ETV Bharat / sports

Border Gavaskar Trophy 2nd Test: ଦିଲ୍ଲୀରେ ଧୂଳି ଚାଟିଲା ଅଷ୍ଟ୍ରେଲିଆ, ଭାରତ ୨-୦ରେ ଆଗୁଆ

author img

By

Published : Feb 19, 2023, 10:14 PM IST

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ । ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି ଘରୋଇ ଭାରତ । ଅଧିକ ପଢ଼ନ୍ତୁ

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ
Border Gavaskar Trophy 2nd Test

ନୂଆଦିଲ୍ଲୀ: ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଚିତ ପଟ୍ଟାଙ୍ଗ ହୋଇଛି କଙ୍ଗାରୁ ଦଳ । ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି ଭାରତ । ଏହା ସହିତ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି ଘରୋଇ ଦଳ । ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କଙ୍ଗାରୁ ଅଧିନାୟକ ପ୍ୟାଟ୍‌ କମିନ୍ସ । ପ୍ରଥମ ଇନିଂସରେ ୨୬୩ ରନରେ ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଏହାପରେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ୨୬୨ରେ ରନରେ ସମସ୍ତ ୱିକେଟ ହରାଇ ବିପକ୍ଷ ଦଳ ଠାରୁ କେବଳ ଗୋଟିଏ ରନ ପଛରେ ରହିଯାଇଥିଲା । ଏଥିରେ ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନ ସର୍ବାଧିକ ୫ ୱିକେଟ ସଫଳତା ହାସଲ କରିଥିଲେ । ତେବେ ପ୍ରଥମେ ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ଓ ପରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଲଢ଼ୁଆ ପ୍ରଦର୍ଶନ ଭାରତକୁ ୨୬୨ରେ ପହଞ୍ଚାଇଥିଲା ।

ଏହାପରେ ଦ୍ବିତୀୟ ଇନିଂସ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲା କଙ୍ଗାରୁ ଦଳ । କିନ୍ତୁ ଭାରତୀୟ ସ୍ପିନରଙ୍କ ଆଗରେ ଘାଇଲା ହୋଇଯାଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର । ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟର ଖାୱଜା କେବଳ ୬ ରନ କରିଥିବା ବେଳେ ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ରବିନ୍ଦ୍ର ଜାଡ଼େଜା । ଏହାପରେ କିନ୍ତୁ ଟ୍ରାବିସ ହେଡ୍‌ ଓ ମାର୍ନସ ଲାବୁସାନେ ନିଜ ଦେଶ ପାଇଁ ଲଢ଼ିଥିଲେ । ଉଭୟ ଯଥାକ୍ରମେ ୪୩ ଓ ୩୫ ରନ ସଂଗ୍ରହ କରିଥିଲେ ।

ତେବେ ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ୧୨.୧ ଓଭର ବୋଲିଂ କରି ୪୨ ରନ ବ୍ୟୟରେ ୭ ୱିକେଟ ହାସଲ କରିଥିଲେ । ଯାହା ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଧୂଳି ଚଟାଇଥିଲା । ଜାଡ଼େଜାଙ୍କ ସହ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୩ ୱିକେଟ ନେଇ ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଥିଲେ ।

ଏହାପରେ କେବଳ ୧୧୫ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ପ୍ରଥମେ ଓପନର କେଏଲ ରାହୁଲ ମାତ୍ର ୧ ରନ କରି ଆଉଟ ହୋଇଯାଇଥିଲେ । ଅଧିନାୟକ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରାଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । କିନ୍ତୁ ପ୍ରଥମେ ରୋହିତ ୩୧ ରନର ବିସ୍ଫୋରକ ପାଳି ଖେଳି ଆଉଟ ହୋଇଯାଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ କେବଳ ୨୦ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୧୨ ଓ ଶ୍ରୀକର ଭରତ ଅପରାଜିତ ୨୩ ରନ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.