ETV Bharat / city

ଦେଶରେ ପ୍ରଥମ ପୁରୀ, ୨୪ ଘଣ୍ଟିଆ ମିଳିବ ଟ୍ୟାପ ପାଣି

author img

By

Published : Jul 26, 2021, 3:38 PM IST

Updated : Jul 26, 2021, 8:53 PM IST

ପୁରୀ ସହରବାସୀଙ୍କୁ ଦେଶରେ ପ୍ରଥମେ ମିଳିବ ୨୪ ଘଣ୍ଟିଆ ଟ୍ୟାପ ପାଣି । ଏହି ପ୍ରକଳ୍ପକୁ ଆଜି(ସୋମବାର) ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଅଧିକ ପଢନ୍ତୁ...

Drink from Tap Water project inaugurated by CM Naveen
୨୪ ଘଣ୍ଟିଆ ଟ୍ୟାପ ପାଣି ସୁବିଧା, ପ୍ରକଳ୍ପକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୀ/ଭୁବନେଶ୍ବର: ସହରବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି(ସୋମବାର) ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶରେ ପ୍ରଥମ ପୁରୀ, ୨୪ ଘଣ୍ଟିଆ ମିଳିବ ଟ୍ୟାପ ପାଣି

ପ୍ରକଳ୍ପ ଲୋକାର୍ପିତ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ବଚ୍ଛ ପିଇବା ପାଣି । ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ବଚ୍ଛ ପାଣି । ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲଣ୍ଡନ, ଲସ୍‌ ଏଞ୍ଜେଲସ୍‌ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହୋଇଛି ପୁରୀ । ଏହି ଯୋଜନା ପରେ ଏବେ ପୁରୀରେ ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ । ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପ୍‌ର ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ମିଶନ ଶକ୍ତିର ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଜୟ ଜଗନ୍ନାଥ କହି ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତିର ମା’ମାନେ ଜଳସାଥୀ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀକ୍ଷେତ୍ର ଯୋଜନା ଆଗେଇ ଚାଲିଛି । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ୫-T ସଚିବ ଭିକେ ପାଣ୍ଡିଆନ । ବିସ୍ତୃତ ବିବରଣୀ ରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପୁରୀକୁ ବିଶ୍ବସ୍ତରୀୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନକୁ ସାକାର କରିବା ଦିଗରେ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ୱାଟର ମିଶନ ଏକ ଯୁଗାନ୍ତକାରୀ ପ୍ରକଳ୍ପ ।

ଏଭଳି ପଦକ୍ଷେପ ଫଳରେ ପୁରୀ ସହରର ଅଢେଇ ଲକ୍ଷ ବାସିନ୍ଦା ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବେ । ଏହି ଯୋଜନାରେ ଆଧ୍ୟାତ୍ମିକ ନଗରୀ ପୁରୀକୁ ଆସୁଥିବା ବାର୍ଷିକ ୨ କୋଟି ପର୍ଯ୍ୟଟକ ମଧ୍ୟ ଉପକୃତ ହେବେ । ଏପରି ସଫଳତା ହାସଲ କ୍ଷେତ୍ରରେ ପୁରୀ ସାରା ଦେଶରେ ହେଉଛି ପ୍ରଥମ ସହର । ଏହି ଯୋଜନା ପରେ ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନ୍‌ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ହୋଇପାରିବ ।

