ETV Bharat / international

‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’କୁ ବେଜିଂ ସମ୍ମାନ ଦିଏ ନାହିଁ: ହଂକଂ ବିଧାନ ପରିଷଦ ସଦସ୍ୟ

author img

By

Published : Jun 3, 2020, 12:03 PM IST

ଗତ ମାସରେ ଚୀନ୍ ଦ୍ବାରା ପ୍ରସ୍ତାବିତ ଜାତୀୟ ସୁରକ୍ଷା ଆଇନକୁ ନେଇ ହଂକଂର ରାସ୍ତାରେ ବିରୋଧ ଜାରି ରହିଥିବାବେଳେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ସିଭିକ୍ ପାର୍ଟିର ନେତା ତଥା ହଂକଂର ବିଧାୟକ ଆଲଭିନ୍ ୟେଙ୍ଗଙ୍କ ସହ ବର୍ତ୍ତମାନର ସ୍ଥିତି, ଏବଂ ଆନ୍ତର୍ଜାତୀୟ ଗତିବିଧି ବିଷୟରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...

‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’କୁ ବେଜିଂ ସମ୍ମାନ ଦିଏ ନାହିଁ: ହଂକଂ ବିଧାନ ପରିଷଦ ସଦସ୍ୟ
‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’କୁ ବେଜିଂ ସମ୍ମାନ ଦିଏ ନାହିଁ: ହଂକଂ ବିଧାନ ପରିଷଦ ସଦସ୍ୟ

ବେଜିଂ ଦ୍ବାରା ପ୍ରସ୍ତାବିତ ଜାତୀୟ ସୁରକ୍ଷା ଆଇନ ପ୍ରତିବାଦରେ ହଂକଂରେ ଆନ୍ଦୋଳନ ଅବ୍ୟାହତ ରହିଛି । ଗତ ଜୁନ୍‌ ମାସରୁ ଏଠାରେ ଆରମ୍ଭ ହୋଇଥିବା ପ୍ରତିବାଦ ଆନ୍ଦୋଳନକୁ ଚୀନ ‘ବିଚ୍ଛିନ୍ନତାକାମୀ ତତ୍ତ୍ବ ସମ୍ବଳିତ ବିନାଶକାରୀ କାର୍ଯ୍ୟକଳାପର ସଂଘଟନ’ ରୂପରେ ଅଭିହିତ କରିଥିବା ବେଳେ ହଂକଂର ସାମାଜିକ କର୍ମୀ ଓ ଗଣତନ୍ତ୍ର ସପକ୍ଷବାଦୀ ରାଜନୈତିକ ନେତାମାନେ ଏହାକୁ ଅସ୍ବୀକାର କରିଛନ୍ତି ।

‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’କୁ ବେଜିଂ ସମ୍ମାନ ଦିଏ ନାହିଁ: ହଂକଂ ବିଧାନ ପରିଷଦ ସଦସ୍ୟ

ସ୍ବତନ୍ତ୍ର ଅଧିକାର ଏବଂ ସ୍ବୟଂଶାସନ କ୍ଷମତା ସହିତ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ଶୀର୍ଷକ ବୁଝାମଣା ବଳରେ 1997ରେ ଚୀନକୁ ପୂର୍ବତନ ବ୍ରିଟିଶ ଉପନିବେଶ ହଂକଂ ହସ୍ତାନ୍ତରିତ ହୋଇଥିଲା । ହଂକଂର ନିଜସ୍ବ ବିଚାର ବ୍ୟବସ୍ଥା ଏବଂ ଆଇନ ପ୍ରଣୟନ ପଦ୍ଧତି ରହିଛି, ଯାହାକି ଚୀନ୍‌ର ମୁଖ୍ୟ ଭୂଭାଗ ତୁଳନାରେ ସଂପୂର୍ଣ୍ଣ ଅଲଗା ଏବଂ ଏଥିରେ ସମାବେଶ ଏବଂ ବାକ୍‌ ସ୍ବାଧୀନତାକୁ ଅନୁମତି ପ୍ରଦାନ କରାଯାଇଛି ।

