ETV Bharat / city

ଭାରତୀୟ ଟଙ୍କା ଉପରେ ଚାଇନା ଠକଙ୍କ ନଜର, STF ସାମ୍ନାକୁ ଆଣିଲା ଚାଇନିଜ ଲିଙ୍କ୍

author img

By

Published : Jul 12, 2022, 4:29 PM IST

ଡିଜିଟାଲ ଆପ୍‌ ଜରିଆରେ ନିରୀହ ଲୋକଙ୍କୁ ଟାର୍ଗେଟ । ଏଭଳି ଡିଜିଟାଲ ଆପ୍‌ରେ ଋଣ ଦେଇ କିଛି ଚାଇନିଜ ଠକ ଭାରତୀୟ ଟଙ୍କା ହଡ଼ପ କରିଥିବା ସୁରାକ ପାଇଛି STF ଟିମ । ଅଧିକ ପଢନ୍ତୁ

ଭାରତୀୟ ଟଙ୍କା ଉପରେ ଚାଇନା ଠକଙ୍କ ନଜର, STF ସାମ୍ନାକୁ ଆଣିଲା ଚାଇନିଜ ଲିଙ୍କ୍
ଭାରତୀୟ ଟଙ୍କା ଉପରେ ଚାଇନା ଠକଙ୍କ ନଜର, STF ସାମ୍ନାକୁ ଆଣିଲା ଚାଇନିଜ ଲିଙ୍କ୍

ଭୁବନେଶ୍ବର: କୋକୋ, ଜୋଜୋ ଭଳି ଡିଜିଟାଲ ଆପ୍‌ରେ ନିରୀହ ଲୋକଙ୍କୁ ଠକେଇ (fraud loan app) । ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ବ୍ଲାକମେଲ କରି ଠକେଇର ବ୍ଲୁପ୍ରିଣ୍ଟ । ଅର୍ଥାତ ଲୋକଙ୍କୁ ୩ରୁ ୫ହଜାର ଟଙ୍କାର ଇନଷ୍ଟାଣ୍ଟ ଲୋନ ଦେଇ ଡରେଇ ଧମକେଇ ଏବେ ଅନେକ ଲୋକଙ୍କଠୁ ଦୁଇଗୁଣା ତିନିଗୁଣା ଟଙ୍କା ଆଦାୟ କରୁଛନ୍ତି ଠକ । ଓଡିଶା କ୍ରାଇମବ୍ରାଞ୍ଚର STF ତଦନ୍ତ କରିବା ସମୟରେ ଏଭଳି ଚାଇନିଜ୍‌ ଠକଙ୍କ ସୁରାକ ପାଇଛି ।

ଭାରତୀୟ ଟଙ୍କା ଉପରେ ଚାଇନା ଠକଙ୍କ ନଜର

ଲିୟୁ ୟି (LIU YI) ନାମକ ଚାଇନିଜ ଠକ ନାଁରେ ଏବେ ଲୁକ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ । ଏନେଇ ବ୍ୟୁରୋ ଅଫ ଇମିଗ୍ରେସନ ସହାୟତାରେ ସମସ୍ତ ବିମାନ ବନ୍ଦରକୁ ଆଲର୍ଟ କରାଯାଇଛି । ଏଥିସହ ଆବଶ୍ୟକ ପଡିଲେ ସିବିଆଇ ଓ ଇଣ୍ଟରପୋଲର ସହାୟତା ନେବେ ବୋଲି STF ଡିଆଇଜି କହିଛନ୍ତି । ଏହି ଘଟଣାରେ ଇଓଡବ୍ଲୁ କ୍ରାଇମବ୍ରାଞ୍ଚ ପୂର୍ବରୁ ୫ଜଣ ଭାରତୀୟ ଅପରାଧୀଙ୍କୁ ଗିରଫ କରିସାରିଛି ।

