ETV Bharat / city

Cabinet Meeting: ଓଡିଶା ଆଇଟି ପଲିସି ୨୦୨୨କୁ କ୍ୟାବିନେଟ୍‌ ମଞ୍ଜୁରୀ

author img

By

Published : Jul 19, 2022, 1:43 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଓଡିଶା ଆଇଟି ପଲିସି-୨୦୨୨କୁ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ

Cabinet Meeting: ଓଡିଶା ଆଇଟି ପଲିସି ୨୦୨୨କୁ କ୍ୟାବିନେଟର ମଞ୍ଜୁରୀ
Cabinet Meeting: ଓଡିଶା ଆଇଟି ପଲିସି ୨୦୨୨କୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଓଡିଶା ଆଇଟି ପଲିସି-୨୦୨୨କୁ କ୍ୟାବିନେଟର ମଞ୍ଜୁରୀ କରିଛି । ଓଡିଶାକୁ ଦେଶରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପାଇଁ ପୁଞ୍ଜିନିବେଶର ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଲାଗି ଏହି ପଲିସି ଉଦ୍ଧିଷ୍ଟ । ଏହାସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଆଇଟି ଆଉଟସୋର୍ସିଙ୍ଗରେ ଓଡିଶାକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ପଲିସିର ମୁଖ୍ୟ ଲକ୍ଷ୍ୟ । ଦେଶ ତଥା ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ ଏହି ପଲିସି ମାଧ୍ୟମରେ ବିଭିନ୍ନ ପ୍ରୋଜନର ବ୍ୟବସ୍ଥା କରାଯାଇଛି ।

ପୂର୍ବ ଭାରତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଜନସାଧାରଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଓ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିବାରେ ଓଡିଶା ସରକାର ଆଗରେ ରହିଛନ୍ତି । ଉତ୍ତମ ଶାସନର 5T ମନ୍ତ୍ର ସହିତ ଏକ ଡିଜିଟାଲ ଗଣତନ୍ତ୍ର ହାସଲ କରିବାକୁ ରାଜ୍ୟ ପ୍ରସ୍ତୁତ ଅଛି । ଓଡିଶା ଆଇ.ଟି ପଲିସି - ୨୦୨୨ ଏହାର ଗେଜେଟ୍‌ ବିଜ୍ଞପ୍ତି ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେହିଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଓଡିଶା ଆଇ.ଟି. ପଲିସି -୨୦୨୨ ରେ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରାଯାଇଛି:

( ୧ ) ଆଇ.ଟି ପାର୍କ ନିମନ୍ତେ ପ୍ରୋତ୍ସାହନ: ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶର ୨୫ % ( ସର୍ବାଧିକ ୨୦ କୋଟି ଟଙ୍କା) ଯୋଗାଇ ଦିଆଯିବ । ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ % (ସର୍ବାଧିକ ୨୫ ଲକ୍ଷ ଟଙ୍କା) ପ୍ରତିପୁର୍ତ୍ତି (rimbursement ) କରାଯିବ । Green Field IT Park ଗୁଡିକୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତ ପ୍ରତିଶତ ଛାଡ଼ କରାଯିବ ।

( ୨ ) ସ୍ଥାୟୀ ପୁଞ୍ଜିନିବେଶ ସହାୟତା : ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦ % ( ସର୍ବାଧିକ ୩ କୋଟି ପର୍ଯ୍ୟନ୍ତ ) ଯୋଗ୍ୟ ଆଇ.ଟି. ସଂସ୍ଥା ମାନଙ୍କୁ ରିହାତି ଯୋଗାଇଦିଆଯିବ ।

( ୩ ) ଯେଉଁ ଆଇ.ଟି. ଶିଳ୍ପଦ୍ୟୋଗୀମାନେ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ( ଆର୍ଥିକ ସଂସ୍ଥାରୁ ଋଣକରି ଠିକ ସମୟରେ ପରିଶୋଧ କରୁଥିବେ ସେମାନଙ୍କ ଋଣ ଉପରେ ବାର୍ଷିକ ୫ % ସୁଧ ରିହାତି ୫ ବର୍ଷ ପର୍ଯ୍ୟନ୍ତ (ସର୍ବାଧିକ ୧୦ କୋଟି ବାର୍ଷିକ ) କରାଯିବ ।

( ୪ ) ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ ( Electricity Duty ), ବୈଦ୍ୟୁତିକ ଯାଞ୍ଚଶୁଳ୍କ ( Inspection Fee ) ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍ ର ୩୪ % ( ସର୍ବାଧିକ ୩୫ ଲକ୍ଷ ) ରିହାତି ମିଳିବ ।