ଏକ ପ୍ରତ୍ୟର୍ପଣ ବିଲ ବିରୋଧରେ ଗତ ଜୁନ୍‌ ମାସରେ ଏଠାରେ ଅଭୂତପୂର୍ବ ସାମାଜିକ ବିଦ୍ରୋହ ମୁଣ୍ଡ ଟେକିଥିଲା ଏବଂ ଆକଳନ ଅନୁସାରେ, ପ୍ରାୟ ଦଶ ଲକ୍ଷ ଲୋକ ସ୍ବତଃସ୍ଫୂର୍ତ୍ତ ଭାବରେ ଏହାର ପ୍ରତିବାଦ କରିଥିଲେ । ପରବର୍ତ୍ତୀ ସମୟରେ, ସେପ୍‌ଟେମ୍ବର ମାସରେ ପ୍ରତ୍ୟାହୃତ ହୋଇଥିବା ଏହି ବିଲ୍‌ରେ ପଳାତକ ଅପରାଧୀମାନଙ୍କୁ ଚୀନକୁ ପ୍ରତ୍ୟର୍ପଣ କରାଯିବା ବ୍ୟବସ୍ଥା ରହିଥିଲା । ସମାଲୋଚକମାନଙ୍କ ମତରେ ଏହା ହଂକଂର ନ୍ୟାୟପାଳିକାକୁ ଗୌଣ କରିଦେଇଥାଆନ୍ତା ଏବଂ ଚୀନର ସ୍ବେଚ୍ଛାଚାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଭିନ୍ନମତବାଦୀ ବ୍ୟକ୍ତିଙ୍କ ଜୀବନଧାରା ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା । ସେବେଠାରୁ ହଂକଂରେ ବିକ୍ଷୋଭ ପ୍ରଦର୍ଶନ ଅବ୍ୟାହତ ରହିଛି ଏବଂ ହଂକଂକୁ ସଂପୂର୍ଣ୍ଣ ଗଣତାନ୍ତ୍ରିକ ଅଧିକାର ପ୍ରଦାନ ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ସଂପର୍କରେ ତଦନ୍ତ କରିବା ପାଇଁ ସାମାଜିକ କର୍ମୀମାନେ ଦାବି କରିଆସୁଛନ୍ତି । ଏ ବର୍ଷ ମେ ମାସରେ ପ୍ରସ୍ତାବିତ ନୂତନ ଜାତୀୟ ନିରାପତ୍ତା ଆଇନ, ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ଏବଂ ବିଶେଷଜ୍ଞମାନଙ୍କ ମତରେ ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଚୀନରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସ୍ଥିତି ଦୁର୍ବଳ ହେବା ସହିତ ଏହା ଉପରେ ପ୍ରଶ୍ନ ଉଠିଛି । ଅନେକ ଭାରତୀୟ ପର୍ଯ୍ୟବେକ୍ଷକଙ୍କ ମତରେ ହଂକଂ ଓ ତାଇୱାନରେ ସଂଘଟିତ ଘଟଣା ଯୋଗୁଁ ରାଷ୍ଟ୍ରପତି ସି ଏବଂ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ନିଜ ଦେଶ ଭିତରେ ସମାଲୋଚନାର ଶରବ୍ୟ ହୋଇଥିବା କାରଣରୁ ହିଁ ଭାରତ ଚୀନ୍‌ ସୀମାର ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ୍‌ ଅତିକ୍ରମଣ କରିଛି ।

ହଂକଂରେ ବାସ୍ତବ ସ୍ଥିତି, ଉପସ୍ଥାପିତ ଦାବି ସମୂହ ଏବଂ ସାଂପ୍ରତିକ ପ୍ରତିବାଦ ଆନ୍ଦୋଳନ ଜନିତ ଅନ୍ତର୍ଜାତୀୟ ପ୍ରତିକ୍ରିୟା ସଂପର୍କରେ ହଂକଂ ସିଭିକ୍‌ ପାର୍ଟି ନେତା ତଥା ବିଧାନ ପରିଷଦ ସଦସ୍ୟ ଆଲଭିନ୍‌ ୟେଉଙ୍ଗଙ୍କ ସହିତ ବାର୍ତ୍ତାଳାପ କରିଥିଲେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା । ଗତ ନଭେମ୍ବରରେ ହଂକଂର ବିଭିନ୍ନ ସ୍ଥାନୀୟ ପରିଷଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ବିପୁଳ ସମର୍ଥନ ହାସଲ କରିଥିଲା ଏବଂ ଏବେ, ମୋଟ 18ଟିରୁ 17ଟି ପରିଷଦ, ପୂର୍ଣ୍ଣାଙ୍ଗ ଗଣତନ୍ତ୍ର ସ୍ଥାପନ ପାଇଁ ଲଢ଼େଇ କରୁଥିବା ପରିଷଦର ସଦସ୍ୟମାନଙ୍କ ନିୟନ୍ତ୍ରଣରେ ରହିଛି । ଆଲଭିନ ୟେଉଙ୍ଗ କହନ୍ତି ଯେ, ସେମାନଙ୍କ ଅଧିକାର କ୍ଷୁଣ୍ଣ କରୁଥିବା ଜାତୀୟ ନିରାପତ୍ତା ଆଇନକୁ ସ୍ବୀକାର କରିବା ଲାଗି ହଂକଂର ଲୋକେ ମନା କରିଦେଇଛନ୍ତି ଏବଂ ପ୍ରତିଶ୍ରୁତି ମୁତାବକ ମୌଳିକ ଆଇନ ପରିସରଭୁକ୍ତ ଯଥାର୍ଥ ଦାବିଗୁଡ଼ିକୁ ସେମାନେ ଉପସ୍ଥାପନ କରୁଛନ୍ତି । ସେ କହନ୍ତି ଯେ, ଅଧିକାଂଶ ନାଗରିକ ବର୍ଗ ପୃଥକ୍‌ ହେବା ପାଇଁ ଦାବି କରୁନାହାନ୍ତି, କିନ୍ତୁ ବେଜିଂ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ କିମ୍ବା ସ୍ବୟଂଶାସନ କ୍ଷମତା ପ୍ରଦାନ ଲାଗି ପ୍ରଦତ୍ତ ପ୍ରତିଶ୍ରୁତି ପାଳନ ପ୍ରତି ସମ୍ମାନ ପ୍ରଦାନ କରୁନାହିଁ । ଆଲଭିନ ଆହୁରି କହିଛନ୍ତି ଯେ, ହଂକଂରେ ମୁହଁ ଖୋଲୁଥିବା ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଅତ୍ୟନ୍ତ ସଂକଟପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହେବା ଆଶଙ୍କା କରୁଛନ୍ତି ସତ, ତଥାପି ଏହି ‘ନେତାବିହୀନ’ ପ୍ରତିବାଦ ଆନ୍ଦୋଳନ ଅବ୍ୟାହତ ରହିବ । ତାଙ୍କ ସହିତ ଏକ୍‌ସକ୍ଳୁସିଭ୍‌ ବାର୍ତ୍ତାଳାପ ।

