ETV Bharat / city

ଧରାବତରଣ କରିବେ ପାର୍ବତୀନନ୍ଦନ, ରାଜଧାନୀରେ ଜୋରଦାର ପ୍ରସ୍ତୁତି, କାରିଗରଙ୍କୁ ନାହିଁ ଫୁରସତ

author img

By

Published : Aug 26, 2022, 9:57 PM IST

ଆଉ ଦିନ କେଇଟା ଗଲେ ଗଣେଶ ପୂଜା । ଧୂମଧାମରେ ପୂଜା ମଣ୍ଡପରେ ଝଲସିବେ ଅଗ୍ରପୂଜ୍ୟ ଗଜାନନ । ଭୁବନେଶ୍ବର ନୟାପଲ୍ଲୀରେ ଦେଖିବାକୁ ମିଳିବ ୫୦ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି । ଏପଟେ କଟକଣା ଯୋଗୁଁ ଅନେକ ବ୍ୟବସାୟୀ ହାତବାନ୍ଧି ବସିଥିଲେ । ତେଣୁ ବେଉସା ପାଇଁ ଅନୁମତି ମିଳିଥିବାରୁ ବ୍ୟବସାୟୀ ଏବଂ କାରିଗର ବେଶ ଖୁସି ଅନୁଭବ କରୁଛନ୍ତି । ଅଧିକ ପଢ଼ନ୍ତୁ

sculptors busy in making ganesh idol in bhubaneswar
ଧରାବତରଣ କରିବେ ପାର୍ବତୀନନ୍ଦନ, ରାଜଧାନୀରେ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଆଉ ଦିନ କେଇଟା ଗଲେ ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ ବା ପାର୍ବତୀନନ୍ଦନ । ଏନେଇ ଚଳଚଞ୍ଚଳ ହେଲାଣି ବିଭିନ୍ନ ପୂଜାମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ପାର୍ବଣ ଋତୁର ଆଗମନକୁ ନେଇ ଜମୁଛି ଉତ୍ସବର ଆସର। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଚାଲିଛି ପ୍ରତିଯୋଗିତା । କେଉଁଠି ଆକାରକୁ ନେଇ ତ ପୁଣି କେଉଁଠି ବିଭିନ୍ନ ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଛି ପୂଜା ମଣ୍ଡପ। ଭୁବନେଶ୍ବରର ସମସ୍ତ କ୍ଲବ୍‌ ଓ ଆସୋସେଏସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି ।

ଧରାବତରଣ କରିବେ ପାର୍ବତୀନନ୍ଦନ

ଭୁବନେଶ୍ବର ନୟାପଲ୍ଲୀ ନୂଆସାହିର ଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ଚଳିବର୍ଷ ପୂଜାରେ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି କରାଯାଇଛି । ଏଥିସହ ୫୦ କେଜି ଲଡୁ ଭୋଗ ହେବ । ୧୧ ଦିନ ଧରି ପୂଜା ଚାଲିବାକୁ ଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେବ । ପୂର୍ଣ୍ଣାହୂତିରେ ୧୦,୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରାସାଦ ସେବନ ବ୍ୟବସ୍ଥା ରହିବ। ଆସୁଥିବା ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଂଗଠନ ପକ୍ଷରୁ ସିସିଟିଭିର ବ୍ୟବସ୍ଥା କରାଯାଇଛି ଏବଂ ଭସାଣି ଉତ୍ସବରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ମେଲୋଡି କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ଏପରିକି ଲୋକଙ୍କ ପାଇଁ ସିଧାପ୍ରସାରଣର ବ୍ୟବସ୍ଥା ମଧ୍ୟ ହୋଇଛି । ଗଜାନନଙ୍କ ମୂର୍ତ୍ତିକୁ ଆକଷର୍ଣୀୟ କରିବା ପାଇଁ କମିଟିର ଯୁବଗୋଷ୍ଠୀମାନେ ଲାଗିପଡ଼ିଛନ୍ତି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ପାଲଟିବ ଲାଇଟିଙ୍ଗ ଗେଟ୍ । ଦୁଇ ମାସ ପୂର୍ବରୁ ୧୫ କାରିଗର କାମରେ ଲାଗିଛନ୍ତି।

ଅନ୍ୟପଟେ ଚାହିଦା ମୂତାବକ ମୂର୍ତ୍ତି ତିଆରିରେ ଲାଗିପଡ଼ିଛନ୍ତି କାରିଗର (sculptors busy in making Ganesh idol) । ମାଟିକୁ ଚକଟି କୁଟା ବା ନଡାରେ ପ୍ରତିମୂର୍ତ୍ତି ତିଆରି କରି ସେଥିରେ ରଙ୍ଗ ଦେଇ ମୂର୍ତ୍ତକୁ ଶେଷ ସ୍ପର୍ଶ ଦେଇଛନ୍ତି। ଏନେଇ ଶ୍ରୀ ଶ୍ରୀ ଲିଙ୍ଗରାଜ ଶିଳ୍ପ ଭଣ୍ଡାରର ଅରୁଣ କୁମାର ମହାପାତ୍ର କୁହନ୍ତି, "ମୂର୍ତ୍ତି ତିଆରି ପାଇଁ ସାମଗ୍ରିର ଅଭାବ ଦେଖାଦେଇଥିଲା । ନଡା ଓ ମାଟି ନମିଳିବାରୁ ବଳମ୍ବରେ କାମ ଆରମ୍ଭ ହେଲା। ପୂର୍ବବର୍ଷ ମୁତାବକ କମ ମୂର୍ତ୍ତି ଗଢାହୋଇଛି । ୩୦ରୁ ୩୫ ଜଣ କାରିଗର କାମରେ ଲାଗିଛନ୍ତି। ହେଲେ ଏ ବର୍ଷ ଭଲ ବ୍ୟବସାୟ ହେବାର ସେତେଟା ସମ୍ଭାବନା ନାହିଁ । " କଟକଣା ଯୋଗୁଁ ଅନେକ ବ୍ୟବସାୟୀ ହାତବାନ୍ଧି ବସିଥିଲେ । ତେଣୁ ବେଉସା ପାଇଁ ଅନୁମତି ମିଳିଥିବାରୁ ବ୍ୟବସାୟୀ ଏବଂ କାରିଗର ବେଶ ଖୁସି ଅନୁଭବ କରୁଛନ୍ତି ।

ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଜଧାନୀର ପୂଜା ମଣ୍ଡପରେ ଝଲସି ଉଠିବେ ଗଜାନନ । ଏନେଇ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେଣୁ ଭଲ ରୋଜଗାର ହେବାନେଇ ଆଶାବାଦୀ ବ୍ୟବସାୟୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.