ETV Bharat / city

Cabinet Decision: ମିଶନ ଶକ୍ତିକୁ ଅଗ୍ରାଧିକାର, 5 ବର୍ଷରେ ଖର୍ଚ୍ଚ ହେବ 4973.39 କୋଟି

author img

By

Published : May 19, 2022, 7:40 AM IST

ଅଧିକ ସଶକ୍ତ ହେବ ମିଶନ ଶକ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ଆଗାମୀ 5 ବର୍ଷ ପାଇଁ 4973.39 କୋଟି ଟଙ୍କା ଅନୁମୋଦିତ । ଅଧିକ ପଢନ୍ତୁ

Cabinet Decision: ମିଶନ ଶକ୍ତିକୁ ଅଗ୍ରାଧିକାର, 5 ବର୍ଷରେ ଖର୍ଚ୍ଚ ହେବ 4973.39 କୋଟି
Cabinet Decision: ମିଶନ ଶକ୍ତିକୁ ଅଗ୍ରାଧିକାର, 5 ବର୍ଷରେ ଖର୍ଚ୍ଚ ହେବ 4973.39 କୋଟି

ଭୁବନେଶ୍ବର: ମିଶନ ଶକ୍ତି ମାଧ୍ୟମରେ ଆହୁରି ସଶକ୍ତ ହେବେ ମହିଳା । ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ବୈଠକରେ ମିଶନ ଶକ୍ତି ବିଭାଗ ଅଧିନରେ ପରିଚାଳିତ "ମିଶନ ଶକ୍ତି" ଯୋଜନା ପାଇଁ ଆଗାମୀ 5 ବର୍ଷ ଯାଏଁ ଅର୍ଥାତ୍ ଆର୍ଥିକ ବର୍ଷ ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ବଜେଟରେ ୪୯୭୩.୩୯ କୋଟି ଟଙ୍କା ଅନୁମୋଦନ କରାଯାଇଛି ।

ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି:

  • ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଏହି ଆନ୍ଦୋଳନର ପ୍ରସାରଣ ।
  • ସାରା ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ତାଙ୍କର ମହାସଂଘଗୁଡିକର ସଶକ୍ତିକରଣ
  • ଆନୁଷ୍ଠାନିକ ଦକ୍ଷତା ବିକାଶ, ରାଜ୍ୟରେ ପ୍ରତ୍ୟେକ ସ୍ତରରେ କ୍ଷମତା ଏବଂ ଦକ୍ଷତା ବୃଦ୍ଧି ।
  • ଆର୍ଥିକ ଅନ୍ତର୍ଭୁକ୍ତିକରଣ
  • ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଙ୍କ ପାଇଁ ମିଶନ ଶକ୍ତି ଗୃହ, ବ୍ଲକ୍ ମିଶନ ଶକ୍ତି ଭବନ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନର ଭିତ୍ତିଭୂମି ଯୋଗାଣ
  • ମିଶନ ଶକ୍ତି ବଜାର ଏବଂ ଇ କମର୍ସ୍ ପ୍ଲାଟଫର୍ମ ପାଇଁ ବିକ୍ରୟ ବ୍ୟବସ୍ଥା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ଜୀବିକା କାର୍ଯ୍ୟକଳାପକୁ ମଜବୁତ କରିବା ପାଇଁ ଅନ୍ୟ ବିଭାଗ ମାନଙ୍କ ସହିତ ସହଭାଗିତା ।

ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ହାତକୁ ନିଆଯାଉଥିବା ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ-

  • ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୫୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ।
  • ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୧,୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ।
  • ସାରା ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି କରିବା ପାଇଁ ୫୦୦ ଗୋଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ ।
  • ପ୍ରାୟ ୩୫ ରୁ ୪୦ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ।
  • ପ୍ରତ୍ୟେକ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ସହରୀ ୱାର୍ଡରେ ମିଶନ୍ ଶକ୍ତି ଗୃହ ବା ଭବନର ବ୍ୟବସ୍ଥା ।
  • ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।

ମହିଳା ନେତୃତ୍ବାଧୀନ ଏହି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ତଥା ଅଭିବୃଦ୍ଧି ପାଇଁ ସମର୍ପିତ ଏହି ଐତିହାସିକ ନିଷ୍ପତ୍ତି, ରାଜ୍ୟର ଗ୍ରାମ ତଥା ସହରାଞ୍ଚଳମାନଙ୍କରେ ମିଶନ ଶକ୍ତିର ଏହି ନୀରବ ବିପ୍ଳବକୁ ଆହୁରି ମଜବୁତ କରିବ ।

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକୁ ସଂଗଠିତ ଓ ମଜବୁତ୍ କରିବାର ମୂଳ ଉଦ୍ଦେଶ୍ୟ ନେଇ ୨୦୦୧ରେ ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଯୋଜନା ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗତବର୍ଷ ଏକ ଐତିହାସିକ ପଦକ୍ଷେପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୈନ୍ଦ୍ରିକ ସରକାରୀ କାର୍ଯ୍ୟକ୍ରମମାନଙ୍କରେ ସମନ୍ଵୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ବରାନ୍ବିତ କରିବା ତଥା ସ୍ଥାୟୀ ଜୀବନ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ ଘୋଷଣା କରିଛନ୍ତି । ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଆଗାମୀ ୫ ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫୦୦୦ କୋଟି ଟଙ୍କାର ବ୍ୟବସାୟ ସ୍ବୟଂ ସହାୟକ ଗୋଷ୍ଠୀମାନେ ପାଇପାରିବେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.