ପ୍ରଶ୍ନ-ବେଜିଂ କହେ ଯେ, ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିବା ଏବଂ ‘ଆତଙ୍କବାଦ ନିୟନ୍ତ୍ରଣ’ କରିବା ଲାଗି ଏହି ନୂତନ ଆଇନର ଆବଶ୍ୟକତା ରହିଛି । ଆପଣ ଏହି ଯୁକ୍ତିକୁ କିଭଳି ଦେଖୁଛନ୍ତି ?

ଆଲ୍‌ଭିନ ୟେଉଙ୍ଗ: ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ଅନୁସାରେ ହଂକଂର ନିଜସ୍ବ ନିୟମାବଳୀ ରହିଛି । ଆମ ଶାସନ ବ୍ୟବସ୍ଥା ମୌଳିକ ଆଇନ ଦ୍ବାରା ପରିଚାଳିତ, ଯାହାକି ହଂକଂ ପାଇଁ ଏକ କ୍ଷୁଦ୍ର ସମ୍ବିଧାନ ସଦୃଶ । ଏହି ମୌଳିକ ଆଇନର ଗୋଟିଏ ଧାରାରେ ଆମ ଜାତୀୟ ନିରାପତ୍ତା ସଂପର୍କରେ ଖୁବ୍‌ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ତାହା ହେଲା, ଜାତୀୟ ନିରାପତ୍ତା ସଂପର୍କରେ ହଂକଂ ସରକାର ନିଜସ୍ବ ବିଧେୟକ ପ୍ରଣୟନ କରିବା ଉଚିତ । ତେଣୁ ଏହା ଆଭ୍ୟନ୍ତରୀଣ ବ୍ୟାପାରର ଅଂଶବିଶେଷ ଏବଂ ହଂକଂର ଅଧିବାସୀମାନଙ୍କ ଦ୍ବାରା ପରିଚାଳିତ ହେବା ଉଚିତ । 2003 ମସିହାରେ ହଂକଂ ସରକାର ଏକ ବିବାଦୀୟ ଜାତୀୟ ନିରାପତ୍ତା ବିଲ୍‌ ଆଗତ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହାକୁ ବିରୋଧ କରି ପ୍ରାୟ ପାଞ୍ଚ ଲକ୍ଷ ଲୋକ ଆନ୍ଦୋଳନ ପାଇଁ ରାସ୍ତାକୁ ବାହାରିଥିଲେ । ତା’ପରଠାରୁ ଆଉ କୌଣସି ସରକାର ଅନୁରୂପ ବିଲ୍‌ ଆଗତ କରିବାକୁ ସାହସ କରିନାହାନ୍ତି । କାରଣ, ଏହା ଏତେ ଅଧିକ ବିବାଦୀୟ ଯେ ଆପଣ ନିଜେ ନିଜର ଅଧିକାର ସୁରକ୍ଷିତ ରହିଥିବା ସଂପର୍କରେ ସୁନିଶ୍ଟିତ ହେବାକୁ ପଡ଼ିବ ବୋଲି ଆମେ ବୁଝିପାରିଛୁ । ଯେହେତୁ ହଂକଂରେ ଏବେ ସଂପୂର୍ଣ୍ଣ ଗଣତନ୍ତ୍ର ନାହିଁ, ତେଣୁ ଆମେ ଆମ ମୁଖ୍ୟ କାର୍ଯ୍ୟନିର୍ବାହୀ ଚୟନ କରିପାରିବୁ ନାହିଁ ଏବଂ ବିଧାନ ପରିଷଦର କେବଳ ଅଧା ସଦସ୍ୟ ଲୋକଙ୍କ ଦ୍ବାରା ନିର୍ବାଚିତ ହୁଅନ୍ତି । ତେଣୁ ହଂକଂର ଲୋକେ ସଠିକ ଭାବରେ ସୁରକ୍ଷିତ ନୁହନ୍ତି ବୋଲି ଆପଣ ଅନୁମାନ କରିପାରୁଥିବେ । ତେଣୁ ଲୋକେ ଜାତୀୟ ନିରାପତ୍ତା ଆଇନକୁ ଅଗ୍ରାହ୍ୟ କରୁଛନ୍ତି, କାରଣ ତାହା ଆମ ଅଧିକାର ଉଲ୍ଲଂଘନ କରିବାକୁ