ତେବେ ଏମାନେ ଲିୟୁ ୟି ସହ ମିଶି ଏପରି ଠକାମିର ବ୍ଲୁପ୍ରିଣ୍ଟ କରିଥିଲେ । ଲିୟୁ ୟି ୩ ବର୍ଷ ତଳେ ଭାରତ ଆସି ବେଙ୍ଗାଲୁରୁରେ ଏପରି ଠକାମିର ପ୍ଲାନ କରୁଥିଲେ । ଏହାପରେ ଏପରି ବେନାମି ଆପ କରି ଏକାଧିକ ଭିନ୍ନ ଭିନ୍ନ ଇନଷ୍ଟାଣ୍ଟ ଲୋନ ଆପ ଖୋଲି ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ ।

କିପରି ହୋଇଥାଏ ଠକାମି:-

ଇନଷ୍ଟାଣ୍ଟ ଲୋନ କିଛି କ୍ଷଣ ମଧ୍ୟରେ ଦେବା ଆଳରେ ଏହି ଠକମାନେ ଋଣ ଅନଲାଇନରେ ଯୋଗାଇ ଦିଅନ୍ତି । ସହଜ ଉପାୟରେ ଆପ ଡାଉନଲୋଡ କରି ହିତାଧିକାରୀ ଋଣ ନେଉଥିଲେ । ଲୋଭରେ ପଡି ଲୋକେ ଆପ୍‌ ଡାଉନଲୋଡ କରୁଥିଲେ । ଆପ୍‌ ଜରିଆରେ ସହଜରେ ରଣ ନେଉଥିଲେ । ହେଲେ ରଣ ଦେବା ପରେ ଅସଲ ରୂପ ଦେଖାଉଥିଲା ଆପ୍‌ । ଋଣ ପୈଠ ପାଇଁ ମନଇଚ୍ଛା ସୁଧରେ ଗ୍ରାହକଙ୍କ ଉପରେ ଆପ୍‌ର ରିକଭରି ଏଜେଣ୍ଟ ମାନେ ଜୁଲମ ଆରମ୍ଭ କରୁଥିଲେ ।

ଋଣଧାରୀଙ୍କ ଅଶ୍ଳିଳ ଫଟୋ ତିଆରି କରି ସେମାନଙ୍କ ବନ୍ଧୁ ପରିଜନଙ୍କୁ ପଠାଇ ମାନସିକ ଚାପ ପକାଉଥିଲେ । ଆଉ ଯେତିକି ଋଣ ତା'ଠାରୁ ଦୁଇ ଓ ତିନି ଗୁଣା ଅସୁଲ କରୁଥିଲା ସଂସ୍ଥା । ଅର୍ଥାତ ଗ୍ରାହକଙ୍କୁ ଠକିବା ପାଇ ପୁରା ଚକ୍ରାନ୍ତ କରି ଏପରି ଡିଜିଟାଲ ଆପରେ ଚାଲୁଥିଲା ଠକେଇ । ଏନେଇ ଅନେକ ଗ୍ରାହକଙ୍କୁ ଋଣ ପୈଠ ଆଳରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଘରୁ ଉଠାଇ ନେବାର ଧମକ ସହ ସମ୍ପର୍କୀୟଙ୍କୁ ଫୋନ କରି ବଦନାମ କରୁଥିଲା ସଂସ୍ଥା । ଅନେକ ଲୋକ ଏପରି ମାନସିକ ଅତ୍ୟାଚାର ସହିନପାରି ଜୀବନ ହାରିଥିବାର ନଜିର ରହିଛି ।

ଏପରି ଢଙ୍ଗରେ ଠକେଇ ହେଉଥିବାର ଖବର ପାଇଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଭେରିଫିକେସନ ବେଳେ ଏହି ଆପ୍‌ ଗୁଡିକ ରିଜର୍ଭ ବ୍ୟାଙ୍କର ଅନୁମତି ପାଇନଥିବା ଜଣାପଡ଼ିଥିଲା । ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ହୋଇଥିଲା । ଘଟଣାରେ ଏଯାବତ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି ଏବଂ ୫ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.