ETV Bharat / international

Turkey-Syria earthquake: ଥମୁନି ଭୂମିକମ୍ପ ମୃତ୍ୟୁ, ୨୦ ହଜାରରୁ ଅଧିକ ମୃତଦେହ ଉଦ୍ଧାର

author img

By

Published : Feb 10, 2023, 8:31 AM IST

ତୁର୍କୀ ଓ ସିରିୟାରେ ହୁ ହୁ ହୋଇ ବୃଦ୍ଧି ପାଉଛି ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା । ଏବେସୁଦ୍ଧା ୨୦ ହଜାର ୫୦୦ରୁ ଅଧିକ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

Turkey-Syria earthquake Death toll
Turkey-Syria earthquake Death toll

ଅଙ୍କରା: ଶକ୍ତିଶାଳୀ ଭୂମିକମ୍ପ ପରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ତୁର୍କୀ ଓ ସିରିୟାରେ ହୁ ହୁ ହୋଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଗୁରୁବାର ରାତି ସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୨୦,୭୮୩ରେ ପହଞ୍ଚିଛି । ଆହତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଛି । କେବଳ ତୁର୍କୀରେ ୧୭,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସିରିୟାରେ ମୃତ୍ୟୁସଂଖ୍ୟା ୩,୩୭୭କୁ ବୃଦ୍ଧି ପାଇଛି । ଏନେଇ ତୁର୍କୀ ଆଭ୍ୟନ୍ତୀଣ ମନ୍ତ୍ରୀ ସୁଲେମାନ ସୋଇଲୁ ସୂଚନା ଦେଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । କାରଣ ଏବେ ବି ଶହ ଶହ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ।

ସୂଚନା ମୁତାବକ, ସିରିୟାରେ ଏଯାବତ୍ ୩,୩୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୨୫୪ ଜଣ ଆହତ ହୋଇଛନ୍ତି । ଉଭୟ ତୁର୍କୀ ଓ ସିରିୟାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁମୁଖରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ସେହିପରି ଉଦ୍ଧାର ହୋଇଥିବା ଲୋକେ ଏବେ ବାସହରା ହୋଇ ଖୋଲି ଆକାଶ ତଳେ ଅସହ୍ୟ ଥଣ୍ଡାରେ ଦିନ କାଟୁଛନ୍ତି । ସେପଟେ ତୁର୍କୀର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ସହାୟତା ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗୁରୁବାର ଠାରୁ ତିନି ମାସର ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ତୁର୍କୀ ରାଷ୍ଟ୍ରପତି ରେସିପ୍ ତୟିପ ଏର୍ଡୋଗାନ ୧୦ ରାଜ୍ୟରେ ଜରୁରୀ ପରିସ୍ଥିତ ଘୋଷଣା କରିଥିଲେ ।

ଜାତିସଂଘ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମେତ ଅନେକ ରାଷ୍ଟ୍ର ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି । 'ଅପେରସନ ଦୋସ୍ତ' ମାଧ୍ୟମରେ ଭାରତୀୟ ଟିମ୍ ତୁର୍କୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁବାର ୫୧ ସଦସ୍ୟ ବିଶିଷ୍ଟ ଏନଡିଆରଏଫ ଟିମ୍ ତୁର୍କୀ ପଠାଯାଇଥିଲା । ପୂର୍ବରୁ ଅନ୍ୟ ଦୁଇଟି ଟିମ୍ ସେଠାକୁ ଯାଇଥିଲେ । ତେବେ ପ୍ରାୟ ୭୫ଟି ରାଷ୍ଟ୍ର ଓ ୧୬ଟି ଆନ୍ତର୍ଜାତିକ ସଂଗଠନ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁର୍କୀକୁ ସହୟତା କରିବାକୁ ଆଗେଇ ଆସଥିବା ଦେଶର ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭଗ୍ନାବଶେଷରେ ଚାପି ହୋଇ ଯାଇଥିଲେ, ଛୁଆଙ୍କୁ ଉଦ୍ଧାର ପାଇଁ ମା' କୁକୁରର ବ୍ଯାକୁଳତା

ଲଗାତାର ତିନି ତିନୋଟି ବଡ ଧରଣର ଭୂମିକମ୍ପରେ ତୁର୍କୀ ଛାରଖାର ହୋଇଯାଇଛି । ଏଠାରେ ପ୍ରାୟ ୫,୭୭୫ ଟି ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଗତ ସୋମବାର ଭୋର ସମୟରେ ଏଠାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାପରେ ୭.୫ ଓ ପୁଣି କିଛି ସମୟ ପରେ ୬.୦ ତୀବ୍ରତାର ଭୂମିକମ୍ପ ତୁର୍କୀକୁ ଦୋହଲାଇ ଦେଇଥିଲା । ଗତକାଲି(ମଙ୍ଗଳବାର) ମଧ୍ୟ ତୁର୍କୀରେ ୫.୬ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.