ଉଦ୍ଦିଷ୍ଟ । ଗତ ବର୍ଷରୁ ରାଜରାସ୍ତାରେ ଆନ୍ଦୋଳନ ଜାରି ରହିଛି, କାରଣ ଲୋକେ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଲଢ଼େଇ କରୁଛନ୍ତି । ସେବେଠାରୁ ଆମେ ପୋଲିସ ଅତ୍ୟାଚାରର ଶିକାର ହୋଇଆସୁଛୁ ଏବଂ ପୋଲିସର ଦମନଲୀଳା ପ୍ରତି ଆଖି ବୁଜି ଦେବାକୁ ଏହି ସରକାର ସ୍ଥିର କରିଛି ଏବଂ କୌଣସି ପରିଣତି କଥା ଚିନ୍ତା ନକରି ପୋଲିସ ବଳ ପ୍ରତି ସମର୍ଥନକୁ ପ୍ରାଥମିକତା ପ୍ରଦାନ କରୁଛି । କାର୍ଯ୍ୟତଃ ବର୍ତ୍ତମାନ ବେଜିଂ ଗୋଟିଏ କଥା କହୁଛି ଯେ, ମୁଁ ମୌଳିକ ଆଇନକୁ ଖାତିର କରେନାହିଁ, ମୁଁ ଦେଇଥିବା ପ୍ରତିଶ୍ରୁତିକୁ ଖାତିର କରେନାହିଁ, ହଂକଂ ଲୋକଙ୍କ ସହ କୌଣସି ପରାମର୍ଶ ନ କରି ମୁଁ ଏହି ଜାତୀୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି । ତାହା ବି ଆମ ବିଧାନ ପରିଷଦ ଜରିଆରେ ନୁହେଁ କି ଲୋକଙ୍କୁ ମନା କରିବାର ସୁଯୋଗ ନଦେଇ ।

ପ୍ରଶ୍ନ-ଚୀନ ବାରମ୍ବାର କହୁଛି ଯେ ହଂକଂରେ ଅଶାନ୍ତ ପରିସ୍ଥିତି ପଛରେ “ବିଦେଶୀ ଶକ୍ତି”ମାନଙ୍କର ହାତ ରହିଛି, ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନକାରୀଙ୍କୁ ଆତଙ୍କବାଦୀ କୁହାଯାଉଛି ଏବଂ ସେମାନଙ୍କୁ ଦଙ୍ଗା ସୃଷ୍ଟିକାରୀ ବୋଲି ବେଜିଂ ବର୍ଣ୍ଣନା କରୁଛି ।

ସବୁ ସ୍ବେଚ୍ଛାଚାରୀ ସରକାର ସମାନ । ସମସ୍ତଙ୍କୁ ଦୋଷ ଦେବା ସେମାନଙ୍କର ମୌଳିକ ଲକ୍ଷଣ । ବିରୋଧୀଙ୍କ ଭଳି, ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେମାନେ ବିଦେଶୀ ଶକ୍ତି ବୋଲି କହିଲେ । କିନ୍ତୁ ସେମାନେ କୌଣସି ପ୍ରମାଣ ଉପସ୍ଥାପନ କଲେ ନାହିଁ । ବାସ୍ତବରେ, ସେମାନଙ୍କ କୃତକର୍ମରେ ନିଜର ଆତ୍ମ ପ୍ରତିଫଳନ କରାଇବା ଭଳି ସତ୍‌ସାହସ ସେମାନଙ୍କର ନାହିଁ । ଏ ସରକାର ଯାହା କରିବାରେ ବିଫଳ ହୋଇଛି ତାହା ହେଲା, ହଂକଂ ଲୋକଙ୍କ ଆଖିରେ ଆଖି ମିଳାଇ କହିବ ଯେ, ହଁ ମୁଁ ଭୁଲ କରିଛି, ହଁ ମୋ ଶାସନ ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି ଏବଂ ମୁଁ ଏହାକୁ ସୁଧାରି ନେବାକୁ ଯାଉଛି । ତା ବଦଳରେ ସେମାନେ କ’ଣ କରୁଛନ୍ତି ନା ନିଜକୁ ବାଦ ଦେଇ ବାକି ସମସ୍ତଙ୍କ ଆଡ଼କୁ ଆଙ୍ଗୁଠି ଦେଖାଉଛନ୍ତି । ଏଭଳି ପରିଣାମ ଯୋଗୁଁ ଗତ ବର୍ଷ ସେମାନେ ଏକ ବିବାଦୀୟ ବିଲ୍‌ ଆଗତ କରାଇବାରେ ବିଫଳ ହେଲେ । ଏ ବର୍ଷ ଆହୁରି ଏକ ଖରାପ ବିଲ୍‌ ଆଣି ସେମାନେ ସେହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କଲେ ।

ପ୍ରଶ୍ନ- ଆନ୍ଦୋଳନକାରୀମାନେ କ’ଣ ସବୁ ଦାବି କରୁଛନ୍ତି ? ସେଥିରେ ଅଲଗା ହୋଇଯିବାକୁ ଦାବି ରହିଛି କି ?

