ ନମିତା ଭୋଇ କହିଛନ୍ତି, "ସ୍କୁଲରେ ପଢିବା ସମୟରେ ଭଲ ପଢ଼ା ସାଙ୍ଗକୁ ଭଲ ଖେଳୁଥିଲି । ଯାହା ପାଇଁ ପ୍ରଥମେ ସ୍କୁଲ ସ୍ତରୀୟ ଓ ପରେ ଜିଲ୍ଲାସ୍ତରୀୟ ଦୌଡ ଓ କବାଡି ପ୍ରତିଯୋଗିତାରେ ସଫଳ ହୋଇ ଆସୁଥିଲି । ରାଜ୍ୟ କବାଡି ଦଳରେ ମୋତେ ସ୍ଥାନ ମିଳିଥିଲା । ପରେ କ୍ୟାପ୍ଟେନ ଦାୟିତ୍ବ ମିଳିଥିଲା । ଆଗକୁ ଜାତୀୟ ଟିମରେ ସେ ସ୍ଥାନ ପାଇବା ପାଇଁ ଚୟନ ପ୍ରକ୍ରିୟା ଥିବା ବେଳେ ଘରର ଆର୍ଥିକ ପରିସ୍ଥିତି ପାଇଁ ଫେରିବାକୁ ପଡିଥିଲା । ଏଭଳି ସ୍ଥିତିରେ ବାହାରକୁ ଆସି କିଛି ରୋଜାଗାର ପାଇଁ ଚେଷ୍ଟା କରିଥିଲି । ହେଲେ କେହି ସାହାଯ୍ୟ କରିନଥିଲେ । ଫଳରେ ଏବେ ଦିନ ମଜୁରିଆ ଭାବେ କାମ କରୁଛି । ଆଗକୁ ପାଠ ପଢିବାର ଅଛି । ଯଦି ସରକାର କୌଣସି ସ୍କୁଲ କିମ୍ବା ଶିକ୍ଷାନୁଷ୍ଠାନରେ କ୍ରୀଡା ପ୍ରଶିକ୍ଷକ ସୁଯୋଗ ଦିଅନ୍ତୁ । ନଚେତ କୌଣସି ଏକ ଛୋଟ ଚାକିରି ଖଣ୍ଡିଏ ଦିଅନ୍ତୁ ।"


ସେପଟେ ନମିତାଙ୍କ ଭାଇ ଜୟଦେବ ଭୋଇ କହିଛନ୍ତି,"ଭଉଣୀ ଯେତେବେଳେ ବିଭିନ୍ନ କ୍ରୀଡ଼ାରେ ବିଜୟୀ ହୋଇ ଆସୁଥିଲା ବହୁତ ଖୁସି ଲାଗୁଥିଲା । ଭଉଣୀ ଏହି କ୍ରୀଡା କ୍ଷେତ୍ରରେ ଆଗକୁ ଯାଇ ସମସ୍ତଙ୍କ ପାଇଁ ଗର୍ବ ଆଣିଦେଉ ବୋଲି ଆମେ ଚାହୁଁଥିଲୁ । ହେଲେ ଘରର ଆର୍ଥିକ ପରସ୍ଥିତି ଯୋଗୁଁ ତାର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଇଛି । ମୁଁ ଭାଇ ହୋଇ ମଧ୍ୟ ଭଉଣୀ ପାଇଁ କିଛି କରିପାରି ନ ଥିବାରୁ ଖୁବ ଦୁଃଖିତ । ଭଉଣୀ ଏବେ ଦିନ ମଜୁରିଆ ଭାବରେ ଖଟୁଛି । ଏଭଳି ପରିସ୍ଥିତିରେ ସରକାର ତାଙ୍କୁ ସହାୟ ହୁଅନ୍ତୁ ।"


ଏହି ଅଭାବନୀୟ ଘଟଣା ସାମନାକୁ ଆସିବା ପରେ ନିଜେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ନମିତା ଭୋଇ ଓ ତାଙ୍କ ପରିବାରକୁ ଭେଟିଛନ୍ତି । ଏ ନେଇ ଜିଲ୍ଲାପାଳ କହିଛନ୍ତି, "ସେ ଜଣେ ଦକ୍ଷ ଖେଳାଳି ଥିଲେ । ଜାତୀୟ ସ୍ତରରେ ସେ ସଫଳ ଭାବରେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ । ହେଲେ ତାଙ୍କର ଆର୍ଥିକ ସମସ୍ୟା ଓ ପରିବାରିକ ସମସ୍ୟା ଯୋଗୁଁ ସେ ସବୁ ଛାଡି ଦେଇଛନ୍ତି । ତାଙ୍କୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ । ଯେଉଁଥିରେ ତାଙ୍କୁ ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢ଼ାଯିବା ସହ ତାର ସବୁ ଖର୍ଚ୍ଚ ସରକାର ବହନ କରିବେ । ସେହିପରି ସ୍କୁଲରେ କିମ୍ବା କୌଣସି ଶିକ୍ଷାନୁଷ୍ଠାନରେ ତାଙ୍କୁ ପ୍ରଶିକ୍ଷକ ଭାବରେ ମଧ୍ୟ ନିଯୁକ୍ତି ଦିଆଯିବ ।" ତେବେ ବିଳମ୍ବ ହେଲେ ମଧ୍ୟ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଖେଳାଲିଙ୍କୁ ଉଚିତ ସମ୍ମାନ ସହ ଭଲ ଚାକିରି ପାଇଁ ସାଧାରଣରେ ଦାବି ଉଠିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.