ETV Bharat / city

ବିଏମସି ଟିକସ ଆଦାୟରେ କୋରୋନା ବାଧକ, ଆର୍ଥିକ ସ୍ଥିତି ପ୍ରଭାବିତ ଆଶଙ୍କା

author img

By

Published : Jun 24, 2020, 4:16 PM IST

ଟିକସ ଆଦାୟରେ କୋରୋନା ସାଜିଲା ବାଧକ । ସେଥିପାଇଁ ବିଏମସି ୨୦୧୯-୨୦୨୦ ଆର୍ଥିକ ବର୍ଷରେ ରାଜସ୍ବ ହରାଇଛି । ଅଧିକ ପଢନ୍ତୁ...

ବିଏମସି ଟିକସ ଆଦାୟରେ କୋରୋନା ବାଧକ, ଆର୍ଥିକ ସ୍ଥିତି ପ୍ରଭାବିତ ଆଶଙ୍କା
ବିଏମସି ଟିକସ ଆଦାୟରେ କୋରୋନା ବାଧକ, ଆର୍ଥିକ ସ୍ଥିତି ପ୍ରଭାବିତ ଆଶଙ୍କା

ଭୁବନେଶ୍ବର: ଟିକସ ଆଦାୟରେ କୋରୋନା ସାଜିଲା ବାଧକ । ସେଥିପାଇଁ ବିଏମସି ୨୦୧୯-୨୦୨୦ ଆର୍ଥିକ ବର୍ଷରେ ରାଜସ୍ବ ହରାଇଛି । ବିଏମସି ଗତ ଆର୍ଥିକ ବର୍ଷରେ ମାତ୍ର ୮୦ ପ୍ରତିଶତ ଟିକସ ଆଦାୟ କରିବାରେ ସମର୍ଥ ହୋଇଛି । ୨୦୧୮-୧୯ ଅପେକ୍ଷା ୨୦୧୯-୨୦ ଆର୍ଥିକ ବର୍ଷରେ ବିଏମସିର ଟିକସ ଆଦାୟ ହାର ଖସିଛି। ମାର୍ଚ୍ଚ ଶେଷ ଦୁଇ ସପ୍ତାହରେ କୋରୋନା ଲକଡାଉନ ଯୋଗୁଁ ବିଭିନ୍ନ ଉତ୍ସରୁ ଟିକସ ଆଦାୟ ବାଧାପ୍ରାପ୍ତ ହୋଇଛି । ତେଣୁ ଏପରି ପରିସ୍ଥିତି ଉପୁଜିଛି । ଯାହା ଦ୍ବାରା ବିଏମସିର ଆର୍ଥିକ ସ୍ଥିତି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଏଥିରୁ ମୁକୁଳିବା ପାଇଁ କୋରୋନା କଟକଣା ପରେ କିଛି ନିର୍ଦ୍ଦିଷ୍ଟ ଟିକସ ଆଦାୟ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା କରିଛି ବିଏମସି।