କେତେକ ଲୋକ ତାହା କହୁଛନ୍ତି ସତ, କିନ୍ତୁ ସଂଖ୍ୟାଧିକ ଲୋକେ ତାହା ଚାହୁଁନାହାନ୍ତି । ଗତ ବର୍ଷଠାରୁ ହଂକଂର ଲୋକେ ପାଞ୍ଚଟି ଦାବି କରିଆସୁଛନ୍ତି । ସାର୍ବଜନୀନ ମତାଧିକାର, ଅର୍ଥାତ୍‌ ଆମ ନିଜ ସରକାରକୁ ନିଜେ ବାଛିବାର ଅଧିକାର । ମୌଳିକ ଆଇନ ପରିସରରେ ସେ ସଂପର୍କିତ ପ୍ରତିଶ୍ରୁତି ଦିଆଯାଇଥିଲା । ଆମେ ଏଠି ଚନ୍ଦ୍ର ମାଗୁନାହୁଁ । ଆମେ ଚାହୁଁଛୁ, ପୋଲିସ ଅତ୍ୟାଚାର ସଂପର୍କରେ ନିରପେକ୍ଷ ତଦନ୍ତ ହେଉ । ତାହା ଅତ୍ୟନ୍ତ ନୈରାଶ୍ୟଜନକ । ଆମେ ଚାହୁଁଛୁ, ଏ ସରକାର ରାଜନୈତିକ ଅଭିଯୋଗ ଭିତ୍ତିରେ ଲୋକଙ୍କ ବିରୋଧରେ ମକଦ୍ଦମା କରିବା ବନ୍ଦ କରୁ । ଏହା ସଂପୂର୍ଣ୍ଣ ଭୁଲ । କାହାରିକୁ ଏ ସବୁ ଦାବି କ’ଣ ଅଯୌକ୍ତିକ ମନେ ହେଉଛି କି ? ନା । ସାମାନ୍ୟତଃ, ଲୋକେ ଏସବୁ ଦାବି କରି ନଥିଲେ ବି ଏକ ମୁକ୍ତ ପୃଥିବୀର ଯେ କୌଣସି ସରକାର ଏସବୁ କରିଥାଆନ୍ତା ।

ପ୍ରଶ୍ନ-ଆମେରିକା ତା’ର ଅନ୍ତର୍ଜାତୀୟ ଦାୟିତ୍ବରୁ ଓହରି ଯାଉଛି, ବିଭିନ୍ନ ବହୁପାକ୍ଷିକ ସଂସ୍ଥା ପରିତ୍ୟାଗ କରୁଛି । ଏଭଳି ସ୍ଥିତିରେ ଆମେରିକା ଦେଉଥିବା ବିବୃତି ଆପଣଙ୍କ ଉଦ୍ଦେଶ୍ୟ ପୂରଣ ଦିଗରେ ସହାୟକ ହେଉଛି କି ? ନା ଏହା ପରିସ୍ଥିତିକୁ ଆହୁରି ଜଟିଳ କରୁଛି ?

