ETV Bharat / state

ଖରା ଆରମ୍ଭରୁ ଜଳ କଷ୍ଟ, ନାଳ ପାଣି ଭରସାରେ 200ରୁ ଅଧିକ ପରିବାର

author img

By

Published : Mar 1, 2023, 4:47 PM IST

ଅନୁଗୋଳ ଜିଲ୍ଲା ବନ୍ତଳା ପଞ୍ଚାୟତର ସାହାରାଗୋଡା ଗ୍ରାମରେ ପାଣି ସମସ୍ୟା । ଗ୍ରୀଷ୍ମ ଦିନ ଆରମ୍ଭ ନହେଉଣୁ ଟାକୁଆ ନାଳ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଦେଖନ୍ତୁ ଏହି ରିପୋର୍ଟ

water problem in saharagoda village
water problem in saharagoda village

ନାଳ ପାଣି ଭରସାରେ 200ରୁ ଅଧିକ ପରିବାର

ଅନୁଗୋଳ: ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ । 700ରୁ ଅଧିକ ଲୋକଙ୍କ ଜୀବନ ବିନ୍ଦୁ ପାଲଟିଛି ଟାକୁଆ ନାଳ । ସକାଳ ହେଲେ ପାଣି ମୁନ୍ଦିଏ ପାଇଁ ନାଳ ନିକଟରେ ଲମ୍ବା ଲାଇନ ଲଗାଉଛନ୍ତି ମହିଳା । ଅନୁଗୋଳ ଜିଲ୍ଲା ବନ୍ତଳା ପଞ୍ଚାୟତର ସାହାରାଗୋଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦିପ ତଳ ଅନ୍ଧାର ପରି ଏଠାରେ ପାଣି ପାଇଁ ନାଳ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଗାଁରେ କୈଣସି କୂଅ ନଥିବା ବେଳେ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ମଧ୍ୟ ବ୍ୟବସ୍ଥା ନାହିଁ । ଖରାଦିନ ନହେଉଣୁ ପାଣି ସମସ୍ୟା ଉତ୍କଟ ହେଉଥିବା ବେଳେ ଆଗକୁ ଗାଈଗୋରୁ ମଣିଷ କିଭଳି ବଞ୍ଚିବେ ସେ ନେଇ ଚିନ୍ତାରେ ଗ୍ରାମବାସୀ ।

ସାହାରାଗୋଡା ଗାଁରେ ୭ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଏଠାକାର ଲୋକେ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଅନେକ ସମସ୍ୟା ଭିତରେ ବଞ୍ଚି ରହିଥିବା ଏହି ଗ୍ରାମବାସୀଙ୍କ ପ୍ରମୁଖ ସମସ୍ୟା ହେଉଛି ପାନୀୟ ଜଳାଭାଵ। ଗାଁରେ କୌଣସି ଖୋଲା କୂଅଟିଏ ନଥିବା ବେଳେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ତେଣୁ ପଞ୍ଚାୟତ ତରଫରୁ ଗାଁରେ ୪ଟି ନଳକୂଅ ଖୋଳା ଯାଇଛି। ହେଲେ ସବୁ ନଳକୂଅର ପାଣି ପିଇବା ଅନୁପଯୋଗୀ। ସେଥିରୁ ଲୁହାଗୁଣ୍ଡ ମିଶା ଓ ଗୋଳିଆ ପାଣି ବାହାରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ କୌଣସି ଉପାୟ ନପାଇ ଗାଁ ନିକଟ ଦେଇ ବହି ଯାଉଥିବା ଟାକୁଆ ନାଳରୁ ଲୋକେ ପାଣି ଆଣୁଛନ୍ତି।

ଏନେଇ ଗ୍ରାମବାସୀ କହିଛନ୍ତି, "ବର୍ଷ ବର୍ଷ ଧରି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ସେହି ପାଣି ବ୍ୟବହାର କରି ଗାଁର ଅଧିକାଂଶ ଲୋକ କିଡନୀ ଓ ଜଣ୍ଡିସ ଭଳି ରୋଗର ଶିକାର ହେଉଛନ୍ତି। ହେଲେ ଏବେଠାରୁ ନାଳ ଶୁଖି ଗଲାଣି । ଆଉ ୧୦ରୁ୧୫ ଦିନ ପରେ ନାଳ ପୁରା ଶୁଖି ଯିବାର ଆଶଙ୍କା ରହିଛି। ଫଳରେ କେବଳ ମଣିଷ କାହିଁକି ଗାଈଗୋରୁ ଓ ଅନ୍ୟ ଗୃହ ପାଳିତ ପଶୁ ମଧ୍ୟ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେବେ ।"

ଗାଁର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଗତ ବର୍ଷ ମାନଙ୍କରେ ଦୁଇଟି ସ୍ଥାନରେ ଗଭୀର କୂପ ଖନନ କରାଯାଇଥିଲା। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଗାଁରେ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ ଲୋକେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। କିନ୍ତୁ ଫଳ ଶୂନ । ସାହାରଗୋଡା ଗାଁର ଏକ ପଡୋଶୀ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲା। କିନ୍ତୁ ଏଠାରେ ହୋଇ ପାରିଲା ନାହିଁ। ବର୍ଷ ବର୍ଷ ଧରି ଏହି ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗି ଆସୁଛନ୍ତି। ଚଳିତ ବର୍ଷ ଏବେଠାରୁ ଏଭଳି ଅବସ୍ଥା ହେଲାଣି। ତେଣୁ ଆଗକୁ ପାଣି ଟୋପାଏ ପାଇଁ ଲୋକେ ଛଟପଟ ହେବେ ବୋଲି ଚିନ୍ତାରେ ପଡ଼ି ଯାଇଯାଇଛନ୍ତି ଗ୍ରାମବାସୀ ।

ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି, "ଜିଲ୍ଲାରେ ପ୍ରାୟ ୮ଶହ କୋଟିରୁ ଅଧିକ ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ମହାନଦୀରୁ ପାଣି ଅଣାଯିବ। ଏହି ପ୍ରକଳ୍ପ ହେଲେ ଜିଲ୍ଲାର ଅଧିକାଂଶ ଗାଁକୁ ଜଳ ଯୋଗାଣ ହୋଇ ପାରିବ। ତେଣୁ ଆଉ ଛୋଟ ଛୋଟ ପ୍ରକଳ୍ପ ହାତକୁ ନିଆ ଯାଉ ନାହିଁ ।" କିନ୍ତୁ କ୍ୟାମେରା ଆଗରେ କିଛି କହିବା ପାଇଁ ମନା କରିଦେଇଛନ୍ତି ଅଧିକାରୀ । ଅନୁଗୋଳ ଜିଲ୍ଲାରେ ଏବେଠାରୁ ତାପମାତ୍ରା ୩୭ ଡିଗ୍ରୀ ଟପିଲାଣି। ଅଧିକାଂଶ କୂଅ ପୋଖରୀ ଓ ନାଳ ଶୁଖି ଗଲାଣି । ଆଗକୁ ତାପମାତ୍ରା ଆହୁରି ବଢିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସାହାରାଗୁଡା ଗ୍ରାମବାସୀ କଣ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.