ବିଏମସି ଟିକସ ଆଦାୟରେ କୋରୋନା ବାଧକ, ଆର୍ଥିକ ସ୍ଥିତି ପ୍ରଭାବିତ ଆଶଙ୍କା

କୋରୋନା ମାଡରେ ପ୍ରଭାବିତ ହୋଇଛି ସାମଗ୍ରିକ ଟିକସ ଆଦାୟ। ହୋଲଡିଂ ଟିକସ ବାବଦରୁ ଯଦିଓ ବିଏମସିକୁ କିଛିଟା ସନ୍ତୋଷଜନକ ଟିକସ ମିଳିଛି, କିନ୍ତୁ ସାମଗ୍ରିକ ଭାବେ ଏହା ପ୍ରଭାବିତ କରିଛି ବିଏମସିର ଟିକସ ଆଦାୟ ପରିଧିକୁ। ତଥ୍ୟ ଅନୁସାରେ ହୋଲଡିଂ ଟ୍ୟାକ୍ସ ୨୦୧୮-୧୯ ବର୍ଷରେ ଟାର୍ଗେଟ ୪୫ କୋଟି ରହିଥିବା ବେଳେ ୩୯ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ୨୦୧୯-୨୦ ବର୍ଷରେ ୬୦ କୋଟି ଟାର୍ଗେଟ କରାଯାଇଥିବା ବେଳେ ଆଦାୟ ହୋଇଛି ୪୩ କୋଟି। ଏହାଛଡା ଟ୍ରେଡ଼ ଲାଇସେନ୍ସ, ପାର୍କିଙ୍ଗ ,ବିଜ୍ଞାପନ ଟ୍ୟାକ୍ସ, ପ୍ଲାନିଂ, ଏନଓସି ଭଳି ଅନ୍ୟ ସୂତ୍ରରୁ ମଧ୍ୟ ଟିକସ ଆଦାୟ ହୁଏ , ତାହା ଚଳିତ ବର୍ଷ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଟିଜି ସ୍ବୀକୃତି ଟ୍ରାନ୍ସଜେଣ୍ଡର ଗ୍ରୁପଙ୍କ ଦ୍ଵାରା ହୋଲଡିଂ ଟ୍ୟାକ୍ସ ଆଦାୟ ହୋଇଥିଲା। ମାର୍ଚ୍ଚ ମାସରେ ରାଜସ୍ବ ଆଦାୟକୁ ଜୋରଦାର କରାଯାଇଥିଲେ ମଧ୍ୟ କୋରୋନା ପାଇଁ ଶେଷ ସପ୍ତାହରେ ରାଜସ୍ବ ଆଦାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ହେଲେ ଏବେ ସ୍ଥିତି ସ୍ବାଭାବିକ ହେବାରୁ ଟ୍ରେଡ଼ ଲାଇସେନ୍ସ ଅନଲାଇନରେ ଆଦାୟ ହେବା ନେଇ ବିଭିନ୍ନ କର୍ମଚାରୀଙ୍କୁ ତାଲିମ ଦିଆସରିଛି । ଖୁବଶୀଘ୍ର ହୋଲଡିଂ ଟ୍ୟାକ୍ସ ଏସଏଚଜିଙ୍କ ଦ୍ବାରା ଆଦାୟ ହେବ। ବିଏମସିର ଯୁକ୍ତି ହେଉଛି କୋରୋନା ଲକଡାଉନ କଟକଣା ପ୍ରଭାବରୁ ପ୍ରଭାବିତ ହୋଇଛି ଟିକସ ଆଦାୟ ପ୍ରକ୍ରିୟା। ବିଏମସି ଡେପୁଟି କମିଶନର(ରାଜସ୍ବ) ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁସାରେ ସାଧାରଣତଃ ଭୁବନେଶ୍ବର ମହାନଗର ନିଗମର କୌଣସି ଆର୍ଥିକ ବର୍ଷର ଶେଷ ମାସରେ ସର୍ବାଧିକ ଟିକସ ଆଦାୟ କରିଥାଏ । ଏଥିରେ ମୋଟ ଟିକସ ଆଦାୟର ପାଖାପାଖି ୫୦ ପ୍ରତିଶତ ଆଦାୟ କରିଥାଏ ବିଏମସି। କିନ୍ତୁ ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ଦୁଇଟି ସପ୍ତାହରେ କୋରୋନା ଲକଡାଉନ କଟକଣା କାରଣରୁ ଆଦାୟ ପ୍ରଭାବିତ ହୋଇଛି ।

ବିଏମସିର ଟିକସ ଆଦାୟ ଯୁକ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭୁବନେଶ୍ବର ବରିଷ୍ଠ ନାଗରିକ ଫୋରମର ସଦସ୍ୟ ଅଭିରାମ ଦାସ। ବିଏମସି ମନଇଚ୍ଛା ଟିକସ ବଢ଼ାଉଛି ଓ ଆଦାୟ କରୁଛି, ଯାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ ଉଲ୍ଲେଖ କରିଛନ୍ତି । ସ୍ମାର୍ଟସିଟିରେ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ବିଏମସି ବିଫଳ। ଲୋକଙ୍କ ସୁବିଧା ମୁତାବକ ସେବା ଯୋଗାଉନାହିଁ । କିନ୍ତୁ ବିଏମସି ନିଜର ଅପାରଗତା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଟିକସ ଆଦାୟ ସଠିକ ହୋଇପାରିଲା ନାହିଁ । ଯାହା ବିଏମସିର ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରଭାବିତ କରିପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷେ ଏହାକୁ ଖଣ୍ଡନ କରିଛନ୍ତି ଶାସକ ଦଳର, ପୂର୍ବତନ ବିଏମସି କର୍ପୋରେଟର ଅମରେଶ ଜେନା । ସେ କହିଛନ୍ତି, ‘ବିଭିନ୍ନ ସମୟରେ ବିଏମସିର ଆର୍ଥିକ ସ୍ଥିତିକୁ ନେଇ ଏଭଳି ବ୍ୟତିକ୍ରମ ଦେଖାଯାଇଥାଏ। ଏହା ନୂଆ କଥା ନୁହେଁ। କିନ୍ତୁ ବିଭିନ୍ନ ସମୟରେ ବିଏମସି ପକ୍ଷରୁ ଉଦ୍ୟମ କରାଯାଉଛି।

ବିଭିନ୍ନ ସମୟରେ ବିଏମସିର ଟିକସ ଆଦାୟ କାର୍ଯ୍ୟଧାରାକୁ ନେଇ ଜନଅସନ୍ତୋଷ ଦେଖାଯାଇଛି । ତା ସତ୍ତ୍ବେ ବି ବିଏମସି ଟିକସ ଆଦାୟ ଧାରାକୁ ସମ୍ପୂର୍ଣ୍ଣ ଭାବେ ବିବାଦମୁକ୍ତ କରିପାରିନାହିଁ । କେତେବେଳେ ଧାର୍ଯ୍ୟ ଟାର୍ଗେଟ ଠାରୁ ଅଧିକ ଟିକସ ଆଦାୟ ତ ଆଉ କେତେବେଳେ ଟାର୍ଗେଟ ହାସଲ କରିପାରୁନଥିବା ନେଇ ପଦାରେ ପଡିଛି ବିଏମସିର ପାରିବା ପଣିଆ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.