ହଂକଂ ଏକ ଅନ୍ତର୍ଜାତୀୟ ସହର । ହଂକଂରେ ଭାରତ ସମେତ ଅନେକ ଦେଶର ପ୍ରବଳ ସ୍ବାର୍ଥ ରହିଛି । ଏଠାରେ ଆପଣଙ୍କର ପୁଞ୍ଜି ବିନିଯୋଗ ହୋଇଛି, ବହୁ ଭାରତୀୟ ନାଗରିକ ଏଠାରେ ରହୁଛନ୍ତି ଏବଂ ଠିକ୍‌ ସେମିତି, ଆମେରିକା ଓ ଅବଶିଷ୍ଟ ବିଶ୍ବର ଲୋକେ ବି ଏଠାରେ ରହୁଛନ୍ତି । ବିଗତ ଦେଢ଼ ଶତାବ୍ଦୀ ଧରି ବିଭିନ୍ନ ଦେଶ ଏବଂ ନିବେଶକଙ୍କ ସହିତ ହଂକଂର ନିବିଡ଼ ସଂପର୍କ ଏବଂ ସମ୍ବନ୍ଧ ସ୍ଥାପିତ ହୋଇଛି । ଆମେରିକା ସେମାନଙ୍କ ମଧ୍ୟରୁ ଗୋଟିଏ । ଆମେରିକାର ହଂକଂ ନୀତି ଆଇନ ନାମକ ବିଧେୟକ ବଳରେ ସେମାନେ 1992ରେ ହଂକଂକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିଲେ । ହଂକଂ ସ୍ବତନ୍ତ୍ର ହୋଇ ରହିଲେ, ଚୀନଠାରୁ ଏହାକୁ ଅଲଗା କରି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେଥିରେ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ହସ୍ତାନ୍ତର ପରବର୍ତ୍ତୀ ସମୟରେ ଆମେ ଏମିତି ଅଂସଖ୍ୟ ଘଟଣା ଦେଖିଛୁ, ଯେଉଁଥିରୁ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’କୁ ବେଜିଂ ସମ୍ମାନ ଦିଏ ନାହିଁ ବୋଲି ସ୍ପଷ୍ଟ ବୁଝିହେଉଛି । ବେଜିଂ ଖୁବ୍‌ ବେଶୀ ସ୍ବାୟତ୍ତତାକୁ ସମ୍ମାନ କରେନାହିଁ । ତେଣୁ ଯୁକ୍ତରାଷ୍ଟ୍ର ଆମେରିକା କହୁଛି ଯେ ଆମେ ଦେଇଥିବା ଏହି ଉପହାରକୁ ଫେରାଇ ନେଉଛୁ । ଯଦି ବେଜିଂ ହଂକଂକୁ ସୁରକ୍ଷିତ ରଖି ଏହାର ଯତ୍ନ ନିଏ ଏବଂ ଏହାକୁ ସ୍ବତନ୍ତ୍ର ଓ ଅନନ୍ୟ କରି ରଖିବାକୁ ଚାହେଁ, ତେବେ ବେଜିଂ ଓ ହଂକଂ ସରକାରଙ୍କ ପାଇଁ ବହୁତ କିଛି କରିବାକୁ ରହିଛି । ସର୍ବପ୍ରଥମେ, ଜାତୀୟ ନିରାପତ୍ତା ଆଇନ ପ୍ରତ୍ୟାହାର କରି ନିଅନ୍ତୁ ଏବଂ ସେମାନେ ହଂକଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି ସାରା ବିଶ୍ବକୁ ଦେଖାଇ ଦିଅନ୍ତୁ ।

ପ୍ରଶ୍ନ- ମିନିଆପୋଲିସ୍‌ରେ ଜର୍ଜ ଫ୍ଲଏଡ୍‌ ଘଟଣା ପରବର୍ତ୍ତୀ ସମୟରେ ଜାତିଗତ ଅସମାନତା ଏବଂ ପୋଲିସ ଅତ୍ୟାଚାର ପ୍ରତିବାଦରେ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସହରରେ ଅଶାନ୍ତି ଲାଗି ରହିଛି । ଚୀନ ସରକାରଙ୍କ ମୁଖପାତ୍ରମାନେ ଏବଂ ସରକାରୀ ଗଣମାଧ୍ୟମ, ଆମେରିକାର ସରକାରୀ କର୍ତ୍ତୃପକ୍ଷଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ରବିବାର ଦିନ ଜାତୀୟତାବାଦୀ ଦୈନିକ ‘ଗ୍ଲୋବାଲ ଟାଇମ୍‌ସ’ର ମୁଖ୍ୟ ସଂପାଦକ ହୁ ସିଜିନ୍‌ ଲେଖିଛନ୍ତି, “ସତେ ଯେମିତି ହଂକଂର ମୌଳବାଦୀ ଉପଦ୍ରବୀମାନେ କୌଣସିମତେ ଆମେରିକାକୁ ଖସି ପଳାଇ ଯାଇଛନ୍ତି ଏବଂ ଗତ ବର୍ଷ ଭଳି ଗଣ୍ଡଗୋଳ ସୃଷ୍ଟି କରିଛନ୍ତି ।” ହଂକଂ ପୋଲିସ ଆମେରିକା ପୋଲିସ ତୁଳନାରେ ଅଧିକ ସଂଯମ ବୋଲି ଆମେରିକାକୁ ଚୀନ କହୁଥିବା କଥାକୁ ଆପଣ କେମିତି ଦେଖୁଛନ୍ତି ?

