ETV Bharat / city

ୟସ ପାଇଁ ହେବ ଅକ୍ସିଜେନ ଅଭାବ ! ହସ୍ପିଟାଲକୁ ବିଦ୍ୟୁତ ଯୋଗାଣରେ ବାଧା ସାଜିବ କି ବାତ୍ୟା ?

author img

By

Published : May 24, 2021, 7:15 PM IST

Updated : May 24, 2021, 7:47 PM IST

ଓଡିଶାର ବାଲେଶ୍ବରରେ ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଗୋଟିଏ ପଟେ ମହାମାରୀ କୋରୋନାର ଭୟାବହତା ଅନ୍ୟପଟେ ବାତ୍ୟାର କରାଳ ରୂପ ସରକାରଙ୍କ ପାଇଁ ଡବଲ ଚ୍ୟାଲେଞ୍ଜ ପାଲଟିଛି । ଅଧିକ ପଢନ୍ତୁ...

ୟସ ପାଇଁ ହେବ ଅକ୍ସିଜେନ ଅଭାବ ! ହସ୍ପିଟାଲକୁ ବିଦ୍ୟୁତ ଯୋଗାଣରେ ବାଧା ସାଜିବ କି ବାତ୍ୟା ?
ୟସ ପାଇଁ ହେବ ଅକ୍ସିଜେନ ଅଭାବ ! ହସ୍ପିଟାଲକୁ ବିଦ୍ୟୁତ ଯୋଗାଣରେ ବାଧା ସାଜିବ କି ବାତ୍ୟା ?

ଭୁବନେଶ୍ବର: ଭୟ ବଢାଉଛି ବାତ୍ୟା ୟସ । ପ୍ରବଳ ପବନ ବହିବାର ରହିଛି ଆଶଙ୍କା । ଉପୁଡିବ ଗଛ ଆଉ ବିଦ୍ୟୁତ ଖୁଣ୍ଟ । ଆଉ ବାଧାପ୍ରାପ୍ତ ହେବ ବିତ୍ୟୁତ ଯୋଗାଣ । ସରକାରଙ୍କ ପାଇଁ ସଙ୍କଟର ଘଡି । ବିନା ବିତ୍ୟୁତ ଯୋଗାଣରେ ହସ୍ପିଟାଲଗୁଡିକରେ କିଭଳି ଚାଲିବ ମେଡିକାଲ ଉପକରଣ ? ଅକ୍ସିଜେନର ହେବ କି ଅଭାବ ? ତମାମ ପ୍ରଶ୍ନ ମଧ୍ୟରେ ଭୟଙ୍କର ରୂପ ନେଇ ଉପକୂଳ ଆଡକୁ ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ୟସ । ରବିବାର ଏହା ଅବପାତରେ ପରିଣତ ହୋଇଥିବାବେଳେ ସୋମବାର ଏହା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଓଡିଶାର ବାଲେଶ୍ବରରେ ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଓଡିଶାରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲା ଅଧିକ ପ୍ରଭାବିତ ହେବ । ସେପଟେ ପଡୋଶୀ ପଶ୍ଚିମବଙ୍ଗରେ ମଧ୍ୟ ଏହାର ଜୋରଦାର ପ୍ରଭାବ ପଡିବ ।

ଗୋଟିଏ ପଟେ ମହାମାରୀ କୋରୋନାର ଭୟାବହତା ଅନ୍ୟପଟେ ବାତ୍ୟାର କରାଳ ରୂପ ସରକାରଙ୍କ ପାଇଁ ଡବଲ ଚ୍ୟାଲେଞ୍ଜ ପାଲଟିଛି । ରାଜ୍ୟରେ ଏବେ ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣ । ଅନେକ ରୋଗୀ ଏବେ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି ।

ନିକଟରେ ମହାମାରୀ ସଙ୍କଟ ସମୟରେ ଅକ୍ସିଜେନ ଅଭାବ ବଡ ସମସ୍ୟା ହୋଇ ଛିଡା ହୋଇଥିଲା । ଏନେଇ ଜରୁରୀକାଳୀନ ଅକ୍ସିଜେନ ଯୋଗାଣ ଉପରେ ଜୋର ଦେଇଥିଲେ ସରକାର । ହେଲେ ବର୍ତ୍ତମାନ ବାତ୍ୟା ଯୋଗୁଁ ହସ୍ପିଟାଲଗୁଡିକୁ ସଠିକ ସମୟରେ ଅକ୍ସିଜେନ ଯୋଗାଣ ଚ୍ୟାଲେଞ୍ଜ ହୋଇପାରେ ।

