ETV Bharat / sports

ରଣଜୀ ଟ୍ରଫିରେ ଭୁବନେଶ୍ବରଙ୍କ ବିସ୍ଫୋରଣ, ପ୍ରଥମ ମ୍ୟାଚ୍‌ରେ ନେଲେ ୮ ୱିକେଟ୍‌

author img

By ETV Bharat Odisha Team

Published : Jan 13, 2024, 11:04 PM IST

Ranji Trophy 2024: ରଣଜୀ ଟ୍ରଫି ୨୦୨୪ରେ ଭାରତୀୟ ଅଭିଜ୍ଞ ସ୍ପିଡ୍‌ଷ୍ଟାର ଭୁବନେଶ୍ବର କୁମାର ୮ ୱିକେଟ୍‌ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବଙ୍ଗଳା ବିପକ୍ଷ ମ୍ୟାଚ୍‌ରେ ଏଭଳି ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି ଭୁବି । ଅଧିକ ପଢ଼ନ୍ତୁ

ରଣଜୀ ଟ୍ରଫିରେ ଭୁବନେଶ୍ବରଙ୍କ ବିସ୍ଫୋରଣ
ରଣଜୀ ଟ୍ରଫିରେ ଭୁବନେଶ୍ବରଙ୍କ ବିସ୍ଫୋରଣ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪ରେ ନିଜର ପ୍ରଥମ ମ୍ୟାଚ୍‌ରେ ହିଁ ଧମାଲ କରିଛନ୍ତି ଭାରତୀୟ ଅଭିଜ୍ଞ ସ୍ପିଡ୍‌ଷ୍ଟାର ଭୁବନେଶ୍ବର କୁମାର । ଦୀର୍ଘ ଦିନରୁ ଭାରତୀୟ ଦଳରୁ କ୍ରମାଗତ ଭାବେ ବାଦ ପଡ଼ୁଥିବା ଭୁବନେଶ୍ବର ପ୍ରଥମ ମ୍ୟାଚ୍‌ରେ ୮ ୱିକେଟ୍‌ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଟି୨୦ ବିଶ୍ବକପ୍‌ ପୂର୍ବରୁ ଭୁବିଙ୍କ ଏଭଳି ପ୍ରଦର୍ଶନ ପୁଣିଥରେ ଭାରତୀୟ ଜାତୀୟ ଦଳର ଚୟନକର୍ତ୍ତାଙ୍କୁ ଭାବିବା ପାଇଁ ବାଧ୍ୟ କରିବ ବୋଲି କ୍ରୀଡ଼ା ସମୀକ୍ଷକ ମାନେ ଦାବି କରିଛନ୍ତି ।

ଭୁବନେଶ୍ବରଙ୍କ ଦମଦାର ପ୍ରଦର୍ଶନ: ଉତ୍ତରପ୍ରଦେଶ ଏବଂ ବଙ୍ଗଳା ମଧ୍ୟରେ ରଣଜୀ ଟ୍ରଫି ୨୦୨୪ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭୁବନେଶ୍ବର କୁମାର ବଙ୍ଗଳା ବିପକ୍ଷରେ ୨୨ ଓଭରରେ ୧.୮୬ ହାରରେ ୪୧ ରନ୍ ଖର୍ଚ୍ଚ କରି ୮ ୱିକେଟ୍‌ ନେଇଥିଲେ । ଏହି ଅବଧିରେ ସେ ୫ଟି ମେଡେନ୍‌ ଓଭର ବୋଲିଂ ମଧ୍ୟ କରିଥିଲେ । ଏହି ମ୍ୟାଚ୍‌ରେ ୟୁପି ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୦.୫ ଓଭରରେ ମୋଟ ୬୦ ରନ୍‌ ହିଁ ସଂଗ୍ରହ କରିପାରିଥିଲା । ଏହା ପରେ ବଙ୍ଗଳା ଦଳ ୧୮୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଏହା ସହିତ ବଙ୍ଗଳା ଦଳ ୟୁପି ଉପରେ ୧୨୮ ରନ୍‌ ଲିଡ୍‌ ହାସଲ କରିଥିଲା । ଏହି ପାଳିରେ ଭୁବନେଶ୍ବର ଏକାକୀ ୮ ୱିକେଟ୍‌ ନିଜ ନାମରେ କରିଥିଲେ । ବେଙ୍ଗଲର ଦ୍ବିତୀୟ ଇନିଂସରେ ମଧ୍ୟ ୱିକେଟ୍ ନେବାର ସୁଯୋଗ ପାଇବେ ଭୁବନେଶ୍ବର ।

ଏହା ମଧ୍ୟ ପଢ଼ନ୍ତୁ...୨ୟ ଟି୨୦ରେ ଫେରିବେ କୋହଲି, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ବିସିସିଆଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କଲେ ଭୁବି: ବିସିସିଆଇ ଏବଂ ଚୟନକର୍ତ୍ତାମାନେ ଗତ ପ୍ରାୟ ୧୪ ମାସ ହେବ ଭୁବନେଶ୍ବର କୁମାରଙ୍କୁ ଅଣଦେଖା କରୁଛନ୍ତି । ଟି୨୦ ବିଶ୍ବକପ୍‌ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟ୍‌ରେ ପରାଜୟ ପରେ ଭୁବି ଟିମ୍‌ ଇଣ୍ଡିଆକୁ ଫେରି ପାରିନାହାନ୍ତି । ତାଙ୍କୁ ଟେଷ୍ଟ, ଦିନିକିଆ କିମ୍ବା ଟି୨୦ କୌଣସି ଫର୍ମାଟରେ ଖେଳିବାର ସୁଯୋଗ ମିଳିନାହିଁ । ବର୍ତ୍ତମାନ ତାଙ୍କର ଏପରି ବିସ୍ଫୋରକ ପ୍ରଦର୍ଶନ ସହିତ ସେ ପୁଣିଥରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା କୁହାଯାଉଛି । ଯଦି ସେ ରଣଜୀରେ ଏହିପରି ପ୍ରଦର୍ଶନ ଜାରି ରଖନ୍ତି, ତେବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଟେଷ୍ଟ ମ୍ୟାଚ୍‌ ସିରିଜରେ ସୁଯୋଗ ଦିଆଯାଇପାରେ । ଏହା ସହିତ ଯଦି ସେ ଆଇପିଏଲରେ ମଧ୍ୟ ନିଜ ଦମଦାର ପ୍ରଦର୍ଶନ କରନ୍ତି, ତେବେ ସେ ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ଦାବିଦାର ହୋଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.