ଗୋଟିଏ ସ୍ବେଚ୍ଛାଚାରୀ ସରକାରର ଯେ କୌଣସି ସଦସ୍ୟ, ଯିଏ ବାକ୍‌ ସ୍ବାଧୀନତା କ’ଣ ବୋଲି କେବେ ବି ଜାଣିନାହିଁ, ଯିଏ କୌଣସି ସମୁଚିତ ପ୍ରତିବାଦ ଆନ୍ଦୋଳନରେ ଭାଗ ନେଇନାହିଁ, କୌଣସି ପ୍ରତିବାଦର ଔଚିତ୍ୟ ବା ଯଥାର୍ଥତା ସଂପର୍କରେ ତା’ଠାରୁ ଆପଣ କ’ଣ ବା ଆଶା କରିବେ । ‘ଗ୍ଲୋବାଲ ଟାଇମ୍‌ସ’ର ମୁଖ୍ୟ ସଂପାଦକ ହୁ କ’ଣ କେବେ କୌଣସି ପ୍ରତିବାଦରେ ଭାଗ ନେଇଛନ୍ତି, ସେ କ’ଣ କେବେ ପୋଲିସର ବର୍ବରତା ଦେଖିଛନ୍ତି ? ତାଙ୍କ ଭଳି ଲୋକମାନଙ୍କ ପାଇଁ କିଛି କହିବାର ଅଧିକାର ନାହିଁ । ମୁକ୍ତ ପୃଥିବୀରେ ଯାହା ସବୁ ଘଟିଯାଉଛି, ସେ ସଂପର୍କରେ କିଛି କହିଲା ଭଳି ସ୍ଥିତିରେ ସେମାନେ ନାହାନ୍ତି ।

ପ୍ରଶ୍ନ-ଆପଣଙ୍କର ସବୁଠାରୁ ବଡ଼ ଭୟ କ’ଣ ? ଖୋଲାଖୋଲି ଭାବରେ କହୁଥିବାରୁ ଆପଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୟ କରୁଛନ୍ତି କି ?

ମୋର ଆଦୌ କୌଣସି ଭୟ ନାହିଁ ବୋଲି ଯଦି ମୁଁ ଆପଣଙ୍କୁ କହେ, ତେବେ ଏହା ସଂପୂର୍ଣ୍ଣ ମିଛ ଓ ନିର୍ବୋଧତାର ପରିଚାୟକ ହେବ । କିନ୍ତୁ ହଂକଂକୁ ମୁଁ ମୋର ଘର ବୋଲି କହେ । ଗତ କିଛି ବର୍ଷ ହେଲା ସେଠାକାର ଲୋକମାନଙ୍କର ସେବା କରି ମୁଁ ଖୁବ୍‌ ଗର୍ବ ଅନୁଭବ କରେ । ଯଦି ସେଠାକାର ଲୋକଙ୍କୁ ସେବା କରିବାର କୌଣସି ସୁଯୋଗ ମିଳେ ତେବେ, ବୋଧହୁଏ ମୁଁ ତାହା ଅବ୍ୟାହତ ରଖିବି । ବିଗତ ବର୍ଷଗୁଡ଼ିକରେ ହଂକଂର ଲୋକେ ଖୁବ ସାହସିକତାର ପ୍ରମାଣ ଦେଇଛନ୍ତି ଏବଂ ଚରମ ନିର୍ଭୀକତା ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନଗୁଡ଼ିକ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହୋଇପାରେ । ଏ ଲଢ଼େଇ ଖୁବ୍‌ କଷ୍ଟକର, କିନ୍ତୁ ହଂକଂର ଲୋକେ ବି ସହଜରେ ଛାଡ଼ିବେ ନାହିଁ ।

ପ୍ରଶ୍ନ-ପ୍ରତିବାଦ ଶାନ୍ତିପୂର୍ଣ୍ଣ ରହିବ ଏବଂ କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହୃତ ହେବନାହିଁ ବୋଲି ଆପଣ କେମିତି ସୁନିଶ୍ଚିତ କରୁଛନ୍ତି ?

ବର୍ତ୍ତମାନ ହଂକଂ ଆନ୍ଦୋଳନର ପୃଷ୍ଠଭାଗରେ କୌଣସି ଯୋଜନା ହେଉନାହିଁ । କେହି ନେତା ନାହାନ୍ତି । ଏହା ଏକ ନେତାବିହୀନ ଆନ୍ଦୋଳନ । ଦଶରୁ କୋଡିଏ ଲକ୍ଷ ଲୋକ ଯେତେବେଳେ ରାଜରାସ୍ତାକୁ ବାହାରିଥିଲେ, ସେତେବେଳେ ବି ଏହା ଖୁବ୍‌ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା । କିନ୍ତୁ ଯେତେବେଳେ ସରକାର ଲୋକଙ୍କ ଦାବିକୁ ଅଣଦେଖା କରିବାରେ ଲାଗିଲେ, କେତେକ ଲୋକ ହତାଶ ହୋଇପଡ଼ିଲେ ଏବଂ ପୋଲିସ କର୍ମଚାରୀମାନେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କଲେ, ସାଧାରଣ ଲୋକଙ୍କ ଉପରେ ରବର ବୁଲେଟ୍‌ ମାଡ଼ କଲେ, ସେତେବେଳେ ଲୋକେ ତାତି ଉଠିଲେ । ଗତ କିଛି ବର୍ଷ ହେଲା, ଅଗଣିତ ଘଟଣାରେ ଆମେ ପୋଲିସର ବର୍ବରତା ଦେଖିଛୁ ଏବଂ ତାହା ହିଁ ଲୋକଙ୍କୁ ଉନ୍ମାଦିତ କରିଛି । ଆମେ ଶାନ୍ତିପୂର୍ଣ୍ଣ ରହିବୁ ବୋଲି ମୁଁ କାମନା କରୁଛି ସତ, କିନ୍ତୁ ରାସ୍ତାରେ ଲୋକେ କାହିଁକି ଉନ୍ମାଦଗ୍ରସ୍ତ ଓ କ୍ରୋଧିତ ହେଉଛନ୍ତି, ତାହା ମୁଁ ବୁଝିପାରୁଛି ।