କେବଳ ଅକ୍ସିଜେନ ଯୋଗାଣ ନୁହେଁ, ବାତ୍ୟା ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ଏକ ବଡ ସମସ୍ୟା । ବାତ୍ୟା ଯୋଗୁଁ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡିବାର ଆଶଙ୍କା ରହିଛି । ଏହି ସମୟରେ ହସ୍ପିଟାଲକୁ ବିତ୍ୟୁତ ଯୋଗାଣରେ ସମସ୍ୟା ଉପୁଜିପାରେ । ଅଧିଂକାଶ କୋଭିଡ ରୋଗୀ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଥିବାରୁ ଆଗକୁ ବିଦ୍ୟୁତ ସେବା ବାଧାପ୍ରାପ୍ତ କାରଣରୁ ହସ୍ପିଟାଲରେ ରୋଗୀସେବାରେ ବାଧା ଉପୁଜିପାରେ ।

ବାତ୍ୟା ପବନ କମୁ କମୁ କିଛି ଜେନେରେଟର ଚାଲୁ ନକରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଏଭଳି କରିବା ଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଯେଉଁଥି ଲାଗି ବିଦ୍ୟୁତ୍‌ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ଜେନେରେଟର ନଲଗାଇବା ଲାଗି କହିଛନ୍ତି ଏସଆରସି । ବାତ୍ୟା ପରେ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ ଏସଆରସି କହିଛନ୍ତି ।

ସେପଟେ ବାତ୍ୟା ଯୋଗୁଁ ଟୀକାକରଣରେ ମଧ୍ୟ ବାଧା ଉପୁଜିଛି । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜରେ ଟୀକାକରଣ ବନ୍ଦ ରହିବ । ଏହାସହ ଡୋର୍‌ ଟୁ ଡୋର୍‌ ସର୍ଭେ ମଧ୍ୟ ବନ୍ଦ ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ସେପଟେ ରାଜ୍ୟରେ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୋଟିସ ଜାରି କରି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ 9ଟି ଡାକ୍ତର ଟିମ ନିଯୁକ୍ତି କରାଯାଇଛି ।

କୋଭିଡ ଓ ବାତ୍ୟାର ଡବଲ ଚ୍ୟାଲେଞ୍ଜ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୟସ ଯୋଗୁଁ ତରଳ ମେଡିକାଲ ଅକ୍ସିଜେନରେ ଅଭାବ ରହିବ ନାହିଁ । କେବଳ ବିଦ୍ୟୁତ ଯୋଗାଣ ଚ୍ୟାଲେଞ୍ଜ ହୋଇପାରେ ।

ବାତ୍ୟା ପରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟରେ 17 ଟି NDRF ଟିମ, 20ଟି ଓଡ୍ରାଫ, 150 ଫାୟାର ଟିମ ପ୍ରସ୍ତୁତ ଅଛନ୍ତି । ରବିବାର ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଛି । ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି ।

ସେପଟେ ବାତ୍ୟା ଉପରେ କ୍ରମାଗତ ନଜର ରଖିଛନ୍ତି ରାଜ୍ୟସରକାରଙ୍କ ଅଧିକାରୀ । ଯେଭଳି କୋରୋନା ରୋଗୀଙ୍କ ଚିକିତ୍ସାରେ ବାତ୍ୟାର କୌଣସି ପ୍ରଭାବ ନପଡେ ଏହାକୁ ଗୁରୁତ୍ବ ଦିଆଯାଉଛି । ଗତବର୍ଷ ମଧ୍ୟ କୋରୋନା ସଂକ୍ରମଣ ମଧ୍ୟରେ ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ବେଶ ପ୍ରଭାବଶାଳୀ ପଦକ୍ଷେପ ନେଇଥିଲେ । ତେବେ ଏଥର ସମାନ ଭାବରେ ସରକାରଙ୍କ ପଦକ୍ଷେପ ଡବଲ ଚ୍ୟାଲେଞ୍ଜର ମୁକାବିଲା କରିବାରେ ସଫଳ ହେବ ବୋଲି ଅନୁମେୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2021, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.