( ୫ ) ୪୦ ରୁ ଅଧିକ କର୍ମଚାରୀ ଥିବା ଆଇ.ଟି. ୟୁନିଟଗୁଡିକ Incubation Space କୁ ଆଧାର କରି ସର୍ବାଧିକ ୩ ବର୍ଷ ପାଇଁ Incubation Space ର ଭଡାରେ ରିହାତି ପାଇପାରିବେ । ସରକାରଙ୍କ ଦ୍ବାରା ଅନୁମୋଦିତ IT Park ଓ Incubation Centre ରେ Co - Working Space ରେ କାର୍ଯ୍ୟ କଲେ ପ୍ରତି ସିଟ୍ ପିଛା ମାସିକ ୧୪୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଜ୍ଞପ୍ତି ପ୍ରାପ୍ତ ଘରୋଇ ଆଇ.ଟି. ପାର୍କରେ ପ୍ରତି ସିଟ୍ ପିଛା ୧୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ପୁର୍ତ୍ତି କରାଯିବ ।

( ୬ ) ଯେଉଁ ଆଇ.ଟି. ସଂସ୍ଥାମାନେ ଭଡାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ । ଯାହା ତାଙ୍କ ପ୍ରକୃତ ଭଡାର ୭୫ % ରୁ ଅଧିକ ହେବନି । ମହିଳା ଅନୁସୂଚିତ ଜାତି / ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ଅତିରିକ୍ତ ୨୫ % ( ସର୍ବାଧିକ ବାର୍ଷିକ ୫ ଲକ୍ଷ ) ସହାୟତା ପ୍ରଦାନ କରାଯିବ ।

( ୭ ) ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦ % ଏବଂ ଦ୍ବିତୀୟ ଥର ପାଇଁ ୫୦ % ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦ % ପ୍ରତିଶତ ଯୋଗାଇ ଦିଆଯିବ ।

( ୮ ) ଭୁବନେଶ୍ବର ବିକାଶ ପ୍ରାଧିକରଣ ( ବି ଡି ଏ ) ଅଞ୍ଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇ.ଟି କମ୍ପାନୀମାନଙ୍କୁ ୫ ବର୍ଷ ପାଇଁ ଏତ ପ୍ରତିଶତ Net SGST ପ୍ରତିପୂର୍ତ୍ତି(Reimbursement ) କରାଯିବ ।

( ୯ ) ମାନବସମ୍ବଳ ବିକାଶ ନିମନ୍ତେ ପ୍ରୋତ୍ସାହନ: ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯୁକ୍ତି (କାର୍ଯ୍ୟନିର୍ବାହୀ ପଦରେ) ନିମନ୍ତେ ପ୍ରତି ବ୍ୟକ୍ତି ପାଇଁ ୧୦ ହଜାର ଟଙ୍କା (ସର୍ବାଧିକ ୧୦ ଲକ୍ଷ ଟଙ୍କା) ପ୍ରତି ୟୁନିଟକୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି ( ଜନଜାତି ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୧୦୦୦ ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଆ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ( EPF ) ଓ ରାଜ୍ୟକର୍ମଚାରୀ ବୀମା ( ESI ) ବାବଦକୁ ଶତପ୍ରତିଶତ ଅର୍ଥ ( ସର୍ବାଧିକ ୫ କୋଟି ) ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

( ୧୦ ) ଯୋଗ୍ୟ ଆଇ.ଟି କମ୍ପାନୀମାନଙ୍କୁ ସେମାନଙ୍କର Internet ସଂଯୋଗ / ଲିଜ୍ ଦେୟର ୫୦ % ସର୍ବାଧିକ ୫ ଲକ୍ଷ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ପ୍ରତିପୂର୍ତ୍ତି ( Reimbursement ) କରାଯିବ ।

( ୧୧ ) Biju Innovation Lab ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇଦିଆଯିବ ।

( ୧୨ ) ଓଡ଼ିଶାର ଇଞ୍ଜିନିୟରିଂ କଲେଜ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର Centre of Excellence ( CoE )କୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଙ୍କ ସହାୟତା, ଗୁଣବତ୍ତା ପ୍ରମାଣପତ୍ର ସହାୟତା, ପେଟେଣ୍ଟ ପଞ୍ଜିକରଣ ସହାୟତା, ଇଣ୍ଟରନେଟ୍ ସହାୟତା, ସୁଧ ସବ୍‌ସିଡ଼ି ଆଦି ପ୍ରୋତ୍ସାହନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

( ୧୩ ) Artificial Intelligence, Cyber Security , Extended Reality, Automation, Block Chain, Big Data, Cloud Computing, Internet of Things, Machine Leaming କ୍ଷେତ୍ରରେ ବିନିଯୋଗ କରିଥିବା କମ୍ପାନୀ । ୟୁନିଟ୍ ମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.