ପ୍ରଶ୍ନ-ଚୀନ୍‌ର ମୁଖ୍ୟ ଭୂଭାଗରେ ରହୁଥିବା ସାଧାରଣ ନାଗରିକମାନଙ୍କଠାରୁ କୌଣସି ସହାନୁଭୂତି ବା ସମର୍ଥନ ମିଳିବା ଭଳି ଆପଣଙ୍କୁ ଲାଗୁଛି କି, କାରଣ ଏ ସମୟରେ ନିଜ ଦେଶରେ ରାଷ୍ଟ୍ରପତି ସି’ଙ୍କୁ ଅଭୂତପୂର୍ବ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି ?

ସରକାରୀ ଯାଞ୍ଚ ଏବଂ ନିରୀକ୍ଷଣର ଆଶଙ୍କା ବିନା ଚୀନର ଲୋକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ସହଜ ନୁହେଁ । କିନ୍ତୁ ହଂକଂ ଲୋକଙ୍କ ସ୍ବାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବା ଲୋକେ ସୀମା ଆରପଟେ ଅଛନ୍ତି ବୋଲି ମୁଁ ବୁଝିପାରୁଛି । କିନ୍ତୁ ହଂକଂ ତୁଳନାରେ ସେମାନେ ଆହୁରି ଜଟିଳ ସ୍ଥିତିରେ ଅଛନ୍ତି । ଆମ ପାଇଁ ତ ନିର୍ବିଘ୍ନରେ ଇଣ୍ଟରନେଟ୍‌ ଉପଲବ୍ଧ ହେଉଛି । ଚୀନରେ ଫାୟାରୱାଲ୍‌ ରହିଛି । ସେମାନଙ୍କୁ ଭିପିଏନ୍‌ ବ୍ୟବହାର କରି ଫାୟାରୱାଲ୍‌ ଅତିକ୍ରମ କରିବାର ଭିନ୍ନ ଭିନ୍ନ ପନ୍ଥା ବାଛିବାକୁ ପଡ଼ିବ । ଏହା ସେମାନଙ୍କ ପାଇଁ ଖୁବ୍‌ କଷ୍ଟକର କାମ । ଆମେ ସେମାନଙ୍କର ଶୁଭକାମନା କରୁଛୁ ।

ପ୍ରଶ୍ନ-ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ସି ଜିନ୍‌ପିଙ୍ଗଙ୍କ ଅଭିଳାଷିତ ସ୍ବପ୍ନ ସାକାର ହେବାର ଆଶା କମିଯାଉଥିବାରୁ ଏବଂ ସେ ଲୋକପ୍ରିୟତା ହରାଉଥିବା କାରଣରୁ, ନିଜ ଦେଶରେ ପୁଣି କର୍ତ୍ତୃତ୍ବ ଜାହିର କରିବା ଲାଗି ଚୀନର ଏହି ଅତିକ୍ରମଣ ଉଦ୍ଦିଷ୍ଟ କି?

ଆଜିର ଏହି ପୃଥିବୀରେ କ୍ଷମତାରେ ଥିବା ଲୋକଙ୍କଠାରୁ ହିଁ ଆମେ କିଛି ଚାହୁଁଛୁ, ଏବଂ ପରିଚୟ ନିର୍ବିଶେଷରେ, ଭିନ୍ନ ଭିନ୍ନ ଦଳ ସହିତ କେବଳ ଏକ ଯଥାର୍ଥ ଯୋଗାଯୋଗ ସ୍ଥାପନ ଲାଗି ଯଥାର୍ଥ ଆଶାପୋଷଣ କରୁଛୁ । ଇଣ୍ଟରନେଟ୍‌ ଯୁଗରେ ଲୋକଙ୍କ ପାଇଁ ଯାହା କିଛି ହେଲେ ବି ଖୁବ୍‌ ଶୀଘ୍ର ଉପଲବ୍‌ଧ ହୋଇଥାଏ । ତେଣୁ ଯଦି ନେତାମାନେ, ସାଥୀ ନେତାମାନଙ୍କ ସହିତ ଏବଂ ସାରା ବିଶ୍ବରେ ରହୁଥିବା ନାଗରିକମାନଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବେ, ତେବେ ଏହା କାହାରି ପାଇଁ ଶାନ୍ତିପ୍ରଦ ହେବ ନାହିଁ କି ମଙ୍ଗଳକାରୀ ପ୍ରତିପାଦିତ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.