ରାଜ୍ୟ ସରକାରଙ୍କ ୫-T ଯୋଜନା ଅଧୀନରେ ଆଗାମୀ ୧୬ଟି ସହରର ୪୦ ଲକ୍ଷ ବାସିନ୍ଦାଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଯୋଜନାର କାର୍ଯ୍ୟକାରୀ ହେବାକୁ ଯାଉଛି । ସେହିପରି ଆସନ୍ତା 2024 ମସିହା ସୁଦ୍ଧା ରାଜ୍ୟ ସମସ୍ତ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଲକ୍ଷ୍ୟ ରହିଥିବା ସୂଚନା ଦିଆଯାଇଛି । ସେହିପରି ପଞ୍ଚାୟତ ସ୍ତରର ନିର୍ବାଚନ ପାଇଁ ସରକାର ଆଇନ ଅନୁଯାୟୀ ପ୍ରସ୍ତୁତ ହେଉଥିବା ପଞ୍ଚାୟତ ରାଜ ମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫ଟି Transformative Initiativeର ଏହା ହେଉଛି ଶ୍ରେଷ୍ଠ ମଡେଲ । ଭଲ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି । ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥି ଭାବରେ ମିଶନ ଶକ୍ତିର ମା ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ସାରା ଓଡିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସହରମାନଙ୍କରେ ଉଚ୍ଚମାନର ସୁବିଧା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି । ପୁରୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଆଜି ସାର୍ଥକ ହୋଇଛି ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଂକର ମିଶ୍ର ଭିସି ଜରିଆରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ Drink from Tap ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହର ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଦୁର୍ଗାଶଂକର କହିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଥମେ ନଗର ଉନ୍ନୟନ ମନ୍ତ୍ରୀ ଟ୍ୟାପରୁ ପାଣି ପିଇଥିଲେ । ପରେ ପୁରୀ ବଳିଆପଣ୍ଡାର ଦୁଇ ଜଣ ମହିଳା ଟ୍ୟାପ୍‌ରୁ ପାଣି ପିଇ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

ଲଣ୍ଡନ, ଟୋକିଓ, ନ୍ୟୂୟର୍କ, ସିଙ୍ଗାପୁର ପରି ପୁରୀବାସୀ ପାଇବେ ସିଧାସଳଖ TAPରୁ ବିଶୁଦ୍ଧ ପିଇବା ପାଣି :-

ସାରା ଦେଶରେ Drink from Tap କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ । ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆମର ମେଟ୍ରୋ ସହର ମାନଙ୍କରେ ବି, ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ଆଜି London, New York, Singapore ଆଦି ବିଶ୍ବର ବଡ ବଡ ସହର ଲିଗରେ ସାମିଲ ହୋଇପାରିଛି । ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।


ଚାରି ଶହ ମେଟ୍ରିକ ଟନ୍ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ହେବ ପୁରୀ:-

୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ Drink from Tap ସୁବିଧା ମିଳିଛି । ଏହା ସହିତ ପୁରୀକୁ ପ୍ରତି ବର୍ଷ ୨ କୋଟି ପର୍ଯ୍ୟଟକ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନଙ୍କୁ ମଧ୍ୟ ଆଉ water bottle ଧରି ବୁଲିବାକୁ ପଡିବ ନାହିଁ । ଏହି ପ୍ରକଳ୍ପରେ ବଡଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ୱାଟର ଫାଉଣ୍ଟେନ କରାଯାଇଛି । ଏହାଦ୍ବାରା ୪୦୦ ମେଟ୍ରିକ ଟନ୍‌ plastic wasteରୁ ମଧ୍ୟ ସହର ରକ୍ଷା ପାଇପାରିବ । ଏଥିପାଇଁ ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।


ଫନି ପରେ ପୁରୀକୁ ବିଶ୍ବ ଐତିହ୍ୟ ନଗର କରିବା ପାଇଁ ହୋଇଥିଲା ନିଷ୍ପତ୍ତି:- ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମର ପରିକଳ୍ପନା ଓ ରୂପାୟନ ସଂପର୍କରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମଇ ମାସ ୩ ତାରିଖରେ ପୁରୀରେ ଫନି ବାତ୍ୟା ସ୍ଥଳଭାଗ ଛୁଇଁଥିଲା । ତାପରେ ମଇ ୫ ତାରିଖ ଦିନ ସେ ପୁରୀରେ ପହଞ୍ଚି ଥିଲେ । ପୁରୀର ଅବସ୍ଥା ଦେଖି ଗଭୀର ଭାବରେ ଦୁଃଖିତ ହୋଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଦିନ ହିଁ ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବରେ ବିକଶିତ କରିବା ପାଇଁ ଘୋଷଣା କରିଥିଲି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗରୁ ଶ୍ରୀକ୍ଷେତ୍ର ଯୋଜନା ଭଲ ଭାବରେ ଆଗେଇ ଚାଲିଛି । ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

Last Updated : Jul 26, 2021, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.